ଓଡ଼ିଶାଲାଇଭ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣି): ବେଆଇନ ଇଟାଭାଟି ନିର୍ମାଣ ଘଟଣାକୁ ନେଇ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟରେ ପଶି ତହସିଲଦାର ଦିଲ୍ଲୀପ କୁମାର ସେଠୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ଘଟଣାରେ ପୋଲିସ୍ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଦୋଳଗୋବିନ୍ଦ ସାହୁ ଓ ଉଦୟଭାନୁ ସାହୁ।
ବେଆଇନ ଇଟା ଭାଟି ଘଟଣାକୁ ନେଇ ଦୋଳଗୋବିନ୍ଦ ସାହୁ ଓ ଉଦୟଭାନୁ ସାହୁ ଏପ୍ରିଲ ୩ ତାରିଖ ତହସିଲ କାର୍ଯ୍ୟାଳୟରେ ପଶି ତହସିଲଦାରଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ପୋଲିସ୍ ଏକ ମାମଲା ରୁଜୁ କରି ଉଭୟ ଦୋଳଗୋବିନ୍ଦ ସାହୁ ଓ ଉଦୟଭାନୁ ସାହୁଙ୍କୁ ଗିରଫ କରିଛି।
ବଡ଼ମୋହନପୁର ପଞ୍ଚାୟତର କିଛି ବ୍ୟକ୍ତି ଇଟାଭାଟି ନିର୍ମାଣ କରି ବ୍ୟବସାୟ କରୁଥିଲେ। ଏହା ଯୋଗୁଁ ପରିବେଶ ପ୍ରଦ୍ୟୁଷଣ ଏବଂ ଓ ଫସଲହାନୀ ଆଶଙ୍କା କରି ଗ୍ରାମର କିଛି ଲୋକ ଇଟାଭାଟି ବନ୍ଦ କରିବା ପାଇଁ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଗତ ମାର୍ଚ୍ଚ ୨୨ ତାରିଖରେ ଲିଖିତ ଭାବେ ଅନୁରୋଧ କରିଥିଲେ।
ଗତ ମାର୍ଚ୍ଚ ୩୧ ତାରିଖ କଣିପାଳ ଗ୍ରାମର କିଛି ଲୋକ ଇଟାଭାଟି ନିର୍ମାଣ ବିରୋଧରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହା ପରେ ଘଟଣାର ତଦନ୍ତ କରିବା ନିମନ୍ତେ ତହସିଲଦାର ଦିଲ୍ଲୀପ ସେଠୀ କାଠିଆପଡ଼ା ଆରଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତୁରନ୍ତ ଇଟାଭାଟି ନିର୍ମାଣ ବନ୍ଦ କରିବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦିଆଯିବା ପରେ ଧାରଣା ହଟିଥିଲା। ତେବେ ଗତ ମାର୍ଚ୍ଚ ୩ ତାରିଖ ସନ୍ଧ୍ୟାରେ ତହସିଲଦାର ଇଟାଭାଟି ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେବା ସମୟରେ କଣିପାଳ ଗ୍ରାମର ଦୋଳଗୋବିନ୍ଦ ଓ ଉଦୟଭାନୁ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ।
Tags: #Kendrapara #Tahasildar #BricksFurnance #TwoArrest