ଓଡ଼ିଶାଲାଇଭ୍ ବ୍ୟୁରୋ
୨୨୩ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ କରିବେ କର୍ଣ୍ଣାଟକ ଭୋଟର। ୧୫ରେ ଜଣାପଡ଼ିବ କିଏ ଗଢ଼ିବ କର୍ଣ୍ଣାଟକରେ ସରକାର।
କର୍ଣ୍ଣାଟକ ବିଧାନସଭା ପାଇଁ ଶନିବାର ହେବ ଭୋଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୨୦୧୯ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ଭୋଟ କଂଗ୍ରେସ ଏବଂ ବିଜେପି ପାଇଁ ସେମି ଫାଇନାଲ ହୋଇଥିବାରୁ ଉଭୟ ଦଳ ଜୋରଦାର କସରତ କରିଛନ୍ତି। ୧୫ ତାରିଖ ଭୋଟ ଗଣତି ପରେ ହିଁ ସ୍ପଷ୍ଟ ହେବ କର୍ଣ୍ଣାଟକକୁ କିଏ ଦଖଲ କରୁଛି।
କର୍ଣ୍ଣାଟକ ନିର୍ବାଚନ ମଇଦାନରେ ପ୍ରଚାରକୁ ସର୍ଗରମ୍ କରିଥିଲେ କଂଗ୍ରେସ ଏବଂ ବିଜେପି। ବିଜେପିର ପ୍ରଚାର ମଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଧରିଥିବା ବେଳେ କଂଗ୍ରେସର ପ୍ରଚାର ମଙ୍ଗ ଧରିଥିଲେ ରାହୁଲ ଗାନ୍ଧି। କର୍ଣ୍ଣାଟକ ଦଖଲ କରିବା ପାଇଁ ଉଭୟ ଦଳର ନେତା ଭୋଟରଙ୍କ ନିକଟତର ହୋଇଥିଲେ। ଭୋଟରଙ୍କୁ ମନାଇବା ପାଇଁ ନିର୍ବାଚନୀ ଇସ୍ତାହାରରେ ଉପହାର ବର୍ଷା କରିଛନ୍ତି।
ବିଜେପି କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଭୋଟରଙ୍କୁ ଅବଗତ କରିଥିବା ବେଳେ କଂଗ୍ରେସ ମୋଦିଙ୍କ ବିଫଳତାକୁ ଲୋକଙ୍କ ଆଗରେ କହିଛି। ହେଲେ ନିର୍ବାଚନ ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଆଗୁଆ ସର୍ଭେରେ କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ସ୍ପଷ୍ଟ ସୂଚନା ମିଳିଛି। କର୍ଣ୍ଣାଟକ ନିର୍ବାଚନରେ ଜେଡି(ଏସ୍) କିଙ୍ଗ ମେକର ହେବ ବୋଲି ସର୍ଭେରୁ ଜଣାପଡ଼ିଛି।
ସର୍ଭରେୁ ଜଣାପଡ଼ିଛି ଯେ କଂଗ୍ରେସ ୯୦ରୁ ୧୦୧ ଆସନ ପାଇବାକୁ ଥିବା ବେଳେ ବିଜେପି ୭୮ରୁ ୮୬ ଆସନ ପାଇବ। ସେହିପରି ଜେଡି(ଏସ୍) ୩୪ରୁ ୪୩ ଆସନ ପାଇବ ବୋଲି ଆକଳନ କରାଯାଇଛି।
କଂଗ୍ରେସ ଏବଂ ବିଜେପି ପକ୍ଷରୁ ଯିଏ ବି ସରକାର ଗଢ଼ିବ ସେଥିରେ ଜେଡି(ଏସ୍) ପ୍ରମୁଖ ଭୂମିକା ଗ୍ରହଣ କରିବ।
ବର୍ତ୍ତମାନ କର୍ଣ୍ଣାଟକରେ ସିଦ୍ଧରମେୟାଙ୍କ ସରକାର କ୍ଷମତାରେ ରହିଛି। ଏଣୁ ସିଦ୍ଧରମେୟା ସରକାରକୁ ଗଡ଼ାଇବା ପାଇଁ ବିଜେପି ପ୍ରଚାର ବେଳେ ଜୋରଦାର ଉଦ୍ୟମ କରିଛି।