ଓଡ଼ିଶାଲାଇଭ୍ ବ୍ୟୁରୋ

୯ ମାସ ଭିତରେ ୮ଟି ଚିତାଙ୍କର ମୃତ୍ୟୁ ହେବା ପରେ ‘ପ୍ରୋଜେକ୍ଟ ଚିତା’କୁ ନେଇ ଏବେ ବଢ଼ିଛି ଚିନ୍ତା

  • ଜୁଲାଇ ୨୦୨୨ରେ ନାମିବ୍ୟା ସରକାରଙ୍କ ସହ ଆଫ୍ରିକୀୟ ଚିତା ଆଣିବାକୁ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା
  • ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୮ଟି ଆଫ୍ରିକୀୟ ଚିତା ନାମିବ୍ୟାରୁ କୁନୋ ଜଙ୍ଗଲକୁ ଅଣାଗଲା
  • ନଭେମ୍ବର ୫ରେ ଏଲଟନ୍ ଫ୍ରେଡି ନାମକ ଦୁଇ ଚିତାଙ୍କୁ କ୍ଵାରେଣ୍ଟାଇନରୁ ବାହାର କରି ବଡ଼ ଏନ୍କ୍ଲୋଜରରେ ଛଡ଼ାଯାଇଥିଲା
  • ନଭେମ୍ବର ୨୮ ତାରିଖରେ ଅନ୍ୟ ମାଇ ଚିତା ସବାନା, ସଶା ସିଆୟାକୁ ଏନ୍କ୍ଲୋଜରରେ ଛଡ଼ାଯାଇଥିଲା
  • ୨୦୨୩ ଫେବ୍ରୁଆରି ୧୮ ତାରିଖରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଆଣି କୁନୋ ଜଙ୍ଗଲର କ୍ଵାରାଣ୍ଟିନରେ ରଖାଯାଇଥିଲା ଆଗାମୀ ୧୦ ବର୍ଷ ଭିତରେ ଏଠାରୁ ଶହେଟି ଚିତା ଆଣିବାକୁ ଯୋଜନା ହୋଇଛିା

ଚିତାଙ୍କୁ ବିଲୁପ୍ତ ପ୍ରାଣୀ ଭାବେ ଘୋଷଣା କରିବାର ପ୍ରାୟ ୭୦ ବର୍ଷ ପରେ ପୁଣି ଚିତାର ଚିତ୍କାର ଶୁଭିଥିଲା। ନାମିବ୍ୟା ଓ ଦକ୍ଷିଣ ଆଫ୍ରିକାରୁ ପର୍ଯ୍ୟାୟ କ୍ରମେ ୨୨ଟି ଚିତାଙ୍କୁ ଅଣାଯାଇଥିଲା। ଏହା ପରେ ୪ଟି ଚିତା ଶାବକ ଜନ୍ମ ହେବା ପରେ ଆଶା ସଞ୍ଚାର ହୋଇଥିଲା। କିନ୍ତୁ ମାତ୍ର ୯ ମାସ ମଧ୍ୟରେ ଗୋଟିଏ ପରେ ଗୋଟିଏ ୮ଟି ଚିତାଙ୍କର ମୃତ୍ୟୁକୁ ନେଇ ଅନେକ ଆଶଙ୍କା ସୃଷ୍ଟି କରିଛି। ଏହାର କାରଣ ଖୋଜି ଶୀଘ୍ର ନିରାକରଣ କରାନଗଲେ ସଙ୍କଟରେ ପଡ଼ିଯିବ ‘ପ୍ରୋଜେକ୍ଟ ଚିତା’।

ଦକ୍ଷିଣ ଆଫ୍ରିକାରୁ ଭାରତ ଅଣା ଯାଇଥିବା ଚିତାଙ୍କ ମଧ୍ୟରୁ ଶୁକ୍ରବାର ଦିନ ସୂରଜ ନାମକ ଗୋଟିଏ ଚିତାର ମୃତ୍ୟୁ ହୋଇଛି। ବର୍ତ୍ତମାନ ଚିତାଙ୍କ ମୃତ୍ୟୁ ସଂଖ୍ୟା ୮ ଛୁଇଁଛି। ଚିତାମାନଙ୍କ ସୁରକ୍ଷା ଦାୟିତ୍ଵରେ ଥିବା କର୍ମଚାରୀ ଶୁକବ୍ରାର ଦିନ ଉଦ୍ୟାନ ଭିତରୁ ସୂରଜର ମୃତଦେହ ଠାବ କରିଥିଲେ। ଏହା ପୂର୍ବରୁ ଜୁଲାଇ ୧୧ ତାରିଖରେ ତେଜସ ନାମକ ଚିତାର ମୃତ୍ୟୁ ହୋଇଥିଲା। ଆହତ ଅବସ୍ଥାରେ ତେଜସକୁ ଉଦ୍ଧାର କରାଯିବା ପରେ ଚିକିତ୍ସା କରାଯାଇଥିଲା, କିନ୍ତୁ ବଞ୍ଚି ପାରିନଥିଲା ତେଜସ।

ଗତ ଏପ୍ରିଲ ୨୩ ତାରିଖରେ ଉଦୟ ନାମକ ଏକ ଚିତାର ମୃତ୍ୟୁ ହୋଇଥିଲା। ଉଦୟକୁ ୨୦୨୩ ଫେବ୍ରୁଆରି ୧୧ ତାରିଖରେ ଦକ୍ଷିଣ ଆଫ୍ରିକାରୁ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା। ଉଦୟର ମୃତ୍ୟୁ ପରେ ଗତ ମେ’ ୨୫ ତାରିଖରେ ଦୁଇଟି ଚିତା ଶାବକଙ୍କର ମୃତ୍ୟୁ ହୋଇଥିଲା।

କାହିଁକି ଲୋପ ପାଇଥିଲେ ଚିତା

ଭାରତରେ ଚିତାଙ୍କ ସଂଖ୍ୟା କମିବାର ବହୁତ କାରଣ ମଧ୍ୟରୁ ସବୁଠାରୁ ବଡ଼ କାରଣ ମନୁଷ୍ୟକୃତ। ସ୍ଵାଧୀନ ହେବା ପରେ ଦେଶ ଉନ୍ନତି କରୁଥିଲା। ପ୍ରଥମ କେଇ ବର୍ଷ କୃଷିକୁ ଗୁରୁତ୍ଵ ଦିଆଯାଇଥିଲା। ରାଜବଂଶ ଅଧୀନରେ ଥିବା ଅନେକ ଜଙ୍ଗଲ ଜମି ଧୀରେ ଧୀରେ କୃଷି କ୍ଷେତ୍ରକୁ ରୂପାନ୍ତରିତ ହୋଇଥିଲା। ବିଶେଷ କରି ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଅଞ୍ଚଳରେ ଏହି ଚିତା ବହୁ ସଂଖ୍ୟାରେ ଦେଖିବାକୁ ମିଳୁଥିଲେ। ସେ ଅଞ୍ଚଳରେ ଧୀରେ ଧୀରେ ଚାଷ ଜମି ବଢ଼ିବା ସହିତ ଚିତା ରହିବା ଉପଯୋଗୀ ଜଙ୍ଗଲ ଜମି ହ୍ରାସ ପାଇବାରେ ଲାଗିଲା। ତେଣୁ ଚିତାବଂଶ ସଙ୍କଟରେ ପଡ଼ିଥିଲେ।

ଚିତାଙ୍କ ପାଇଁ ଖାଦ୍ୟ ସଙ୍କଟ

ତୃଣଭୂମି କମିବାରୁ ସେଠାରେ ଚିତାଙ୍କ ଖାଦ୍ୟ କମିବାକୁ ଲାଗିଲା। ଅର୍ଥାତ ଚିତା ଯେଉଁ ସବୁ ପଶୁଙ୍କୁ ଶିକାର କରୁଥିଲେ ସେମାନଙ୍କ ସଂଖ୍ୟା ମଧ୍ୟ କମିବାକୁ ଲାଗିଲା। ଚିତାମାନେ ଲୁଚି ରହିବା ପାଇଁ ଜଙ୍ଗଲିଆ ଜମି ନରହିବାରୁ ସେମାନେ ବହୁତ ସହଜରେ ଶିକାରମାନଙ୍କ ନଜରରେ ପଡ଼ିଲେ।

ରାଜାଙ୍କ ଶିକାର ସଉକର

ରାଜରାଜୁଡ଼ା ଅମଳରେ ରାଜାମାନେ ଚିତା, ବାଘ,ସିଂହ ଓ ଅନ୍ୟ ପଶୁଙ୍କୁ ଶିକାର କରିବା ନିଜର ବୀରତ୍ଵ ବୋଲି ଭାବୁଥିଲେ। ଆଉ କିଛି ରାଜା ଚିତା ପାଳୁଥିଲେ। ଏହି ଚିତାମାନେ ସେମାନଙ୍କୁ ଶିକାରରେ ସହଯୋଗ କରୁଥିଲେ। ରାଜାମାନଙ୍କ ଅଜବ ସଉକ ପାଇଁ ଚିତାବଂଶ ସଙ୍କଟରେ ପଡ଼ିଥିଲା। କାରଣ ଜଙ୍ଗଲରେ ରହୁଥିବା ଜୀବଙ୍କୁ କଏଦ କରି ରଖିବା ପରେ ସେମାନଙ୍କ ସଂଖ୍ୟା କମିବାରେ ଲାଗିଥିଲା। କୁହାଯାଏ ଆକବର ୧ ହଜାର ଚିତା ପାଳିଥିଲେ।

୧୯୪୭ରେ ଦେଖାଦେଇଥିଲା ଶେଷ ଚିତା

୧୯୪୭ ମସିହାରେ ହିଁ ଶେଷଥର ପାଇଁ ଚିତା ଦେଖିବାକୁ ମିଳିଥିଲା ତତ୍କାଳୀନ ମଧ୍ୟପ୍ରଦେଶର ସରଗୁଜାରେ। ସରଗୁଜାର ମହାରାଜ ରାମାନୁଜ ପ୍ରତାପ ସିଂଦେଓ ବଞ୍ଚିଥିବା ଶେଷ ୩ଟି ଚିତାକୁ ଶିକାର କରି ଚିତା ବଂଶ ନିପାତ କରିଦେଇଥିଲେ। ଚିତାର ଶବ ପାଖରେ ବନ୍ଧୁକ ଧରି ଫଟୋ ଉଠାଇବାକୁ ଗୌରବ ବୋଲି ଭାବିଥିଲେ ତତ୍କାଳୀନ ରାଜା ଏବେ ସେହି ଫଟୋ ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟିର ଅଭିଲେଖାଗାରରେ ଉପଲବ୍ଧ।

୧୯୫୨ରେ ଚିତାଙ୍କୁ ବିଲୁପ୍ତ ଘୋଷଣା

ବିଂଶ ଶତାବ୍ଦୀ ଆରମ୍ଭ ହେବା ବେଳକୁ ଭାରତର ବିଭିନ୍ନ ଜଙ୍ଗଲରେ ୩ଶହ ପାଖାପାଖି ଚିତା ଥିଲେ। କିନ୍ତୁ ଏହି ଚିତାଙ୍କ ସୁରକ୍ଷା ପାଇଁ କେହି ଚିନ୍ତା କରିନଥିଲେ। ସେମାନଙ୍କ ସୁରକ୍ଷା କିମ୍ବା ସେମାନଙ୍କ ଖାଦ୍ୟର ଉପଲବ୍ଧତା ସମ୍ପର୍କରେ କାହାର ଚିନ୍ତା ନଥିଲା। ଶେଷ ୩ଟି ଚିତାକୁ ସରଗୁଜା ରାଜା ଶିକାର କରିବା ପରେ ଆଉ କୌଣସି ସ୍ଥାନରେ ଚିତା ଦେଖିବାକୁ ମିଳିନଥିଲା। ଚିତାର ଉପସ୍ଥିତି ନେଇ କିଛି ପ୍ରାମାଣିକ ତଥ୍ୟ ନମିଳିବାରୁ ଶେଷରେ ୧୯୫୨ରେ ଚିତାକୁ ବିଲୁପ୍ତ ପ୍ରାଣୀ ବୋଲି ଘୋଷଣା କରି ଦିଆଗଲା।

ଚିତାଙ୍କୁ ବିଲୁପ୍ତ ଘୋଷଣା କରାଯିବାର ୧୮ ବର୍ଷ ପରେ ୧୯୭୦ରେ ପୁଣି ଚିତା ଆଣିବା ପାଇଁ ଚିନ୍ତା କରାଯାଇଥିଲା। କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଏ ନେଇ ଇରାନକୁ ଚିଠି ଲେଖିଥିଲା। ଏ ସଂକ୍ରାନ୍ତରେ ଉଭୟ ଦେଶ ମଧ୍ୟରେ ଆଲୋଚନା ଆଗେଇଥିବା ବେଳେ ଇରାନରେ ଆନ୍ଦୋଳନ ପାଇଁ ରାଜା କ୍ଷମତାଚ୍ୟୁତ ହୋଇଥିଲେ। ଫଳରେ ଚିତା ଆଣିବା ଆଲୋଚନା ବନ୍ଦ ହୋଇଯାଇଥିଲା।

ୟୁପିଏ ସରକାରରେ ଆରମ୍ଭ ହେଲାପ୍ରୋଜେକ୍ଟ ଚିତା

୨୦୦୯ରେ ୟୁପିଏ ସରକାରଙ୍କ ସମୟରେ ପ୍ରୋଜେକ୍ଟ ଚିତା ଆରମ୍ଭ ହୋଇଥଲା। ପରିବେଶ ମନ୍ତ୍ରୀ ଜୟରାମ ରମେଶ ଇରାନ ସହ ପୁଣି ଏ ସଂକ୍ରାନ୍ତରେ ଆଲୋଚନା ଆରମ୍ଭ କରିଥିଲେ। କିନ୍ତୁ ସେଠାରେ ପଶୁ ସଂଖ୍ୟା କମ ଥିବାରୁ ଇରାନ ଆଉ ଚିତା ଦେବା ପାଇଁ ରାଜି ହୋଇନଥିଲା। ଚିତା ବଦଳରେ ଇରାନ ସିଂହ ମାଗିବାରୁ ଏଥିରେ ଭାରତ ରାଜି ହୋଇନଥିଲା ବୋଲି ମଧ୍ୟ ଚର୍ଚ୍ଚା ହୁଏ। ୨୦୧୦ରେ ଇରାନ ସହ ଚାଲିଥିବା ଉଦ୍ୟମକୁ ବନ୍ଦ କରିଦିଆଗଲା।

ଇରାନ ସହିତ ଆଲୋଚନା ବନ୍ଦ ହୋଇଯାଇଥିଲେ ମଧ୍ୟ ଚିତା ପୁନରୁଦ୍ଧାର ଯୋଜନା ଜାରି ରହିଥିଲା। ଆଫ୍ରିକାରୁ ଚିତା ଆଣିବା ପାଇଁ ଯୋଜନା ଆରମ୍ଭ ହୋଇଥିଲା। ଏହା ସହିତ ଦେଶରେ ଚିତା ରଖିବା ପାଇଁ ଅଭୟାରଣ୍ୟ ବାଛିବାକୁ ଏକ କମିଟି ଦ୍ଵାରା ସର୍ଭେ କରାଇବା ପାଇଁ ପରିବେଶ ମନ୍ତ୍ରୀ ଜୟରାମ ରମେଶ ଅନୁମତି ଦେଇଥିଲେ। ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମଧ୍ୟପ୍ରଦେଶରେ ଚିତାବଂଶ ଅଭିବୃଦ୍ଧି ଯୋଜନା ଆରମ୍ଭ କରିବା ପାଇଁ ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଥିଲା। ଏହା ସହିତ ଏକ ଜେନେଟିକ ଅଧ୍ୟୟନ ମଧ୍ୟ ହୋଇଥିଲା।

ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ଯୋଗୁ ଡେରି

୨୦୧୨ ମସିହାରେ ଏହି ପ୍ରୋଜେକ୍ଟ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଥିଲେ। ଗୁଜରାଟରେ ଚିତାଙ୍କୁ ରଖିବା ପାଇଁ ହୋଇଥିବା ପ୍ରସ୍ତାବକୁ ବିରୋଧ କରି ଏକାଧିକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଥିଲେ। ୨୦୨୦ରେ ସୁପ୍ରିମକୋର୍ଟ ଚିତା ଆଣିବାକୁ ଅନୁମତି ଦେଇଥିଲେ ଏବଂ ଏହି ଯୋଜନାର ଅଗ୍ରଗତି ସୂଚନା ଦେବା ପାଇଁ ୩ଜଣିଆ କମିଟି ମଧ୍ୟ ଗଠନ କରିଥିଲେ ସୁପ୍ରିମକୋର୍ଟ।

ଅଗଷ୍ଟ ୨୦୨୨ରେ ନାମିବ୍ୟାରୁ ୮ଟି ଚିତା ଅଣାଯାଇ କୁନୋ ଜଙ୍ଗଲରେ ରଖାଯିବ ବୋଲି ସୂଚନା ମିଳିଥିଲା। ପରେ ୧୨ଟି ଚିତା ଅଣାଯିବ ବୋଲି ମଧ୍ୟ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୂଚନା ଦେଇଥିଲେ। ଶେଷରେ ୧୭ ସେପ୍ଟେମ୍ବର ୨୦୨୨ରେ ଚିତାବଂଶ ଲୋପ ବଦନାମରୁ ଭାରତ ମୁକ୍ତ ହୋଇଥିଲା।

Tags: #Cheetah #CheetahInIndia #KunoNationalPark #WildLifeConservation #ProjectCheetah

LEAVE A REPLY

Please enter your comment!
Please enter your name here