ଓଡ଼ିଶାଲାଇଭ୍ ବ୍ୟୁରୋ
ସୋମବାରଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେଣ୍ଟ୍ରାଲ ହଲରେ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି। ଏହା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଫେବ୍ରୁଆରି ୧୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଚାଲିବ। ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ ତାରିଖରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ।
କୃଷି, ସ୍ଵାସ୍ଥ୍ୟ, ରପ୍ତାନି ଏବଂ ଅର୍ଥନୀତି କ୍ଷେତ୍ରରେ ଭାରତ ଆଗେଇଛି। ଶିକ୍ଷା ଏବଂ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ଵ ଦିଆଯାଉଛି ବୋଲି ଏହି ଅବସରରେ ରାଷ୍ଟ୍ରପତି କହିଥିଲେ। ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଦେଶରେ ୬୪ ହଜାର କୋଟି ଟଙ୍କାର ଆୟୁଷ୍ମାନ ଭାରତ ଯୋଜନା ଚାଲୁ ରହିଛି। ୧୮୦ ଦେଶକୁ ଭାରତୀୟ ଫାର୍ମା କଂପାନୀମାନେ ଔଷଧ ଯୋଗାଇଆସୁଛନ୍ତି। କୋଭିଡ ସମୟରେ ଭାରତୀୟ ଫାର୍ମା କମ୍ପାନିଗୁଡ଼ିକର ଉଲ୍ଲେଖନୀୟ ଯୋଗଦାନ ରହିଛି। ସର୍ବାଧିକ ଟିକା ଦେଇ ଭାରତ ବିଶ୍ଵରେ ଚର୍ଚ୍ଚିତ ହୋଇପାରିଛି।
ଭାରତ ଦ୍ରୁତ ବିକଶିତ ଆର୍ଥିକ ଶକ୍ତି
ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୬୩୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ବିଶ୍ୱରେ ଭାରତ ଏବେ ଦ୍ରୁତ ବିକଶିତ ଆର୍ଥିକ ଶକ୍ତି ହୋଇପାରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୨ କୋଟି ଗୃହ ଯୋଗାଇ ଦିଆଯାଇଛି।
ପ୍ରାୟ ୬ କୋଟି ଘରକୁ ପାନୀୟ ଜଳ ଯୋଗାଣ କରାଯାଇଛି। ସ୍ଵାମିତ୍ୱ ଯୋଜନାରେ ୨୭ ହଜାର ଗାଁରେ ୪୦ଲକ୍ଷ ସମ୍ପତ୍ତି କାର୍ଡ ଦିଆଯାଇଛି।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ୧୧ ଲକ୍ଷରୁ ଊର୍ଦ୍ଧ୍ଵ କୃଷକ ପରିବାରକୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଚାଷୀଙ୍କ ଉତ୍ପାଦକୁ ଉଚିତ ବଜାର ନିମନ୍ତେ କିଷାନ ରେଳ ଯୋଜନା ଆରମ୍ଭ ହୋଇଛି।
ଦେଶରେ ମହିଳା ସଶକ୍ତିକରଣକୁ ଗୁରୁତ୍ଵ
ସରକାର ମହିଳା ସଶକ୍ତିକରଣକୁ ଗୁରୁତ୍ଵ ଦେଇଆସୁଛନ୍ତି। ୨୦୨୧-୨୨ରେ ୨୮ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୬୫ ହଜାର କୋଟି ଦିଆଯାଇଛି। ମହିଳା ସଶକ୍ତିକରଣ ପାଇଁ ଝିଅଙ୍କ ବିବାହ ବୟସ ୨୧ ବର୍ଷକୁ ବୃଦ୍ଧି କରାଯାଉଛି। ଏଥିପାଇଁ ସଂସଦରେ ବିଧେୟକ ଆଣିବା ପାଇଁ ପ୍ରସ୍ତୁତି କରାଯାଇଛି। ସମସ୍ତ ୩୩ ସୈନିକ ସ୍କୁଲରେ ବାଳିକାମାନଙ୍କ ପ୍ରବେଶ ଆରମ୍ଭ ହୋଇଛି।
ଇଂଜିନିୟରିଂ କଲେଜରେ ୬ଟି ଭାଷାରେ ପାଠପଢ଼ା
ଆତ୍ମନିର୍ଭର ଭାରତକୁ ଅଧିକ କ୍ରିୟାଶୀଳ କରିବାକୁ ଶିକ୍ଷାନୀତି ଅଣାଯାଇଛି। ଇଞ୍ଜିନିୟରିଂ କଲେଜରେ ପାଠପଢ଼ା ୬ଟି ଭାରତୀୟ ଭାଷାରେ ଆରମ୍ଭ ହୋଇଛି। ଶିକ୍ଷା କ୍ଷେତ୍ରରେ ଆଞ୍ଚଳିକ ଭାଷାକୁ ମଧ୍ୟ ଗୁରୁତ୍ଵ ଦିଆଯାଇଛି।
ରପ୍ତାନିରେ ରେକର୍ଡ ବୃଦ୍ଧି
ସରକାର ଆଗାମୀ ୨୫ ବର୍ଷକୁ ଦୃଷ୍ଟିରେ ରଖି କାମ କରୁଛନ୍ତି। ସରକାରଙ୍କ ଉଦ୍ୟମରେ ଦେଶର କୃଷି ରପ୍ତାନି ରେକର୍ଡ ସ୍ତରକୁ ବୃଦ୍ଧି ପାଇଛି। ୨୦୨୦-୨୧ ମସିହାରେ କୃଷି ରପ୍ତାନିରେ ୨୫ ପ୍ରତିଶତରୁ ଅଧିକ ବୃଦ୍ଧି ପଞ୍ଜିକୃତ ହୋଇଛି। ବର୍ତ୍ତମାନ ଏହି ରପ୍ତାନି ପ୍ରାୟ ୩ ଲକ୍ଷ କୋଟିରେ ପହଞ୍ଚିଛି।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ବ୍ୟାଙ୍କିଙ୍ଗ୍ ସିଷ୍ଟମ ଯୋଗୁ ୪୪ କୋଟିରୁ ଅଧିକ ଦେଶବାସୀ କରୋନା ସମୟରେ ସିଧାସଳଖ ଲାଭ ପାଇପାରିଛନ୍ତି। କରୋନା କାଳରେ ଅଣୁ ଏବଂ କ୍ଷୁଦ୍ର ଶିଳ୍ପ ପାଇଁ ୩ ଲକ୍ଷ କୋଟିର ଏକ ବନ୍ଧକମୁକ୍ତ ଋଣ ବ୍ୟବସ୍ଥା କରାଯାଇଥିଲା। ପରେ ଏହାକୁ ୪ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି। ଦେଶରେ ଖଦିର ବିକ୍ରି ତିନି ଗୁଣା ବୃଦ୍ଧି ପାଇଛି।
ଭାରତରେ ସର୍ବାଧିକ ମୋବାଇଲ ଉତ୍ପାଦନ ହେଉଛି। ଭାରତରେ ଇଣ୍ଟରନେଟ ଶୁଳ୍କ ଅନ୍ୟ ଦେଶ ତୁଳନାରେ ସବୁଠାରୁ ଶସ୍ତା ରହିଛି। ଡିଜିଟାଲ ଇଣ୍ଡିଆ ପାଇଁ ଶସ୍ତା ଇଣ୍ଟରନେଟ ଲାଭଦାୟକ ହେବ। ଆଗକୁ ହାଇୱେ, ରେଲୱେ ଏବଂ ଏୟାରଓ୍ଵେଜ ଏକାଠି କାମ କରିବେ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି।