ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଲୋକସଭା ନିର୍ବାଚନ ଲାଗି ଶନିବାର ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଛି। ଓଡ଼ିଶା ସମେତ ଦେଶର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଆସନରେ ଭୋଟରମାନେ ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଏହି ସବୁ ଆସନରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି।
ଶେଷ ପର୍ଯ୍ୟାୟ ନିର୍ବାଚନରେ ସାରା ଦେଶରେ ମୋଟ ୯୦୪ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଏହାସହ ଓଡ଼ିଶାର ୪୨ଟି ବିଧାନସଭା ଆସନ ପାଇଁ ମୋଟ ୩୯୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।
ଭାରତୀୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଚତୁର୍ଥ ପର୍ଯ୍ୟାୟରେ ସାରା ଦେଶରେ ପ୍ରାୟ ୧୦ କୋଟି ୬ ଲକ୍ଷ ଭୋଟର ମତଦାନ କରିବେ। ଏଥିପାଇଁ ୧ ଲକ୍ଷ ୯ ହଜାର ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରେ ୧୦ ଲକ୍ଷ ୯୦ ହଜାର ପୋଲିଂ କର୍ମଚାରୀଙ୍କୁ ମତଦାନ ପ୍ରକ୍ରିୟା ପରିଚାଳନା କରିବାକୁ ଦାୟିତ୍ଵ ଦିଆଯାଇଛି।
ଏହି ପର୍ଯ୍ୟାୟରେ ବହୁ ହେଭିୱେଟ୍ ନେତା ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀ ଆସନରୁ ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି। ସେହିପରି ବିଜେପିରୁ ଅନୁରାଗ ସିଂହ ଠାକୁର, ରବିଶଙ୍କର ପ୍ରସାଦ, କଙ୍ଗନା ରଣାୱତ ରହିଛନ୍ତି। ଏହାସହ ଟିଏମସିରୁ ଅଭିଷେକ ବାନାର୍ଜୀ, ଆରଜେଡିରୁ ମିଶା ଭାରତୀ ପ୍ରମୁଖ ନିର୍ବାଚନ ଲଢୁଛନ୍ତି।
ଜାଣନ୍ତୁ କେଉଁ ରାଜ୍ୟରେ କେତୋଟି ଲୋକସଭା ଆସନରେ ଚାଲିଛି ମତଦାନ
- ଉତ୍ତରପ୍ରଦେଶ – ୧୩
- ପଞ୍ଜାବ – ୧୩
- ପଶ୍ଚିମବଙ୍ଗ – ୯
- ବିହାର – ୮
- ଓଡ଼ିଶା – ୬
- ହିମାଚଳ ପ୍ରଦେଶ – ୪
- ଝାଡଖଣ୍ଡ – ୩
- ଚଣ୍ଡିଗଡ଼ – ୧
Tags: #IndianGeneralElections #Voting #Voters #ECI #India