ଓଡ଼ିଶାଲାଇଭ୍ ବ୍ୟୁରୋ

କେରଳର ପ୍ରଳୟଙ୍କରୀ ଭୂସ୍ଖଳନ ଯୋଗୁଁ ମଙ୍ଗଳବାରଠାରୁ ନିଖୋଜ ଥିବା ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କର ମୃତ୍ୟୁ ହୋଇଛି। ଡାକ୍ତର ବିଷ୍ଣୁ ପ୍ରସାଦଙ୍କର ମୃତ୍ୟୁ ହୋଇଥିବା ନେଇ ବୁଧବାର ଦିନ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ। ବିଷ୍ଣୁ ପ୍ରସାଦଙ୍କ ମୃତଦେହ ଚିହ୍ନଟ କରିବା ଲାଗି ଓଡ଼ିଶାରୁ ଏକ ଟିମ୍ କେରଳ ଅଭିମୁଖେ ବାହାରିଥିବା ମନ୍ତ୍ରୀ କହିଛନ୍ତି।

ଜୁଲାଇ ୨୬ ତାରିଖରେ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରା ଓ ତାଙ୍କ ପତ୍ନୀ ଅଧ୍ୟାପିକା ପ୍ରିୟଦର୍ଶିନୀ ପାଲ, ଡାକ୍ତର ସ୍ଵାଧୀନ ପଣ୍ଡା ଓ ସ୍ଵୀକୃତି ମହାପାତ୍ର ବେଙ୍ଗାଳୁରୁ ବୁଲିବା ପାଇଁ ଯାଇଥିଲେ। ସେଠାରୁ ସେମାନେ କେରଳ ଯାଇଥିଲେ। ସେମାନେ କେରଳର ଓ୍ଵାଇନାଡର ଲିନରା ଭିଲ୍ଲାରେ ରହିଥିଲେ।

ମଙ୍ଗଳବାର ଭୋର ସମୟରେ ଓ୍ଵାଇନାଡରେ ଭୂସ୍ଖଳନ ଯୋଗୁଁ ମାଟି ମିଶା ବନ୍ୟାପାଣି ବିଭିନ୍ନ ଜନବସତୀ ଆଡ଼କୁ ମାଡ଼ି ଆସିଥିଲା। ଫଳରେ ସମସ୍ତେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଏହି ସମୟରେ ଡାକ୍ତର ବିଷ୍ଣୁ ପ୍ରସାଦ, ପ୍ରିୟଦର୍ଶିନୀ, ଡାକ୍ତର ସ୍ଵାଧୀନ ଓ ସ୍ଵୀକୃତି ସ୍ରୋତରେ ଭାସି ଯାଇଥିଲେ। ପ୍ରିୟଦର୍ଶିନୀ ଏବଂ ସ୍ଵୀକୃତୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ବିଷ୍ଣୁ ପ୍ରସାଦ ଏବଂ ଡାକ୍ତର ସ୍ଵାଧୀନଙ୍କର କୌଣସି ପତ୍ତା ମିଳିନଥିଲା।

ବୁଧବାର ଦିନ ଡାକ୍ତର ବିଷ୍ଣୁ ପ୍ରସାଦଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବାବେଳେ ବର୍ତ୍ତମାନ ସୁଦ୍ଧା ଡାକ୍ତର ସ୍ଵାଧୀନଙ୍କର କୌଣସି ଖୋଜ ଖବର ମିଳିପାରି ନାହିଁ।

Tags: #Landslide #Rain #Disaster #Wayanad #Kerela #OdiadoctorBishnuPrasadChinara #death

LEAVE A REPLY

Please enter your comment!
Please enter your name here