ଓଡ଼ିଶାଲାଇଭ୍ ବ୍ୟୁରୋ
ଆଶିଷ ମହାପାତ୍ର। ଭାରତୀୟ ଷ୍ଟାର୍ଟଅପ୍ ଜଗତର ଏକ ପରିଚିତ ନାଁ। ଆଶିଷଙ୍କ ଷ୍ଟାର୍ଟଅପ୍ ‘ଅଫ୍ବିଜିନେସ୍’ ଭାରତର ଅନ୍ୟତମ ୟୁନିକର୍ନ ହୋଇପାରିଛି। ‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ର ଏକ ସାକ୍ଷାତକାରରେ ଆଶିଷ ତାଙ୍କ ଷ୍ଟାର୍ଟଅପ୍ ଯାତ୍ରାର କାହାଣୀକୁ ବିସ୍ତୃତଭାବେ କହିଛନ୍ତି।
ଆପଣ, ଆଶିଷ ମହାପାତ୍ର, ‘ଅଫ୍ବିଜିନେସ୍’ର ପ୍ରତିଷ୍ଠାତା ଭାବରେ ସାରା ଭାରତରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ଅଳ୍ପ କିଛିଦିନ ତଳେ ଏକ ସାକ୍ଷାତକାର ବେଳେ ଆପଣ ନିଜକୁ କଟକରୁ ଆସିଥିବା ଜଣେ ‘ସାଧାରଣ ମଣିଷ’ ବୋଲି କହିଥିଲେ। ସତରେ କ’ଣ ଆପଣ ଜଣେ ସାଧାରଣ ମଣିଷ ?
ସାଧାରଣ ବା ଅସାଧାରଣ, ଏଇଟା ଗୋଟିଏ ମାନସିକତାର ବିଷୟ କେବଳ। ମୋ’ର ଧାରଣା, ଯିଏ ନିଜକୁ ଅସାଧାରଣ ବୋଲି ମନେକରେ, ସେଇ ମଣିଷର ଯାତ୍ରା ସେଇଠି ଶେଷ ହୋଇଯାଏ। ମୁଁ ସବୁବେଳେ ଭାବେ, ମୁଁ ସାଧାରଣ ନୁହେଁ, ତା’ଠାରୁ ଯଦି ତଳେ କିଛି ଥାଏ, ସେଇଠି ମୋ’ର ସ୍ଥାନ। ଯଦିଓ ପିଲାବେଳେ ଆମର ପାରିବାରିକ ପରିସ୍ଥିତି ଭଲ ଥିଲା, ତେବେ ମୁଁ ସବୁବେଳେ ନିଜକୁ ଗୋଟିଏ ନିମ୍ନ ମଧ୍ୟବିତ୍ତ ପରିବାରର ପିଲା ହିସାବରେ ଦେଖେ।କଟକରେ ବଢ଼ିଛନ୍ତି। କିଭଳି ଭାବେ କଟକର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡ଼ିଛି?
ମୋ’ର ପିଲାଦିନ, ଅର୍ଥାତ ପ୍ରଥମ ଏଗାର ବର୍ଷ, ଆଇଆଇଟି ଖଡ଼ଗପୁରର ପରିସରରେ କଟିଛି। ବାପା ସେଇଠି କୃଷି ବିଜ୍ଞାନରେ ପିଏଚଡି କରୁଥିଲେ। ତା’ପରେ ମା’ ପଦାର୍ଥ ବିଜ୍ଞାନରେ ପିଏଚଡି କଲେ। ତେଣୁ ବାଲ୍ୟ ଜୀବନରେ, ଆଇଆଇଟିର ପରିବେଶ ମତେ ବିଶେଷ ଭାବରେ ପ୍ରଭାବିତ କରିଥିଲା।
ପରବର୍ତ୍ତୀ ସମୟରେ, ଆମେ ସମସ୍ତେ କଟକ ଆସିଗଲୁ। କଟକ ମତେ ଗୋଟିଏ ସଂପୂର୍ଣ୍ଣ ଅଲଗା ସହର ପରି ଲାଗିଥିଲା। କଟକରେ ସମସ୍ତେ ଏକା ପ୍ରକାରର ମଣିଷ। ସମସ୍ତଙ୍କ ସ୍ୱପ୍ନ ଏକା ରକମର। ରାଉରକେଲାରେ ପାଠ ପଢିବେ, ସଫ୍ଟୱେୟାର ଇଂଜିନିୟର ହେବେ, ଆଇଟି ସଂସ୍ଥାରେ ଚାକିରି କରିବେ। ଖଡ଼ଗପୁରରେ ବଢୁଥିବା ପିଲାମାନେ ଜୀବନକୁ ଆହୁରି ବିସ୍ତୃତ ଭାବରେ ଦେଖୁଥିଲେ। କିଏ ଭାବୁଥିଲା ବ୍ୟବସାୟୀ ହେବ, କିଏ ସ୍ୱପ୍ନ ଦେଖୁଥିଲା ଡାକ୍ତର ହେବ, ଆଉ କିଏ ଚିନ୍ତା କରୁଥିଲା ବୈଜ୍ଞାନିକ ହୋଇ ଗବେଷଣା କରିବ। ସମସ୍ତଙ୍କର ସୀମା, ସରହଦ ଏକ ପ୍ରକାର ନଥିଲା।
ସେବେଳର ଗୋଟିଏ ବ୍ୟକ୍ତିଗତ ଅନୁଭୂତି କହନ୍ତୁ ଯାହା ଆମକୁ ଏଇ ଜିନିଷଟି ଭଲ ଭାବେ ବୁଝିବାକୁ ସାହାଯ୍ୟ କରିବ?
ମୁଁ ଯେତେବେଳେ ତୃତୀୟ ଶ୍ରେଣୀର ଛାତ୍ର, ସେତେବେଳେ ଗୋଟିଏ ସ୍କୁଲ ପ୍ରୋଜେକ୍ଟ ଦିଆଗଲା, ୱାର୍ଲ୍ଟ ଡିସ୍ନି ବିଷୟରେ ଲେଖିବାକୁ। ୱାର୍ଲ୍ଟ ଡିସ୍ନି ମାନେ ସମସ୍ତେ ଭାବନ୍ତି କାର୍ଟୁନ୍ ଚରିତ୍ର। କିଏ ଲେଖିଲା ମିକି ମାଉସ୍ ଉପରେ, କିଏ ଲେଖିଲା ଡୋନାଲ୍ଡ ଡକ୍ ଉପରେ। ମୋ’ ମନକୁ ଆସିଲା, ଇଏ ୱାର୍ଲ୍ଟ ଡିସ୍ନି କିଏ? ମୁଁ ସ୍କୁଲ ବାଟରେ ପଡୁଥିବା ଲାଇବ୍ରେରିକୁ ଗଲି। ୱାର୍ଲ୍ଟ ଡିସ୍ନିଙ୍କ ଉପରେ ଯାହା ପାଇଲି, ସବୁ ପଢ଼ିଦେଲି। ମୋ’ର ପ୍ରୋଜେକ୍ଟର ବିଷୟ ରହିଲା ଏହି ବିଖ୍ୟାତ ବ୍ୟକ୍ତିଙ୍କ ନିଜସ୍ୱ ଜୀବନ କାହାଣୀ।
କିନ୍ତୁ ଯେତେବେଳେ ପ୍ରୋଜେକ୍ଟର ଚର୍ଚ୍ଚା ହେଲା, ସମସ୍ତେ କହିଲେ, ଏଇଟା ପୁଣି କ’ଣ? କାର୍ଟୁନ ଚରିତ୍ର ଉପରେ ନ ଲେଖି ସଂସ୍ଥାର ପ୍ରତିଷ୍ଠାତାଙ୍କ ଉପରେ ଚର୍ଚ୍ଚା କାହିଁକି? ମତେ ସେଇଦିନ ଲାଗିଥିଲା, ଆମେ ସୀମିତ ପରିଧି ଭିତରେ ରହିଯାଉଛୁ। ଦୁନିଆଟା ପ୍ରକୃତରେ ବହୁତ ବଡ଼। ସେଇ ଦୁନିଆରେ ପାଦ ରଖିବାକୁ ହେଲେ ତିନୋଟି ଜିନିଷ ଦରକାର। ସ୍ୱପ୍ନ, କଠିନ ପରିଶ୍ରମ ଓ ଧୈର୍ଯ୍ୟ। ଖଡ଼ଗପୁରର ବାତାବରଣରେ ଏଇ ତିନୋଟି ଜିନିଷ ଭରି ରହିଥିଲା।କଟକର ଏସ୍ସିବି ମେଡିକାଲ ପବ୍ଲିକ ସ୍କୁଲରେ ପଢ଼ି, ଆପଣ ଆଇଆଇଟି ଖଡ଼ଗପୁରରେ ଇଂଜିନିୟରିଂ ପଢ଼ିଲେ। ପ୍ରଥମ ଚାକିରି ଆଇଟିସି କମ୍ପାନିରେ। ତା’ପରେ ଗଲେ ଆଇଏସବି ହାଇଦ୍ରାବାଦକୁ ଏମ୍ବିଏ ପଢ଼ିବା ପାଇଁ। ଏମ୍ବିଏ ପରେ ବିଶ୍ୱ ପ୍ରସିଦ୍ଧ ସଂସ୍ଥା ମେକେନ୍ଜିରେ କାମ କଲେ। ସେଠାରୁ ଚାଲିଗଲେ ମେଟ୍ରିକ୍ସ, ଯାହାକି ଗୋଟିଏ ଜଣାଶୁଣା ଭେଞ୍ଚର କ୍ୟାପିଟାଲ କମ୍ପାନି। ସେଇଠି କାମ କଲାବେଳେ, ନିଜର ବ୍ୟବସାୟଟିଏ ଠିଆ କରାଇବାର ସ୍ୱପ୍ନ ଦେଖିଲେ। ନିଜ ସଞ୍ଚୟ ଏବଂ ମେଟ୍ରିକ୍ସର କିଛିଟା ପୁଞ୍ଜିରୁ, ସାତ ଜଣ ସହପ୍ରତିଷ୍ଠାତା ମିଶି ‘ଅଫ୍ ବିଜନେସ୍’ ଗଢ଼ିଲେ। ‘ଅଫ୍ବିଜିନେସ୍’ ସତରେ ଗୋଟିଏ ସୁନ୍ଦର ନାଁ। ଏହି ନାଁଟି ପଛର କାହାଣୀ ଏବଂ ଅଫ୍ବିଜିନେସ୍ର ବ୍ୟବସାୟ ବିଷୟରେ କିଛି କୁହନ୍ତୁ?
ମୁଁ ସବୁଦିନ ଇତିହାସ ପଢ଼ିବାକୁ ଭଲପାଏ। ଇତିହାସର ପୃଷ୍ଠାରୁ ପଢ଼ିଥିଲି ଆମେରିକାର ଗୃହଯୁଦ୍ଧ କଥା। ଗୃହଯୁଦ୍ଧର ଅବସାନ ହେବା ପରେ, ଗେଟିସବର୍ଗଠାରେ ଆବ୍ରାହମ ଲିଙ୍କନ ଏକ ଭାଷଣ ଦେଇଥିଲେ। ବିଶ୍ୱ ଇତିହାସରେ ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ବୋଧହୁଏ ଏଇଟି ସବୁଠାରୁ ସଂକ୍ଷିପ୍ତ ଭାଷଣ ଥିଲା। ଭାଷଣରେ ଲିଙ୍କନ କହିଥିଲେ, “Government of the people, by the people, for the people shall not perish from earth”.
ଏ କଥାଟି ମତେ ଛୁଇଁଯାଇଥିଲା। “ଅଫ୍ ଦି ପିପଲ୍”। କି ସୁନ୍ଦର ଚିନ୍ତା! ସେଇଥିରୁ ମନକୁ ଆସିଲା, ନିଜ କମ୍ପାନିର ନାଁ ଦେବି, ‘ଅଫ୍ବିଜିନେସ୍’। ଅର୍ଥାତ୍ ଏପରି ଏକ ବ୍ୟବସାୟ ଯାହା ଅନ୍ୟମାନଙ୍କର ବ୍ୟବସାୟକୁ ସଫଳ କରି ତୋଳିବାର ଲକ୍ଷ୍ୟ ନେଇ ଚାଲିଥିବ। ‘ଅଫ୍ବିଜିନେସ୍’, କ୍ଷୁଦ୍ର ଓ ମଧ୍ୟମ ବର୍ଗର କମ୍ପାନିମାନଙ୍କୁ ତିନୋଟି ଜିନିଷ ଯୋଗାଇଥାଏ। ପ୍ରଥମଟି ହେଲା, ସୁଲଭ ଦରରେ ବିଭିନ୍ନ ରକମର କଞ୍ଚାମାଲ ବା, ର’ ମ୍ୟାଟେରିଆଲ। ଦ୍ୱିତୀୟ ଜିନିଷ ହେଲା, ଏଇ କଞ୍ଚାମାଲ କିଣିବା ପାଇଁ ପୁଞ୍ଜି। ଆଉ ତୃତୀୟ ଜିନିଷଟି ହେଲା ବ୍ୟବସାୟଭିତ୍ତିକ ସୂଚନା।
ଭାରତବର୍ଷରେ ହଜାର ହଜାର କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଦ୍ରବ୍ୟ ଉତ୍ପାଦନକାରୀ ଉଦ୍ୟୋଗ ରହିଛନ୍ତି। କିନ୍ତୁ ବଡ଼ ବଡ଼ ବ୍ୟାଙ୍କମାନେ ୠଣ ଦେବା ବେଳେ ଏମାନଙ୍କୁ ଅଣଦେଖା କରନ୍ତି ଅଥବା ଏମାନଙ୍କର ଅଭାବ, ଅସୁବିଧା, ଆବଶ୍ୟକତାକୁ ଠିକ ବୁଝିପାରନ୍ତି ନାହିଁ। ଏହି ସଂସ୍ଥାମାନଙ୍କୁ ଠିକ୍ ସମୟରେ, ଠିକ୍ ଦରରେ, ସଠିକ୍ ମାନର କଞ୍ଚାମାଲ ଖୋଜି ଆଣି ଆମେ ଯୋଗାଇଥାଉ। ବ୍ୟବସାୟର ଦୁନିଆରେ, କଞ୍ଚାମାଲକୁ କିଣି ଜିନିଷ ତିଆରି କରି ବଜାରକୁ ନେଇ ଗ୍ରାହକଙ୍କୁ ବିକ୍ରି କରିବା ପର୍ଯ୍ୟନ୍ତ ପୁଞ୍ଜି ବା ଋଣର ଆବଶ୍ୟକତା ରହିଛି। ସୁବିଧାରେ ଋଣ ବ୍ୟବସ୍ଥା ମିଳିଲେ ଉଦ୍ୟୋଗୀମାନେ ଅଧିକ ସୁଧ ଦେବା ପାଇଁ ମଧ୍ୟ ରାଜି।
ଆଉ ରହିଲା ବ୍ୟବସାୟରେ କେଉଁଠି ନୂଆ ନୂଆ ଖରିଦ୍ଦାର ମିଳିପାରିବେ। କେଉଁଠି ଟେଣ୍ଡର୍ ଜାରି ହୋଇଛି, ସେସବୁ ବିଷୟରେ ସୂଚନା। ଏହିସବୁକୁ ନେଇ ‘ଅଫ୍ ବିଜନେସ୍’ର ବ୍ୟବସାୟ। ଆମ ସଂସ୍ଥାରେ ବର୍ତ୍ତମାନ ୮୨୩ ଜଣ କାମ କରୁଛନ୍ତି। ୯,୬୦୦ କୋଟି ଟଙ୍କାର ବ୍ୟବସାୟ ଏବଂ ଆଜିର ଦିନରେ ଆମର ମାର୍କେଟ ଭାଲ୍ୟୁ ୨୪ ହଜାର କୋଟିର ଊର୍ଦ୍ଧ୍ୱକୁ ଉଠିସାରିଲାଣି।ଆପଣଙ୍କ ବୟସ ମାତ୍ର ୪୦। ‘ଅଫ୍ବିଜିନେସ୍’ ଆରମ୍ଭ କଲାବେଳେ ବୟସ ଥିଲା ମାତ୍ର ୩୩। ମୁଁ ଶୁଣିଛି, ନୂଆ ନୂଆ ଯେତେବେଳେ ଆପଣ ଭେଞ୍ଚର କ୍ୟାପିଟାଲ ଉଠାଇବା ପାଇଁ ବଡ଼ ବଡ଼ ପୁଞ୍ଜି ଲଗାଣ ସଂସ୍ଥାଙ୍କର ଦ୍ୱାରସ୍ଥ ହେଉଥିଲେ, ସେତେବେଳେ ଥରେ ଦୁଇଥର ନୁହଁ, ୭୩ଥର ଆପଣଙ୍କୁ ‘ନା’ ଶୁଣିବାକୁ ପଡ଼ିଥିଲା। ଏତେ କମ୍ ବୟସରେ ଏଭଳି ପ୍ରତ୍ୟାଖ୍ୟାନକୁ ସମସ୍ତେ ଗ୍ରହଣ କରିପାରନ୍ତି ନାହିଁ। ପ୍ରତ୍ୟାଖ୍ୟାନକୁ ପରାହତ କରିବା ଲାଗି ସାହସ ଦରକାର। ଆପଣ ବ୍ୟବସାୟର ଦୁନିଆରେ ପ୍ରତ୍ୟାଖ୍ୟାନକୁ କିପରି ଭାବରେ ଗ୍ରହଣ କରିଥିଲେ?
ମୁଁ କହିବି, ଏଥିରେ ମୋ’ର ସାଧାରଣ ଓଡ଼ିଆ ଘରର ଲାଳନପାଳନ ମୋତେ ବିଶେଷ ଭାବରେ ସାହାଯ୍ୟ କରିଥିଲା। ପ୍ରତ୍ୟାଖ୍ୟାନର ପ୍ରଥମ ସ୍ୱାଦ ପାଇଥିଲି ଷଷ୍ଠ ଶ୍ରେଣୀରେ। ସେତେବେଳେ ଜିଲ୍ଲାସ୍ତରରେ ଗଣିତ ପ୍ରତିଯୋଗିତାରେ ସଫଳ ହୋଇ ଜାତୀୟସ୍ତରର ପ୍ରତିଯୋଗିତା ପାଇଁ ଦିଲ୍ଲୀ ଯାଇଥିଲି। ସେତେବେଳେ ମତେ ହିନ୍ଦୀ ଜଣା ନଥିଲା। ସେଥିପାଇଁ ମୋ’ ସାଙ୍ଗରେ କେହି କଥା ହେଉ ନଥିଲେ। ମତେ ଅଲଗା କରିଦେଉଥିଲେ।
ଠିକ୍ ସେହିପରି, ପରବର୍ତ୍ତୀ କାଳରେ ଯେବେ ବି ପୁରୁଣା ସ୍କୁଲରୁ ନୂଆ ସ୍କୁଲ, କଲେଜ ଏବଂ କଲେଜ ପରେ ଆଇଆଇଟି ଗଲି, ପ୍ରତି ପଦକ୍ଷେପରେ ଲାଗିଲା, ସବୁ ଜାଗାରେ, କିଏ ବାହାରର ମଣିଷ ଆଉ କିଏ ଭିତରର ମଣିଷ, ତାହା ନେଇ ମାନସିକତା ରହୁଛି। ଲୋକମାନେ ନିଜର, ପର ବିବେଚନା କରୁଛନ୍ତି। କିନ୍ତୁ ଏସବୁ ଭିତରୁ ହିଁ ମୋ’ର ଆତ୍ମପ୍ରତ୍ୟୟ ଆସିଥିଲା। ମୁଁ ନିଜକୁ କହିଲି, ଯେ ପର୍ଯ୍ୟନ୍ତ ମୋ’ ଭିତରେ କ୍ଷୁଧା, ପରିଶ୍ରମ ଏବଂ ଧୈର୍ଯ୍ୟ ରହିଥିବ, ମୁଁ ଯେ କୌଣସି ନୂଆ ପରିବେଶରେ ନିଜର ଅସ୍ତିତ୍ଵ, ନିଜ ପାରଙ୍ଗମତା ପ୍ରମାଣିତ କରିପାରିବି।ଆପଣଙ୍କ ସହପ୍ରତିଷ୍ଠାତା ଏବଂ ଚିଫ୍ ଫାଇନାନ୍ସ ଅଫିସର ଶ୍ରୀମତୀ ରୁଚି କାଲରାଙ୍କ ବିଷୟରେ ଆମକୁ କିଛି କହନ୍ତୁ?
ମୁଁ ୨୦୦୭ ମସିହାରେ ଯେତେବେଳେ ଇଣ୍ଡିଆନ ସ୍କୁଲ ଅଫ୍ ବିଜନେସ୍ରେ ଏମବିଏ ପଢ଼ିବାକୁ ଗଲି, ସେଇଠି ପ୍ରଥମ ଦେଖା। ଆମ ବ୍ୟାଚ୍ରେ ଥିଲେ ୩୨୦ ଜଣ ପୁଅ ଓ ମାତ୍ର ୩୦ ଜଣ ଝିଅ। ରୁଚିଙ୍କର ଧ୍ୟାନ ମୋ’ ପ୍ରତି ଆଦୌ ନ ଥିଲା। ପାଠ ସରିବା ପରେ ମୁଁ ଯେତେବେଳେ ମେକେନ୍ଜି ସଂସ୍ଥାରେ ଚାକିରି କଲି, ରୁଚି ମଧ୍ୟ ସେଇଠି କାମ କରିବାକୁ ଆସିଲେ। ପୁଣି ଦେଖାହେଲା। ଭଲ ଲାଗିଲା। ଭଲ ଲାଗିବାର ବର୍ଷକ ପରେ ବାହାଘର ହେଲା।
‘ଅଫ୍ବିଜିନେସ୍’ର ସ୍ୱପ୍ନ ଦୁଇଜଣଙ୍କର ଆଖିରେ ଥିଲା। ମୁଁ ଚିଫ୍ ଏକ୍ଜିକ୍ୟୁଟିଭ୍ ହିସାବରେ ବ୍ୟବସାୟର ସବୁଦିଗକୁ ନଜର ଦିଏ ଏବଂ ରୁଚିଙ୍କର ଆଖି ରହେ ପ୍ରତ୍ୟେକଟି ଆର୍ଥିକ ଦିଗକୁ। ପରସ୍ପର ପ୍ରତି ଉଭୟଙ୍କର ବିଶେଷ ଭାବରେ ପେସାଗତ ସମ୍ମାନ ରହିଛି। ବ୍ୟବସାୟରେ ମତଭେଦ ମଧ୍ୟ ହୁଏ, ଯାହାକି ସ୍ୱାଭାବିକ ଏବଂ ବ୍ୟବସାୟର ବୃହତ୍ତର ହିତ ଦୃଷ୍ଟିରୁ ଭଲ। ଆମେ ସବୁ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରିଥାଉ ଏବଂ ପରସ୍ପରର ମତାମତ ତଥା ଅନ୍ୟମାନଙ୍କର ମତ ନେଇ, ବ୍ୟବସାୟ ଲାଗି ସବୁବେଳେ ନିଷ୍ପତ୍ତି ଗ୍ରହଣ କରିଥାଉ।
ଆମ ଦାମ୍ପତ୍ୟ ଜୀବନରେ ସବୁଠାରୁ ବଡ଼ ଆନନ୍ଦ ଆଣିଦିଏ, ଆମ ୮ ବର୍ଷର ଝିଅ ଖୁସି। ରୁଚିଙ୍କ ଅପେକ୍ଷା, ସେ ହିଁ ମତେ ସବୁବେଳେ ଆକଟ କରେ। “ଡେରି ଯାଏଁ କାହିଁକି ଶୋଉଛୁ? ଏ ଜାମା ନ ପିନ୍ଧି, ସେ ଜାମା କାହିଁକି ପିନ୍ଧିଲୁ? ଏତେ ସମୟ କମ୍ପ୍ୟୁଟର ଧରି କାମ କାହିଁକି କରୁଛୁ? ନିଜ ଦେହର ଯତ୍ନ କାହିଁକି ନେଉନୁ?” ଏପରି ଅନେକ ତାଗିଦ ତା’ଠାରୁ ସବୁଦିନ ମତେ ଶୁଣିବାକୁ ହୋଇଥାଏ।ଓଡ଼ିଶା ମାଟିରେ ଆଜି ଅନେକ ଯୁବତୀ, ଯୁବକ ଷ୍ଟାର୍ଟଅପ୍ର ସ୍ଵପ୍ନ ଦେଖୁଛନ୍ତି। ଜଣେ ସଫଳ ଉଦ୍ୟୋଗୀ ହେବା ପାଇଁ ତାଙ୍କ ପ୍ରତି ଆପଣଙ୍କର କ’ଣ ପରାମର୍ଶ ରହିବ?
ନିଜକୁ କେବେହେଲେ ଏକ ସଂକୀର୍ଣ୍ଣ, ସୀମିତ ପରିଧିରେ ରଖନ୍ତୁ ନାହିଁ। ମନ ଭିତରେ ଯେ କୌଣସି ଜିନିଷଟିକୁ ହାସଲ କରିବାର କ୍ଷୁଧା ଥିବା ଦରକାର। ସେଥିପାଇଁ ଲଢ଼ିବାର ମାନସିକତା ଦରକାର। ତା’ ସାଙ୍ଗକୁ ନିଜକୁ ନମ୍ର କରିବାକୁ ହେବ; ସର୍ବୋପରି ସଚ୍ଚୋଟ ହେବାକୁ ପଡ଼ିବ। ଏହି ଚାରୋଟି ଜିନିଷ ଥିଲେ ସଫଳତା ମନକୁ ମନ ଆସିଯିବ।
Tags: #StartupStory #StartupOdisha #AsishMohapatra #OfBusiness #Odisha