ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଚଳିତବର୍ଷ ଆରମ୍ଭ ହେବ ‘ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’। ଯୋଜନା ଅନ୍ତର୍ଗତ ଏହି ବର୍ଗର ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫୦୦୦ ଟଙ୍କାର ଆର୍ଥିକ ସହାୟତା ମିଳିବ। ଯୋଜନାକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।
ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ପାଇଁ ୧୫୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ରାଜ୍ୟର ୩ ଲକ୍ଷ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀ ଉପକୃତ ହେବେ। ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍କୁଲ ଡ୍ରପଆଉଟ୍ ସମସ୍ୟାକୁ ଦୂରେଇବା ପାଇଁ ସରକାର ଏହି ଯୋଜନା ଆଣିଛନ୍ତି।
“ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନେ ଆର୍ଥିକ ସମସ୍ୟା ଯୋଗୁଁ ଅଧାରୁ ପାଠ ପଢା ଛାଡ଼ି ଦେଉଥିବା ଲକ୍ଷ୍ୟ କରାଯାଉଛି। ଏହା ରାଜ୍ୟ ପାଇଁ ବଡ଼ ଚିନ୍ତାର ବିଷୟ। ଏହି ସମସ୍ୟାକୁ ଦୂର କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ ଆଣିବାକୁ ଯାଉଛନ୍ତି”, କହିଛନ୍ତି ଡକ୍ଟର ମୁକେଶ ମହାଲିଙ୍ଗ।
ତେବେ ଏହି ଯୋଜନାର ରୂପରେଖ କ’ଣ ରହିବ ଏବଂ କେଉଁ ଦିନରୁ ଏହା ଆରମ୍ଭ ହେବ, ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗକୁ ବିଜ୍ଞପ୍ତି ପ୍ରକାଶ ପାଇବ।
Tags: #SaheedMadhoSinghHathaKcharchaYojana #SCSTStudents #Education #Odisha