ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ତୀବ୍ର ଆନ୍ଦୋଳନ ଜାରି ରଖିଛନ୍ତି ପଶ୍ଚିମବଙ୍ଗର ବିଭିନ୍ନ ଛାତ୍ର ସଂଗଠନ। ମଙ୍ଗଳବାର ହଜାର ହଜାର ଛାତ୍ରଛାତ୍ରୀ କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟ ଘେରଉ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ସହ ସେମାନଙ୍କ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଛାତ୍ରଛାତ୍ରୀ ଘେରଉ କରିବାକୁ ଯିବା ସମୟରେ ଉତ୍ତେଜନା ଦେଖା ଦେଇଥିଲା। ସେମାନଙ୍କ ରୋକିବା ପାଇଁ ପୋଲିସ ପକ୍ଷରୁ ରାସ୍ତାକୁ ବ୍ୟାରିକେଡ ଦେଇ ସିଲ୍ କରାଯାଇଥିଲା। ଛାତ୍ରଛାତ୍ରୀମାନେ ବ୍ୟାରିକେଡ ଡେଇଁ ଯିବା ସମୟରେ ସେମାନଙ୍କ ଉପରକୁ ଟିୟର ଗ୍ୟାସ, ରବର ବୁଲେଟ ତଥା ପାଣି ମାଡ଼ କରିଥିଲେ ପୋଲିସ କର୍ମୀ। ଏଥିରେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।    

କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରି ଛାତ୍ର ସଂଗଠନମାନେ ଆନ୍ଦୋଳନ ଜାରି ରଖିଛନ୍ତି। ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିବା ସହ ଗୃହ ଏବଂ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ରହିଛନ୍ତି। ଏଥିଲାଗି ଆନ୍ଦୋଳନକାରୀମାନେ ତାଙ୍କ ଇସ୍ତଫା ଦାବି କରିଛନ୍ତି।

ଛାତ୍ର ସଂଗଠନମାନେ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ‘ନବାନ୍ନ’ ଘେରଉ କରିବାକୁ ଯୋଜନା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା କରାଯାଇଥିଲା। ଏନେଇ ସୋମବାର କିଛି ଛାତ୍ର ନେତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା।  

Tags: #KolkataRapeandMurderCase #TraineeDoctor #MedicalStudent #Protest #Kolkata 

LEAVE A REPLY

Please enter your comment!
Please enter your name here