ଓଡ଼ିଶାଲାଇଭ୍ ବ୍ୟୁରୋ
ଜର୍ମାନ ଯୁବତୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ଜେଲ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ମହାନ୍ତିଙ୍କର ପରଲୋକ ହୋଇଛି। କିଛି ମାସ ହେଲା ଲିଭର କ୍ୟାନ୍ସରରେ ପୀଡ଼ିତ ଥିବା ବିତ୍ତିହୋତ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ରବିବାର ବଳମ୍ବିତ ରାତିରେ ଦେହାନ୍ତ ହୋଇଛି।
ବିତ୍ତିହୋତ୍ର ପ୍ରଥମେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରାୟ ଦେଢ଼ ମାସ ହେବ ଚିକିତ୍ସା ପାଇଁ ଭୁବନେଶ୍ଵରସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଗତ ୨୦୦୬ ମସିହାରେ ଜର୍ମାନ ଯୁବତୀ ତଥା ସହପାଠୀଙ୍କୁ ଦୁଷ୍କର୍ମ କରିବା ନେଇ ବିତ୍ତିହୋତ୍ରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ବିତ୍ତିହୋତ୍ରଙ୍କୁ ଗିରଫ କରିଥିଲା ରାଜସ୍ଥାନ ପୋଲିସ।
ଦୁଷ୍କର୍ମ ମାମଲାରେ ରାଜସ୍ଥାନ ଫାଷ୍ଟଟ୍ରାକ୍ କୋର୍ଟ ବିତ୍ତିହୋତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଥିଲେ। ଜେଲରେ ଥିବାବେଳେ ବିତ୍ତିହୋତ୍ର ମା’ଙ୍କ ଦେହ ଖରାପ ଥିବା ଦର୍ଶାଇ ପାରୋଲରେ ଘରକୁ ଆସିଥିଲେ। ପାରୋଲ ସମୟ ପୂର୍ଣ୍ଣ ହୋଇଥିଲେ ମଧ୍ୟ ଜେଲକୁ ନଫେରି ଫେରାର ହୋଇଯାଇଥିଲେ ବିତ୍ତିହୋତ୍ର।
ପରେ ନିଜ ନାଁ ବଦଳାଇ ବିତ୍ତିହୋତ୍ର କେରଳର ଏକ ବ୍ୟାଙ୍କରେ ଚାକିରି କରିବା ସମୟରେ ଗତ ୨୦୨୩ ମସିହାରେ ଧରାପଡ଼ିଥିଲେ। ଏହା ପରେ ପୂର୍ବର ଦୁଷ୍କର୍ମ ମାମଲା ସହ ଫେରାର ହେବା ଘଟଣାରେ ସେ ଜେଲ ଯାଇଥିଲେ। ପରେ ବିତ୍ତିହୋତ୍ର କ୍ୟାନ୍ସରରେ ପୀଡ଼ିତ ଥିବା ଜଣାପଡ଼ିଥିଲା। କ୍ୟାନ୍ସର ପୀଡ଼ିତ ହେବାରୁ ସେ ଆଗୁଆ ମୁକ୍ତି ପାଇଁ ଆବେଦନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ମୁକ୍ତି ଆବେଦନ ଖାରଜ କରିଦେଇଥିଲେ।
ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
Tags: #BitihotraMohanty #Cancer #Treatment #Odisha