ଓଡ଼ିଶାଲାଇଭ୍ ବ୍ୟୁରୋ
ରୋମ ଏବଂ ଦୁବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ମୁଖ୍ୟମନ୍ତ୍ରୀ ଇଟାଲୀରେ ପହଁଚିଛନ୍ତି। ଇଟାଲୀରେ ପହଞ୍ଚିବା ପରେ ସେଠାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନୀନା ମଲହୋତ୍ରା ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ସ୍ଵାଗତ କରିଛନ୍ତି। ବିଭିନ୍ନ ବିଷୟ ନେଇ ନୀନା ମଲହୋତ୍ରାଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ୧୦ ଦିନିଆ ବିଦେଶ ଗସ୍ତ ସମୟରେ ଅନେକ କାର୍ଯ୍ୟକ୍ରମ ରହିଛି।
ମୁଖ୍ୟମନ୍ତ୍ରୀଙ୍କର ଏହି ଗସ୍ତ ସମୟ ମଧ୍ୟରେ ଜାତିସଂଘର ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଡେଭିଡ୍ ବେସଲୀଙ୍କ ନିମନ୍ତ୍ରଣ ରକ୍ଷା କରି ସ୍ଵତନ୍ତ୍ର ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଦୁଇ ପ୍ରମୁଖ ସଫଳତା ଖାଦ୍ୟ ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ନିଜର ଅଭିଭାଷଣ ରଖିବେ।
ରୋମ ରହଣୀ ସମୟରେ ଭାଟିକାନ ସିଟିରେ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ ଫ୍ରାନସିସିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ପୋପଙ୍କୁ ଭେଟି ନାହାନ୍ତି। ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯାଇ ପୋପଙ୍କୁ ସାକ୍ଷାତ କରିବାରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ।
ଆସନ୍ତା ଜୁନ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ରୋମରୁ ୟୁରୋପ ଗସ୍ତରେ ଯିବେ। ଜୁନ ୨୬ ତାରିଖରେ ଇନଭେଷ୍ଟର ମିଟ୍ ପାଇଁ ଦୁବାଇ ଗସ୍ତ କରିବେ। ଜୁନ ୨୯ ତାରିଖରେ ଦୁବାଇରେ ମିଡିଲ ଇଷ୍ଟ ପୁଞ୍ଜି ନିବେଶକାରୀଙ୍କ ସହ ରାଜ୍ୟରେ ପୁଞ୍ଜି ନିବେଶ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ବୈଦେଶିକ ପୁଞ୍ଜି ନିବେଶ ନେଇ ଶିଳ୍ପ ବିଭାଗର ଏକ ପ୍ରତିନିଧି ଦଳ ପୁଞ୍ଜି ନିବେଶକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଦେଶ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସେ ଗତ ଶନିବାର ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ଆଜି ଏକାଧିକ ଅଧିକାରୀଙ୍କୁ ସାଙ୍ଗରେ ଧରି ରୋମ ଏବଂ ଦୁବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି କେ ପାଣ୍ଡିଆନ, ଖାଦ୍ୟ ଯୋଗାଣ ସଚିବ, ଶିଳ୍ପ ସଚିବ ଏବଂ ନୂଆ ଦିଲ୍ଲୀ ଆବାଶିକ କମିଶନର ବିଦେଶ ଗସ୍ତରେ ଯାଇଛନ୍ତି।
ମୁଖ୍ୟମନ୍ତ୍ରୀ ୧୦ ଦିନ ବିଦେଶ ଗସ୍ତ ସାରି ଜୁନ ୩୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ନବୀନ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ଦୀର୍ଘ ୧୦ ବର୍ଷ ପରେ ବିଦେଶ ଗସ୍ତରେ ଯାଇଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୁଇ ଜଣ ମନ୍ତ୍ରୀଙ୍କୁ ସାଂଗରେ ଧରି ୨୦୧୨ ମସିହାରେ ବିଦେଶ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତରେ କୌଣସି ମନ୍ତ୍ରୀଙ୍କୁ ସାମିଲ କରାଯାଇ ନଥିବାରୁ ଏହାକୁ ନେଇ ବିରୋଧୀ ଦଳ ଅନେକ ଆଲୋଚନା ଆରମ୍ଭ କରିଛନ୍ତି।
Tags: #CMOdisha #NaveenPatnaik #ForeignVisit #Rome #Dubai