ଓଡ଼ିଶାଲାଇଭ୍ ବ୍ୟୁରୋ
ସର୍ବଦଳୀୟ ବୈଠକରେ ବାଂଲାଦେଶ ହିଂସାକୁ ନେଇ ବିରୋଧୀଙ୍କ ସମ୍ମୁଖରେ ତଥ୍ୟ ରଖିଲେ କେନ୍ଦ୍ର ସରକାର।
ବାଂଲାଦେଶରେ ହିଂସା ଉଗ୍ର ରୂପ ଧାରଣ କରିବାପରେ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିଛନ୍ତି। ବାଂଲାଦେଶର ପରିସ୍ଥିତି ଏବେ ଚିନ୍ତାଜନକ ଥିବାବେଳେ, ଏହାକୁ ନେଇ ଭାରତ ସରକାର ମଙ୍ଗଳବାର ଏକ ସର୍ବଦଳୀୟ ବୈଠକ କରିଛନ୍ତି। ଏଥିରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ନେତାମାନେ ସାମିଲ ହୋଇଥିଲେ। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବୈଠକରେ ଅଧ୍ୟକ୍ଷତା କରିଥିଲେ।
ଏହି ବୈଠକରେ ବାଂଲାଦେଶ ହିଂସା ବାବଦରେ ବିରୋଧୀ ନେତାଙ୍କ ସମ୍ମୁଖରେ ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର। ହିଂସାକୁ ଦୃଷ୍ଟିରେ ରଖି ଭାରତ ନେଇଥିବା ସୁରକ୍ଷା ପଦକ୍ଷେପଗୁଡ଼ିକ ବିଷୟରେ ବିରୋଧୀଙ୍କୁ ଜଣାଇଥିଲେ ବୈଦେଶିକ ମନ୍ତ୍ରୀ।
“ବାଂଲାଦେଶ ହିଂସାରେ ଭାରତ ପ୍ରତି ବିଶେଷ କିଛି ସଙ୍କଟ ନାହିଁ। ଏଥିପାଇଁ ସବୁ ଦିଗ ପ୍ରତି ଭାରତ ସରକାର ଆଲର୍ଟ ରହିଛନ୍ତି। ଏହାସହିତ ବାଂଲାଦେଶରେ ପାଖାପାଖି ୧୨ରୁ ୧୩ ହଜାର ଭାରତୀୟ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଏବେ ଭାରତକୁ ଫେରିଆସିବେ। ତେବେ ସେଠାରେ ସ୍ଥିତି ଏତେ ଗମ୍ଭୀର ନଥିବାରୁ ସେମାନଙ୍କୁ ଏୟାରଲିଫ୍ଟ କରି ଅଣାଯିବାର ଏପର୍ଯ୍ୟନ୍ତ କିଛି ଆବଶ୍ୟକତା ପଡ଼ିନାହିଁ” କହିଛନ୍ତି ଏସ୍ ଜୟଶଙ୍କର।
ଏହି ବୈଠକରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବାଂଲାଦେଶରେ ହିଂସା ମଧ୍ୟରେ ହେଉଥିବା ଭାରତ ବିରୋଧୀ ଗତିବିଧି ଉପରେ ରଣନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବେ ଭାରତରେ ଅଛନ୍ତି। ଭାରତ ସରକାର ତାଙ୍କୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ ଆଉ କେଉଁ ଦେଶରେ ରାଜନୈତିକ ଶରଣ ନେବେ କି ନାହିଁ, ସେ ବିଷୟରେ ଏ ଯାଏଁ କୌଣସି ସୂଚନା ମିଳିନାହିଁ।
ଏହି ସର୍ବଦଳୀୟ ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ ପି ନଡ୍ଡା, କଂଗ୍ରେସ ନେତା କେ ସି ବେଣୁଗୋପାଲ, ସମାଜବାଦୀ ପାର୍ଟି ନେତା ରାମଗୋପାଲ ଯାଦବ, ଟିଏମସି ନେତା ସୁଦୀପ ବନ୍ଦୋପାଧ୍ୟାୟ, ଡେରିକ୍ ଓ’ବ୍ରାଏନ, ଶିବସେନା (ୟୁବିଟି) ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀଙ୍କ ସମେତ ଅନ୍ୟ ବିରୋଧୀ ଦଳର ନେତାମାନେ ସାମିଲ ହୋଇଥିଲେ।
Tags: #BangladeshViolence #IndianGovt #AllPartyMeeting #MinistryofExternalAffairs #India