ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ଫିଲ୍ମ ପୁରସ୍କାର ଜିତିଛନ୍ତି ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର। ‘ହାଲୋ ଆର୍ସି’ ପାଇଁ ସେ ପାଇଛନ୍ତି ସ୍ୱତନ୍ତ୍ର ପୁରସ୍କାର। ମଞ୍ଜୁଳା କୁଅଁରଙ୍କ ପରେ ଓଡ଼ିଶାରୁ ଦ୍ୱିତୀୟ ଅଭିନେତ୍ରୀଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ପ୍ରକୃତି।
୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଳୀ ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରେ ବିଜେତାଙ୍କୁ ପୁରସ୍କୃତ କରାଯାଇଛି। ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ‘ହାଲୋ ଆର୍ସି’ ପାଇଁ ପାଇଛନ୍ତି ସ୍ୱତନ୍ତ୍ର ପୁରସ୍କାର।
ପ୍ରଥମ ପର୍ଯ୍ୟାୟରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ରାଷ୍ଟ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ପୁରସ୍କାର ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୧୧ ଜଣ ବିଜେତାଙ୍କୁ ରାଷ୍ଟ୍ରପତି ପୁରସ୍କୃତ କରିଥିଲେ।
ବିନୋଦ ଖାନ୍ନାଙ୍କୁ ମରଣୋତ୍ତର ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ତାଙ୍କ ପୁଅ ଅକ୍ଷୟ ଖାନ୍ନା ପୁରସ୍କାର ଗ୍ରହଣ କରିଥିଲେ। ସେହିପରି ଶ୍ରୀଦେବୀଙ୍କୁ ମରଣୋତ୍ତର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଦିଆଯାଇଛି। ଶ୍ରୀଦେବୀଙ୍କ ସ୍ୱାମୀ ଓ ଦୁଇ ଝିଅ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ମାଲୟାଲମ୍ ଫିଲ୍ମ ‘ଭୟାନକମ୍’ ପାଇଁ ଜୟରାଜଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ମିଳିଛି। ଆସାମୀ ଫିଲ୍ମ ଭିଲେଜ ‘ରକ୍ଷ୍ଟାର’କୁ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ଏବଂ ଏଆର ରେହମାନଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ମିଳିଛି।
“ଫିଲ୍ମ ‘ହେଲୋ ଆର୍ସୀ’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବି ବୋଲି ବିଲକୁଲ ଆଶା କରି ନ ଥିଲି। ମୋ ପାଇଁ ଏହା ଏକ ବଡ ମାଇଲଷ୍ଟୋନ୍। ଏହି ଫିଲ୍ମ ଲାଗି ବହୁତ ପରିଶ୍ରମ କରିଥିଲି ଓ ଯେତେ ଦୂର ସମ୍ଭବ ଭଲ ଦେବାକୁ ଚେଷ୍ଟା କରିଥିଲି। ଏଥିପାଇଁ କ୍ରେଡିଟ୍ ପୂରା ଟିମ୍କୁ ଦେବି। ମୁଁ ଆଶାକରୁଛି ଏହା ମୋତେ ଆଗକୁ ବଢିବାକୁ ପ୍ରେରଣା ଯୋଗାଇବ”, ପୁରସ୍କାର ଗ୍ରହଣ କରିବା ପରେ ଏହା କହିଛନ୍ତି ପ୍ରକୃତି।