ଆଶିଷ କୁମାର ରାୟ

ବୟସ ମାତ୍ର ୨୧ ବର୍ଷ ୨୪ ଦିନ। ଏତେ ଛୋଟ ବୟସରେ ସେ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ଜିତିଛନ୍ତି ବ୍ରୋଞ୍ଜ ପଦକ। କୁସ୍ତି ପ୍ରତିଯୋଗିତାର ୫୭ କିଲୋଗ୍ରାମ ବର୍ଗରେ ଏହି ସଫଳତା ହାସଲ କରି ସେ ବନି ଯାଇଛନ୍ତି ଭାରତର ସର୍ବକନିଷ୍ଠ ଅଲିମ୍ପିକ୍ସ ପଦକ ବିଜେତା। ସେ ହେଉଛନ୍ତି ଭାରତୀୟ କୁସ୍ତି ବୀର ଅମନ ସେହରାୱତ।

୨୦୧୬ର ରିଓ ଅଲିମ୍ପିକ୍ସରେ ଭାରତର ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ୨୧ ବର୍ଷ ୪୫ ଦିନର ହୋଇଥିବା ସମୟରେ ଜିତିଥିଲେ ରୌପ୍ୟ ପଦକ। ସବୁଠୁ କମ ବୟସରେ ଅଲିମ୍ପିକ୍ସ ପଦକ ଜିତିବାର ରେକର୍ଡ ସେବେଠାରୁ ସିନ୍ଧୁଙ୍କ ନାମରେ ରହିଥିଲା। ଗତ ଅଗଷ୍ଟ ୯ ତାରିଖ ଦିନ ଅମନ ସେହରାୱତ ଏହି ରେକର୍ଡକୁ ନିଜ ନାମରେ କରି ନେଇଛନ୍ତି।

କୁସ୍ତିର ପ୍ରାରମ୍ଭିକ କୃତିତ୍ୱ ଓ ଛତ୍ରଶାଲ ଆଖଡ଼ାରେ ପ୍ରଶିକ୍ଷଣ  

୧୬ ଜୁଲାଇ ୨୦୦୩ରେ ହରିୟାଣାର ବିରୋହର ନାମକ ଏକ ଗ୍ରାମରେ ଜନ୍ମ ନେଇଥିଲେ ଅମନ ସେହରାୱତ। ପିଲାଦିନୁ ନିଜ ଗ୍ରାମ ତଥା ନିକଟସ୍ଥ ଗ୍ରାମମାନଙ୍କରେ ହେଉଥିବା କୁସ୍ତି ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରୁଥିଲେ। ଖୋଲାପଡ଼ିଆରେ ତଥା ଭୂମି ଉପରେ ଆୟୋଜିତ ହେଉଥିବା ସେହି କୁସ୍ତି ପ୍ରତିଯୋଗିତା କୃତିତ୍ୱ ହାସଲ କରିବା ଥିଲା ତାଙ୍କର ପ୍ରାରମ୍ଭିକ ସଫଳତା। ଏଥି ସହିତ ଭବିଷ୍ୟତରେ ଜଣେ ନାମଜାଦା ପହିଲମାନ ହେବାର ଝଲକ ମଧ୍ୟ ସେହିଠାରୁ ମିଳିଥିଲା।

ପ୍ରକୃତରେ ୨୦୧୨ର ଲଣ୍ଡନ ଅଲିମ୍ପିକରେ ଭାରତର ପ୍ରସିଦ୍ଧ ତାରକା ସୁଶିଲ କୁମାରଙ୍କୁ ରୌପ୍ୟ ପଦକ ଜିତିବାର ଦେଖି ଅମନ କୁସ୍ତି ପ୍ରତି ଆଗ୍ରହୀ ହୋଇଥିଲେ। ମାତ୍ର ନଅ ବର୍ଷ ବୟସରୁ ଆରମ୍ଭ ହୋଇଥିଲା ତାଙ୍କର କୁସ୍ତି ଖେଳ। ୧୦ବର୍ଷ ବୟସରେ ସେ ଦିଲ୍ଲୀର ଛତ୍ରଶାଲ ଷ୍ଟାଡିୟମରେ ଥିବା କୁସ୍ତି ଆଖଡ଼ାରେ ଭର୍ତ୍ତି ହୋଇଥିଲେ।

ମାତା ଓ ପିତାଙ୍କ ଦେହାନ୍ତ  

ଅମନ ମାତ୍ର ୧୧ ବର୍ଷର ହୋଇଥିବାବେଳେ ପ୍ରଥମେ ମାତା କମଲେଶ ଏବଂ ପରେ ପରେ ପିତା ସୋମବୀରଙ୍କୁ ହରାଇଥିଲେ। ମାତାପିତା ଉଭୟଙ୍କ ମୃତ୍ୟୁ ନିଶ୍ଚିତ ଭାବେ ଥିଲା ଅତ୍ୟନ୍ତ ଦୁଃଖଦ ଘଟଣା। ଏହି ଘଟଣାରେ ଅମନ ଗଭୀର ଆଘାତ ପାଇଥିଲେ ଏବଂ ଖେଳ ଛାଡ଼ିଦେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହା ହେଉ ସେହି ସମୟରେ କକା ସୁଧୀର ସେହରାୱତ ତାଙ୍କୁ ସମ୍ଭାଳିଲେ ଏବଂ କିଛି ଦିନ ମଧ୍ୟରେ ପୁନର୍ବାର ସେ ଛତ୍ରଶାଲ ଆଖଡ଼ାରେ ପ୍ରଶିକ୍ଷଣ ନେବାକୁ ଲାଗିଲେ।

ଜୁନିୟର ସ୍ତରରେ ସଫଳତା

ରାଜ୍ୟ ଓ ଜାତୀୟ ସ୍ତରରେ ସଫଳତା ହାସଲ କରିବା ପରେ ଭାରତୀୟ ଜୁନିୟର ଦଳରେ ଅମନଙ୍କର ଚୟନ ହୋଇଗଲା। ସେ କ୍ରୋଏସିଆର ଜାଗ୍ରବଠାରେ ଆୟୋଜିତ ୨୦୧୮ର ବିଶ୍ୱ କ୍ୟାଡେଟ୍ କୁସ୍ତି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିଲେ।

ଏହାର ପରବର୍ଷ ଅର୍ଥାତ୍ ୨୦୧୯ରେ ବୁଲଗେରିଆର ସୋଫିଆଠାରେ ମଧ୍ୟ ସେ କ୍ୟାଡେଟ୍ ପ୍ରତିଯୋଗିତାରେ ପୁନର୍ବାର ବ୍ରୋଞ୍ଜ ପଦକ ଜିତିଲେ। ସେହିବର୍ଷ କାଜାଖସ୍ତାନର ନୂର ସୁଲତାନଠାରେ ଅନୁଷ୍ଠିତ ଏସୀୟ କ୍ୟାଡେଟ୍ କୁସ୍ତିରେ ଅମନଙ୍କୁ ମିଳିଥିଲା ସ୍ଵର୍ଣ୍ଣ ପଦକ।

ତେବେ ୨୦୨୨ରେ କିରଗିଜସ୍ତାନର ବିସ୍‌କେକ୍‌ଠାରେ ୨୩ ବର୍ଷରୁ କମ ଏସୀୟ କୁସ୍ତି ତଥା ସ୍ପେନର ପୋଣ୍ଟେଭେଦ୍ରେଠାରେ ୨୩ ବର୍ଷରୁ କମ ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିବା ଥିଲା ତାଙ୍କର ବଡ଼ ଧରଣର ସଫଳତା। ଏହି ସଫଳତା ତାଙ୍କୁ ସିନିୟର ସ୍ତରରେ ମଧ୍ୟ ପ୍ରତିଦ୍ଵନ୍ଦ୍ଵିତା କରିବା ନିମନ୍ତେ ପ୍ରେରଣା ଯୋଗାଇଲା।

ରବି ଦହିୟାଙ୍କ ବିରୁଦ୍ଧରେ ବିଜୟ

୨୦୨୨ ଓ ୨୩ରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଗ୍ରାଁ ପ୍ରି ରେସ୍‌ଲିଂର ୫୭ କିଲୋଗ୍ରାମ ବର୍ଗରେ ଅମନଙ୍କୁ ମିଳିଥିଲା ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ। ୨୦୨୩ରେ ଅନୁଷ୍ଠିତ ହାଙ୍ଗଝାଉ ଏସିଆଡ଼ରେ ତାଙ୍କୁ ମିଳିଥିଲା ବ୍ରୋଞ୍ଜ ପଦକ। ୨୦୨୩ରେ କାଜାଖସ୍ତାନର ଆସ୍ତାନାରେ ଅନୁଷ୍ଠିତ ଏସୀୟ କୁସ୍ତି ଚାମ୍ପିୟନସିପରେ ମଧ୍ୟ ଅମନ ଅଂଶଗ୍ରହଣ କରି ସ୍ୱର୍ଣ୍ଣପଦକ ଜିତିଥିଲେ।

ପୂର୍ବରୁ ରବି କୁମାର ଦହିୟା ୨୦୨୧ରେ ଆୟୋଜିତ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ। ୨୦୨୩ରେ ଅନୁଷ୍ଠିତ ଟ୍ରଏଲ୍‌ରେ କିନ୍ତୁ ଅମନ ସେହରାୱତ ପରାଜିତ କରିଥିଲେ ରବି ଦହିୟାଙ୍କୁ, ଯାହା ଫଳରେ କି ଏସୀୟ କ୍ରୀଡ଼ା ଓ ଏସୀୟ ଚାମ୍ପିଆନଶିପରେ ରବିଙ୍କ ବଦଳରେ ଅମନଙ୍କୁ ଦେଖିବାକୁ ମିଳିଥିଲା। ମାର୍ଚ୍ଚ ୨୦୨୩ରେ ଅନୁଷ୍ଠିତ ଅଲିମ୍ପିକ ଯୋଗ୍ୟତାପର୍ଯ୍ୟାୟ ପ୍ରତିଯେଗିତାରେ ଅମନ ଅଂଶଗ୍ରହଣ କରି ଭାରତ ପାଇଁ କୋଟା ସ୍ଥାନ ହାସଲ କରିଥିଲେ ।

ଅଲିମ୍ପିକ୍ସରେ ଦମଦାର୍ ପ୍ରଦର୍ଶନ

ପ୍ୟାରିସ ଅଲିମ୍ପିକ୍ସର ପ୍ରିକ୍ୱାର୍ଟର ଫାଇନାଲରେ ଅମନ ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ୧୦-୦ର ଟେକ୍ନିକାଲ ସୁପେରିୟରିଟିରେ ପରାସ୍ତ କରିଥିଲେ ମାସିଡୋନିଆର ଭ୍ଲାଦିମିର ଏଗୋରୋଭଙ୍କୁ। ସେହିଭଳି କ୍ୱାର୍ଟର ଫାଇନାଲରେ ମଧ୍ୟ ସମାନ ଢଙ୍ଗରେ ୧୨-୦ରେ ସେ ହରାଇଥିଲେ ଆଲବାନିଆର ଜେଲିମ୍‌ଖାନ୍ ଅବକାରୋଭଙ୍କୁ। ସେମି ଫାଇନାଲର କିନ୍ତୁ ଜାପାନର ରେଇ ହିଗୁଚି ତାଙ୍କୁ ପରାସ୍ତ କରିଦେଲେ ୧୦-୦ରେ। ଫାଇନାଲକୁ ଯିବାରୁ ବଞ୍ଚିତ ହେବାପରେ ଅଗଷ୍ଟ ୯ ତାରିଖ ଦିନ ବ୍ରୋଞ୍ଜ ପଦକ ମୁକାବିଲାରେ ଅମନ ଚମତ୍କାର ପ୍ରଦର୍ଶନ କରି ୧୩-୫ରେ ପରାସ୍ତ କଲେ ପୁଏର୍ତୋ ରିକୋର ଡେରିଆନ୍ କ୍ରୁଜ୍‌ଙ୍କୁ।

ଅଗଷ୍ଟ ୮ ତାରିଖ ଦିନ ସେମି ଫାଇନାଲ ମୁକାବିଲା ପରେ ଅମନଙ୍କ ଓଜନ ପ୍ରାୟ ୪ କିଲୋ ୬୦୦ ଗ୍ରାମ୍ ବୃଦ୍ଧି ପାଇଥିଲା। ବିଭିନ୍ନ ପ୍ରକାର ଉପାୟ କରି ସେ ୧୦ ଘଣ୍ଟା ମଧ୍ୟରେ ଏହାକୁ କମାଇବା ସହିତ ପରବର୍ତ୍ତୀ ଦିବସରେ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇରେ ସେ ଅବତୀର୍ଣ୍ଣ ହୋଇଥିଲେ। ଯେଉଁ କାର୍ଯ୍ୟ ବିନେଶ ଫୋଗାଟ୍ କରିପାରିଲେ ନାହିଁ ତାହା ସେ କରିବାରେ ସମର୍ଥ ହେଲେ।

ଅମନ ସେହେରାୱତ ସଫଳତା ତାଙ୍କୁ ଏବେ ପହଞ୍ଚାଇ ଦେଇଛି ପ୍ରସିଦ୍ଧିର ଶିଖରରେ। ସେ ହୋଇଯାଇଛନ୍ତି ଭାରତର ସର୍ବ କନିଷ୍ଠ ଅଲିମ୍ପିକ୍ସ ପଦକ ବିଜେତା। ୨୧ ବର୍ଷରେ ଏଭଳି କୃତିତ୍ୱ ହାସଲ କରିଥିବା ଦୃଷ୍ଟିରୁ ଆଗମୀ ସମୟରେ ବିଭିନ୍ନ ପ୍ରତିଯୋଗିତାମାନଙ୍କରେ ତାଙ୍କଠାରୁ ବହୁତ କିଛି ଆଶା କରିଯିବା ସ୍ୱାଭାବିକ।  ବିଶେଷ କରି ୨୦୨୮ର ଲସ୍ ଆଞ୍ଜଲସ୍ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣପଦକ ଜିତି ଦେଶକୁ ଗୌରାବାନ୍ୱିତ କରିବେ ବୋଲି ଆଶା କରାଯାଇପାରେ। ସ୍ୱଳ୍ପ ବୟସରେ ପିତାମାତାଙ୍କ ମୃତ୍ୟୁ ପରେ ସେ ଯେଭଳି ଭାବେ ନିଜକୁ ସମ୍ଭାଳି କୁସ୍ତିରେ ପାରଦର୍ଶିତା ହାସଲ କରିଛନ୍ତି ତାହା ଅମନଙ୍କ ଦୃଢ଼ ମାନସିକତାକୁ ହିଁ ଦର୍ଶାଉଛି।

Tags: #ParisOlympics #AmanSehrawat #BronzeMedal #Wrestling #Sports #India

LEAVE A REPLY

Please enter your comment!
Please enter your name here