ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନରେ ନାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ଵାରା ପରିଚାଳିତ ୟୁଜିସି-ନେଟ୍ ପରୀକ୍ଷାକୁ ବାତିଲ କରାଯାଇଛି। ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ ସହକାରୀ ପ୍ରଫେସର ପଦବୀ ଏବଂ ଜୁନିୟର ରିସର୍ଚ୍ଚ ଫେଲୋସିପ୍ ପାଇଁ ଏହି ପରୀକ୍ଷା ହୋଇଥିଲା। ତେବେ ଏନଟିଏ ପକ୍ଷରୁ ହୋଇଥିବା ମେଡିକାଲ ଏଣ୍ଟ୍ରାନ୍ସ ନିଟ୍-ୟୁଜି ପରୀକ୍ଷାକୁ ନେଇ ବିବାଦ ଥମୁ ନଥିବାବେଳେ ଏବେ ୟୁଜିସି-ନେଟ୍ ପରୀକ୍ଷାକୁ ବାତିଲ ହେବା ସଂସ୍ଥା ପାଇଁ ଆହୁରି ଅଡୁଆ ବଢ଼ାଇଛି।

ଜୁନ୍ ୧୮ ତାରିଖରେ ଦେଶର ବିଭିନ୍ନ ସହରରେ ୟୁଜିସି-ନେଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଦୁଇଟି ସିଫ୍ଟରେ ଓଏମଆର ମୋଡରେ ଏହି ପରୀକ୍ଷା ହୋଇଥିଲା। ଏଥିରେ ୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ।

ତେବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର (ଆଇ୪ସି) ନ୍ୟାସନାଲ ସାଇବର କ୍ରାଇମ ଥ୍ରେଟ୍ ଆନାଲିଟିକ୍ସ ୟୁନିଟ୍‌ ପରୀକ୍ଷା ସମ୍ପର୍କରେ କିଛି ଅନିୟମିତତା ହୋଇଥିବାର ସୂଚନା ପାଇଥିଲା। ଏହା ପରୀକ୍ଷାର ସ୍ଵଚ୍ଛତା ପ୍ରତି ବଡ଼ କ୍ଷତି ହୋଇଥିବାରୁ ଏହାକୁ ବାତିଲ କରାଯାଇଥିବା ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।

ଅନ୍ୟପଟେ ଏନଟିଏ ପକ୍ଷରୁ ଆଉଥରେ ଏହି ପରୀକ୍ଷାର ଆୟୋଜନ କରାଯିବ। ଏହାର ତାରିଖ ବାବଦରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ।

ତେବେ ଏନଟିଏ ପକ୍ଷରୁ ପରିଚାଳିତ ସର୍ବଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସ ପରୀକ୍ଷା ନିଟ୍-ୟୁଜି ୨୦୨୪କୁ ନେଇ ବ୍ୟାପକ ଅନିୟମିତତାର ଅଭିଯୋଗ ହୋଇଛି। ଏହାକୁ ନେଇ ସାରା ଦେଶରେ ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ କରୁଥିବାବେଳେ ଏବେ ୟୁଜିସି-ନେଟ୍ ପରୀକ୍ଷା ବାତିଲ ହେବା ଏନଟିଏର ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।    

Tags: #UGC-NET #Examination #NTA #Education #MinistryofEducation #India

LEAVE A REPLY

Please enter your comment!
Please enter your name here