ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରରେ ଏବେ ଜାରି ରହିଛି ବିଧାନସଭା ନିର୍ବାଚନ। ଏଥିରେ ପ୍ରଥମ ପର୍ଯ୍ୟାୟ ପରେ ବୁଧବାର ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସରିଛି। ଏହି ଅବସରରେ ଅନେକ ବିଦେଶୀ କୂଟନୀତିଜ୍ଞ ଜମ୍ମୁ କଶ୍ମୀର ପରିଦର୍ଶନରେ ଆସି ନିର୍ବାଚନ ପ୍ରକ୍ରିୟାକୁ ଦେଖିଛନ୍ତି। ୫ ବର୍ଷ ପରେ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ହେଉଥିବା ନିର୍ବାଚନରେ ଭୋଟରଙ୍କ ଉତ୍ସାହ ଓ ନିର୍ବାଚନ ପରିଚାଳନାକୁ ସେମାନେ ପ୍ରଶଂସା କରିଛନ୍ତି।

ଜମ୍ମୁ କଶ୍ମୀରରେ ବିଦେଶୀ କୂଟନୀତିଜ୍ଞ

ଜମ୍ମୁ କଶ୍ମୀରରେ ବୁଧବାର ଦ୍ଵିତୀୟ ପର୍ଯ୍ୟାୟ  ନିର୍ବାଚନ ସ୍ଥିତି ଦେଖିବା ପାଇଁ ଆମେରିକା, ନରୱେ, ସିଙ୍ଗାପୁର, ଦକ୍ଷିଣ କୋରିଆ, ସୋମାଲିଆ, ପାନାମା, ନାଇଜେରିଆ, ସ୍ପେନ, ଦକ୍ଷିଣ ଆଫ୍ରିକା, ତାଞ୍ଜାନିଆ, ରୱାଣ୍ଡା, ଆଲଜେରିଆ ଏବଂ ଫଲିପାଇନ୍ସ ଭଳି ୧୬ଟି ଦେଶର କୂଟନୀତିଜ୍ଞ ପ୍ରତିନିଧି ଦଳ ପହଞ୍ଚିଥିଲେ। ସେମାନେ ବଡ଼ଗାମ ଜିଲ୍ଲାର ଓମପୋରା ମତଦାନ କେନ୍ଦ୍ରକୁ ଯାଇ ନିର୍ବାଚନ ପ୍ରକ୍ରିୟା ଦେଖି ଖୁସି ହୋଇଥିଲେ।

ଏହି ପ୍ରତିନିଧି ମଣ୍ଡଳଙ୍କୁ ନିର୍ବାଚନୀ ପ୍ରକ୍ରିୟାକୁ ଅତି ନିକଟରୁ ଦେଖାଇବା ଭାରତର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏଥିସହିତ ଜମ୍ମୁ କଶ୍ମୀରରେ ଶାନ୍ତି ଓ ସ୍ଥିରତା ପାଇଁ କେନ୍ଦ୍ର ସରକାର ଉଠାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ସେମାନଙ୍କୁ ଅବଗତ କରାଯାଇଥିଲା।

ଏହି ଗସ୍ତ କେବଳ ଜମ୍ମୁ କଶ୍ମୀରର ରଜନୈତିକ, ସମାଜିକ ସ୍ଥିତିକୁ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଉପସ୍ଥାପନ କରିବା ଉଦ୍ଦେଶ୍ୟ ରଖି ଆୟୋଜନ କରାଯାଇ ନାହିଁ ବରଂ ଏହି କେନ୍ଦ୍ରଶାସିତ ଅଞ୍ଚଳରେ କିପରି ବିକାଶ ପଥରେ ଅଗ୍ରଗତି କରୁଛି ଏବଂ ଏଥିପାଇଁ କେନ୍ଦ୍ର ସରକାରଙ୍କୁ କ’ଣ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି ସେ ସମ୍ପର୍କରେ ଜଣାଇବା ମଧ୍ୟ ଆଉ ଏକ ଉଦ୍ଦେଶ୍ୟରେ ଥିଲା। ଏନେଇ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

୨୦୧୯ ପରେ ପ୍ରଥମ ନିର୍ବାଚନ

୨୦୧୯ରେ ଜମ୍ମୁ-କଶ୍ମୀରକୁ ନେଇ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦ ଧାରାକୁ ଜମ୍ମୁ-କଶ୍ମୀରରୁ ହଟାଇ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ କରି ଦିଆଗଲା। ଏହା ପରେ ଏଠାରେ ସ୍ଥିତିରେ ପରିବର୍ତ୍ତନ ଆସିବା, ଗଣତାନ୍ତ୍ରିକ ପ୍ରକ୍ରିୟା ଠିକଭାବେ କାର୍ଯ୍ୟକାରୀ କରାଯିବା ନେଇ ସରକାର ଚେଷ୍ଟା କରୁଥିବା କହି ଆସୁଛନ୍ତି। ଏହି ନିର୍ବାଚନ ସେହି ପ୍ରଚେଷ୍ଟାର ଏକ ଅଂଶବିଶେଷ।

ଏଠାରେ ନିର୍ବାଚନ କରାଇ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରର ଶାସନ ବ୍ୟବସ୍ଥା ଯେ ଲୋକତାନ୍ତ୍ରିକ ପ୍ରକ୍ରିୟାରେ ଚାଲିଛି ଏହିପରି ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର। ଗୋଟିଏ ପଟେ ପାକିସ୍ତାନର ସୋସିଆଲ ମିଡିଆରେ ଜମ୍ମୁ କଶ୍ମୀରର ନକାରାତ୍ମକ ଛବି ପ୍ରଚାର କରି ଭାରତ ବିରୋଧରେ ପ୍ରଚାର ଚଳାଇଛି। ଏପଟେ ଜମ୍ମୁ କଶ୍ମୀରରେ ନିର୍ବାଚନ କରାଇ ଘାଟିର ସ୍ଥିତିରେ ଯେ ସୁଧାର ଆସିଛି ତାହା ସାରା ବିଶ୍ୱକୁ ଦେଖାଇବାର ଚେଷ୍ଟା କରିଛି ଭାରତ।

ଜମ୍ମୁ କଶ୍ମୀର ନିର୍ବାଚନ ଉପରେ ସାରା ବିଶ୍ୱର ନଜର

ଜମ୍ମୁ କଶ୍ମୀର ନିର୍ବାଚନ ଉପରେ ସାରା ବିଶ୍ୱର ରହିଛି ନିଜର। ଏହି ରାଜ୍ୟରୁ ଧାରା ୩୭୦ ହଟିବା ପରେ ପାକିସ୍ଥାନ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଅନ୍ତର୍ଜାତୀୟ ସ୍ତରରେ ବଦନାମ କରିବାକୁ ଚାହିଁ ବସିଛି। ଏପରି ପରିସ୍ଥିତିରେ ଏଠାରେ ବିକାଶର ଧାରାକୁ ଆଗକୁ ନେବାରେ କ’ଣ ଉଦ୍ୟମ ହୋଇଛି ଏବଂ ନିର୍ବାଚନ କିପରି ନିରପେକ୍ଷ ଏବଂ ସଫଳତାର ସହ କରାଯାଉଛି ତାହାର ଚିତ୍ର ଅନ୍ତର୍ଜାତୀୟ ସ୍ତରରେ ରଖିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର। ଏହି ବିଦେଶୀ କୂଟନୀତିଜ୍ଞ ଦଳ ଅନ୍ତର୍ଜାତୀୟ ସ୍ତରରେ ଏକ ପ୍ରାମାଣିକ ତଥ୍ୟ ଦେଇ ପାରିବେ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।

Tags: #JammuKashmirAssemblyElections2024 #Voting #Voters #ECI #ForeignDelegates #India    

LEAVE A REPLY

Please enter your comment!
Please enter your name here