ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ନୀତି ଅଭିଯୋଗରେ ଛନ୍ଦି ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲାରେ ଫସିଥିବା ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଛନ୍ତି ମମତା ବାନାର୍ଜୀ। ଆଜି ପଶ୍ଚିମବଙ୍ଗ ସରକାରଙ୍କର କ୍ୟାବିନେଟ ମିଟିଂରେ ଏହି ନିଷ୍ପତ୍ତି ହୋଇଛି। ପାର୍ଥ ଚାଟାର୍ଜୀ ପଶ୍ଚିମବଙ୍ଗ ସରକାରରେ ଉଦ୍ୟୋଗ ମନ୍ତ୍ରୀ ଥିଲେ। ପାର୍ଥ ଚାଟାର୍ଜୀଙ୍କୁ ଉଦ୍ୟୋଗ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିବା ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କ ସୂଚନା ଦେଇଛନ୍ତି।
ପାର୍ଥ ଚାଟାର୍ଜୀ ଶିକ୍ଷା ମନ୍ତ୍ରୀ ଥିବା ସମୟରେ ଟଙ୍କା ନେଇ ଶିକ୍ଷକ ନିଯୁକ୍ତି କରାଉଥିଲେ। ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଇଡି ଗିରଫ କରିଥିଲା। ଏହା ପରେ ଅର୍ପିତାଙ୍କ ଘରେ ଚଢ଼ଉ କରାଯାଇଥିଲା। ପ୍ରଥମ ଦଫାରେ ଅର୍ପିତାଙ୍କ ଘରୁ ୨୦ କୋଟି ଟଙ୍କା ଜବତ କରାଯାଇଥିଲା। ଏହା ପରେ ପୁନର୍ବାର ଅର୍ପିତା ମୁଖାର୍ଜୀଙ୍କ ଘରେ ବୁଧବାର ଦିନ ଚଢ଼ଉ କରାଯାଇଥିଲା। ଏହି ସମୟରେ ମଧ୍ୟ ତାଙ୍କ ଘରୁ ଆଉ ୨୩ କୋଟି ଟଙ୍କା ଜବତ ହେବା ସହ କେଜି କେଜି ସୁନା ଜବତ ହୋଇଥିଲା। ଅର୍ପିତାଙ୍କ ଘରୁ ଜବତ ହୋଇଥିବା ଟଙ୍କା ଶିକ୍ଷକ ନିଯୁକ୍ତି ପାଇଁ ନିଆଯାଇଥିବା ଲାଞ୍ଚ ଟଙ୍କା ବୋଲି ଇଡି ପକ୍ଷରୁ କୁହାଯାଇଛି।
Tags: #Politics #ParthaChaterjee #Ministert #WestBengal #SSCRecruitmetScam