ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ବାୟୁସେନାକୁ ମିଳିଛି ନୂଆ ପରିବହନ ବିମାନ ଏୟାରବସ ସି-୨୯୫। ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉତ୍ତରପ୍ରଦେଶ ଗାଜିଆବାଦସ୍ଥିତ ହିଣ୍ଡନ ଏୟାରବେସରେ ବିମାନଟିକୁ ବାୟୁସେନାରେ ସାମିଲ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି କେ ସିଂହ, ଏୟାର ଚିଫ ମାର୍ଶଲ ଭି ଆର ଚୌଧୁରୀଙ୍କ ସମେତ ବାୟୁସେନା ଓ ପ୍ରତିରକ୍ଷା ବିଭାଗର ଅନେକ ଅଧିକାରୀ ଯୋଗ ଦେଇଥିଲେ।
“ସି-୨୯୫ ବିମାନ ଭାରତୀୟ ବାୟୁସେନାର ଶକ୍ତିକୁ ଆହୁରି ବ୍ୟାପକ କରିବ। ଫଳରେ ସୀମାରେ ସୁରକ୍ଷା କରୁଥିବା ଭାରତୀୟ ସେନା ନିକଟକୁ ସୈନ୍ୟ ଓ ଯୁଦ୍ଧାସ୍ତ୍ର ପହଞ୍ଚାଇବାରେ ସୁବିଧା ହେବ। ଏହି ବିମାନ ବାୟୁସେନାର ପୁରୁଣା ପରିବହନ ବିମାନଗୁଡ଼ିକର ସ୍ଥାନ ନେବ”, କହିଛନ୍ତି ରାଜନାଥ ସିଂହ।
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ହିଣ୍ଡନ ଏୟାରବେସରେ ଆୟୋଜିତ ହେଉଥିବା ‘ଭାରତ ଡ୍ରୋନ ଶକ୍ତି’ ପ୍ରଦର୍ଶନୀ ୨୦୨୩ର ଉଦଘାଟନ କରିଥିଲେ। ଏଠାରେ ଭାରତର ବିଭିନ୍ନ ଡ୍ରୋନ କମ୍ପାନିଗୁଡ଼ିକ ସେମାନଙ୍କ ଅତ୍ୟାଧୁନିକ ଡ୍ରୋନର ପ୍ରଦର୍ଶନ କରିଥିଲେ। ଭାରତୀୟ ବାୟୁସେନା ଓ ଡ୍ରୋନ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ଏହି ୨ ଦିନିଆ ପ୍ରଦର୍ଶନୀର ଆୟୋଜନ କରାଯାଇଛି।
ଏୟାରବସ ସି-୨୯୫ ଏକ ଅତ୍ୟାଧୁନିକ ପରିବହନ ବିମାନ। ଭାରତୀୟ ବାୟୁସେନା ପାଇଁ ଏଭଳି ୫୬ଟି ବିମାନ କିଣିବାକୁ ୨୦୨୧ ମସିହାରେ କେନ୍ଦ୍ର ସରକାର ଚୁକ୍ତି କରଥିଲେ। ଏହି ୫୬ଟି ବିମାନରୁ ୧୬ଟି ସ୍ପେନରେ ତିଆରି ହେବାକୁ ଥିବାବେଳେ ବାକି ୪୦ଟି ବିମାନକୁ ଭାରତରେ ଟାଟା ଆଡଭାନ୍ସ ସିଷ୍ଟମ ଦ୍ଵାରା ନିର୍ମାଣ କରାଯିବ।
ସି-୨୯୫ ବିମାନରେ ଏକା ଥରକେ ୭୧ ଜଣ ସୈନିକ ତଥା ୯ ଟନ ଓଜନର ଯୁଦ୍ଧ ସାମଗ୍ରୀ ପରିବହନ ହୋଇପାରିବ। ଏହି ବିମାନକୁ ସାମିଲ କରାଯାଇ ଭାରତୀୟ ବାୟୁସେନାରେ ୫୦ ବର୍ଷରୁ ଅଧିକ ସମୟ ଧରି ଥିବା ଏଚ ଏସ୍ ୭୪୮ ବିମାନଗୁଡ଼ିକୁ ସେବାରୁ ବାଦ ଦିଆଯିବାକୁ ଯୋଜନା କରାଯାଇଛି।
Tags: #IndianAirForce #AirbusC-295 #TransportAircraft #India