ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରାଖଣ୍ଡରେ ବିପର୍ଯ୍ୟୟ ଆଣିଛି ମୌସୁମୀ। ଗୁରବାର ବିଳମ୍ବିତ ରାତିରେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ଏହି ପାହାଡ଼ିଆ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି ଏବଂ ସ୍ଥିତି ବେହାଲ ହୋଇପଡ଼ିଛି। ବନ୍ୟା ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬ ଜଣ ଆହତ ହୋଇଛନ୍ତି। ଏହା ସମେତ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି ଓ ଜଣେ ୭ ବର୍ଷର ନାବାଳକ ନିଖୋଜ ଥିବା ସୂଚନା ମିଳିଛି।

ମୃତକଙ୍କ ମଧ୍ୟରେ ହରିଦ୍ବାରର ୬ ଜଣ, ତେହରିରେ ୩ ଜଣ, ଡେରାଡୁନରେ ୨ ଜଣ ଏବଂ ଚମୋଲିରେ ଜଣେ ପ୍ରାଣ ହରାଇଛନ୍ତି। କିଛି ଲୋକ ମଧ୍ୟ ଗୁରୁତର ଥିବାର ଜଣାପଡ଼ଛି। ପ୍ରବଳ ବର୍ଷା ଯୋଗୁଁ ଅନେକ ଘରେ ପାଣି ପଶି ଯାଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରେ ହୋଇଥିଲା।

ଗତ ୨୪ ଘଣ୍ଟାରେ କେବଳ ଡେରାଡୁନରେ ୧୭୨ ମିଲିମିଟର ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଉତ୍ତରାଖଣ୍ଡ ବିପର୍ଯ୍ୟୟ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ ନୈନିତାଲ ଜିଲ୍ଲାର ହଲଦ୍ବାନୀରେ ଫୁଲିଯାଇଥିବା ଝରଣାରେ ଜଣେ ୭ ବର୍ଷର ନାବାଳକ ଭାସି ଯାଇ ନିଖୋଜ ଅଛନ୍ତି।

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବିପର୍ଯ୍ୟୟ ପ୍ରଭାବିତ ଗାଁକୁ ଯାଇ ମୃତକଙ୍କ ପରିବାରକୁ ଭେଟିଛନ୍ତି। ସେ କହିଛନ୍ତି ଯେ ବନ୍ୟାର ଦୁର୍ଦ୍ଦଶାରେ ପ୍ରଭାବିତ ଲୋକଙ୍କ ସହ ଛିଡ଼ା ହୋଇଛନ୍ତି ଏବଂ ସେମାନଙ୍କୁ ସାମ୍ଭାବ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଅନ୍ୟପକ୍ଷରେ ବର୍ଷା ଯୋଗୁଁ ରାସ୍ତା ଉପରେ ପାହାଡ଼ରୁ କ୍ରମାଗତ ମାଟି ଅତଡା ଖସିବାରୁ କେଦାରନାଥ ଟ୍ରେକ ମାର୍ଗରେ ଫସି ରହିଥିବା ୧୫୦୦ରୁ ଅଧିକ ତୀର୍ଥ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି। ସ୍ଥିତିକୁ ସ୍ବାଭାବିକ କରିବା ପାଇଁ ପ୍ରଭାବିତ ଅଞ୍ଚଳରେ ପରିବହନ, ଯୋଗାଯୋଗ, ବିଜୁଳି ଓ ଜଳ ଯୋଗାଣର ବ୍ୟବସ୍ଥା କରିବାକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତେହରି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Tags: #HeavyRainfall #Monsoon #Floods #NaturalDsaster #Uttarakhand

LEAVE A REPLY

Please enter your comment!
Please enter your name here