ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନାଗରିକତାକୁ ନେଇ ପୁଣି ଥରେ ଉଠିଛି ବିବାଦ। ଲକ୍ଷ୍ନୌ ହାଇକୋର୍ଟଠାରୁ ଆରମ୍ଭ କରି ଦିଲ୍ଲୀ ହାଇକୋର୍ଟ ପର୍ଯ୍ୟନ୍ତ ସବୁଠି ରାହୁଲଙ୍କ ନାଗରିକତାକୁ ନେଇ ଶୁଣାଣି ଚାଲିଛି। ଏହି ପ୍ରସଙ୍ଗରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଗୃହ ମନ୍ତ୍ରାଳୟକୁ ସ୍ପଷ୍ଟୀକରଣ ମାଗିଛନ୍ତି।

ଲକ୍ଷ୍ନୌ ହାଇେକାର୍ଟରେ ଯେଉଁ ମାମଲା ଦାଏର କରାଯାଇଛି ଏଥିରେ ରାହୁଲ ବିଦେଶୀ ନାଗରିକ ବୋଲି ଦାବି କରାଯାଇଛି। ଜଷ୍ଟିସ ରାଜନ ରାୟ ଏବଂ ଜଷ୍ଟିସ ଓମ ପ୍ରକାଶ ଶୁକ୍ଳାଙ୍କ ବେଞ୍ଚ ଅତିରିକ୍ତ ସଲିସିଟର ଜେନେରାଲଙ୍କୁ ଏହି ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରାଳୟଠାରୁ ତଥ୍ୟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ରାହୁଲଙ୍କ ନାଗରିକତା ସମ୍ବନ୍ଧିତ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ଚାଲିଛି।

୨୦୨୪ ଜୁଲାଇରେ ଲକ୍ଷ୍ନୌ ହାଇେକାର୍ଟରେ ହୋଇଥିଲା ଆବେଦନ

ରାହୁଲଙ୍କ ନାଗରିକତା ବାବଦରେ ଲକ୍ଷ୍ନୌ ହାଇେକାର୍ଟରେ ଏସ.ବିଘ୍ନେଶ ଶିଶିର ୨୦୨୪ ଜୁଲାଇରେ ପ୍ରଥମେ ଆବେଦନ କରିଥିଲେ। ହେଲେ  ଶିଶିରଙ୍କ ଆବେଦନକୁ କୋର୍ଟ ଖାରଜ କରି ଦେଇଥିଲେ ଏବଂ ସିଟିଜେନସିପ ଆକ୍ଟ ଅନୁଯାୟୀ ସକ୍ଷମ ପ୍ରାଧିକାରୀଙ୍କ ନିକଟରେ ଅଭିଯୋଗ କରିପାରିବେ ବୋଲି କୋର୍ଟ ଶୁଣାଇ ଦେଇଥିଲେ।

ଏହାପରେ ଦୁଇ ଦୁଇ ଥର ସକ୍ଷମ ପ୍ରାଧିକାରୀଙ୍କ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ସଂପୃକ୍ତ ଅଧିକାରୀ କୌଣସି ପଦକ୍ଷେପ ନେଇ ନଥିବା ଶିଶିର ଅଭିଯୋଗ କରିଛନ୍ତି। ଯାହା ଫଳରେ ସେ ଏହି ମାମଲାରେ ସେପ୍ଟେମ୍ବର ୧୨ ତାରିଖରେ ତୃତୀୟ ଥର ପାଇଁ ଲକ୍ଷ୍ନୌ ହାଇକୋର୍ଟ ଆବେଦନ କରିଥିବା କହିଛନ୍ତି। ସେ ଏହି ଜନହିତ ମାମଲାରେ ରାହୁଲଙ୍କୁ ୟୁନାଇଟେଡ କିଙ୍ଗଡମ(ୟୁକେ)ର ନାଗରିକ ବୋଲି ଦାବି କରିଛନ୍ତି।

ଶିଶିର ତାଙ୍କ ଆବେଦନରେ କହିଛନ୍ତି ଯେ, ଏହି ମାମଲାକୁ ନେଇ ସେ ଗଭୀର ଅନୁଧ୍ୟାନ କରିଛନ୍ତି। ଗୋପନୀୟ ସୂତ୍ରରୁ ତାଙ୍କୁ ଯାହା ତଥ୍ୟ ମିଳିଛି ସେଥିରୁ ସେ ଜାଣିବାକୁ ପାଇଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ପାଖରେ ବିଦେଶୀ ନାଗରିକତାର ରହିଛି।  ବିଘ୍ନେଶ ଶିଶିର ଏହି ଘଟଣାର ସିବିଆଇ ଯାଞ୍ଚ ଦାବି କରିଛନ୍ତି । ଏଥିସହିତ ବିଦେଶୀ ନାଗରିକତା ଆଧାରରେ ରାହୁଲ ଗାନ୍ଧୀଙ୍କର ଭାରତୀୟ ନାଗରିକତା ରଦ୍ଦ କରିବା ମଧ୍ୟ ସେ ଲାଗି ଦାବି କରିଛନ୍ତି।

ଜଷ୍ଟିସ ରାଜନ ରାୟ ଏବଂ ଜଷ୍ଟିସ ଓମ ପ୍ରକାଶ ଶୁକ୍ଳାଙ୍କ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ ସୂର୍ଯ୍ୟଭାନ ପାଣ୍ଡେଙ୍କୁ ଏ ସମ୍ପର୍କରେ ଗୃହ ମନ୍ତ୍ରାଳୟଠାରୁ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ହାଇକୋର୍ଟ ସେପ୍ଟେମ୍ବର ୩୦ ତାରିଖକୁ ରଖିଛନ୍ତି।

ସିବିଆଇ ଯାଞ୍ଚ ଦାବି

ଅନ୍ୟପଟେ ଦିଲ୍ଲୀ ହାଇକୋର୍ଟରେ ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ରାହୁଲଙ୍କ ନାଗରିକତା ମାମଲାରେ କରିଥିବା ଆବେଦନ ବିଚାରାଧୀନ ରହିଛି। ସୁବ୍ରମଣ୍ୟମ ସ୍ୱାମୀ ଚଳିତ ବର୍ଷ ଅଗଷ୍ଟ ମାସରେ ଏହି ମାମଲା ଦାଏର କରି ରାହୁଲଙ୍କ ଭାରତୀୟ ନାଗରିକତା ରଦ୍ଦ କରିବା ପାଇଁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଜାରି କରୁ ବୋଲି ସେ ଦାବି କରିଥିଲେ। ସେ ମଧ୍ୟ ତାଙ୍କ ଆବେଦନରେ ଦାବି କରିଥିଲେ ଯେ ରାହୁଲଙ୍କ ପାଖରେ ବ୍ରିଟେନର ନାଗରିକତା ଏବଂ ବ୍ରିଟିଶ ପାସପୋର୍ଟ ରହିଛି

ସୁବ୍ରମଣ୍ୟମ ସ୍ୱାମୀ ଆବେଦନ ପତ୍ରରେ ଆହୁରି କହିଛନ୍ତି, “ସେ ରାହୁଲ ଗାନ୍ଧୀଙ୍କ ନାଗରିକତା ସମ୍ପର୍କରେ ଗୃହ ମନ୍ତ୍ରାଳୟରେ ୫ ବର୍ଷ ତଳେ ଅଭିଯୋଗ କରିଥିଲେ। ହେଲେ ମନ୍ତ୍ରାଳୟ ପକ୍ଷରୁ ଏ ନେଇ କ’ଣ କାର୍ଯ୍ୟାନୁଷ୍ଠାନ ନିଆଗଲା, ସେ ବିଷୟରେ କୌଣସି ଟିପ୍ପଣୀ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ଏବେ ସୁଦ୍ଧା ମିଳି ନାହିଁ।”  

ତେଣୁ ତାଙ୍କ ଆବେଦନ ଉପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କଣ ପଦକ୍ଷେପ ନିଆଯାଇଛି କୋର୍ଟ ତାର ରିପୋର୍ଟ ତଲବ କରିବାକୁ ସୁବ୍ରମଣ୍ୟମ ଦାବି କରିଛନ୍ତି।

ପ୍ରଥର ଥର ପାଇଁ ଉଠିନି ନାଗରିକତା ପ୍ରଶ୍ନ

ରାହୁଲଙ୍କ ନାଗରିକତାକୁ ନେଇ ଏପରି ପ୍ରଶ୍ନ ଉଠିବା ପ୍ରଥମ ଘଟଣା ନୁହେଁ। କିଛି ବର୍ଷ ପୂର୍ବେ ସୁପ୍ରିମକୋର୍ଟରେ ମଧ୍ୟ ଏ ନେଇ ମାମଲା ଦାଏର କରାଯାଇଥିଲା। ଏହି ମାମଲାରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଶୀଘ୍ର ତଦନ୍ତ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଥିଲା। ହେଲେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରି ଦେଇଥିଲେ। ଜଷ୍ଟିସ ଗୋଗଇ କହିଥିଲେ, “ଯଦି କୌଣସି କମ୍ପାନୀର ଏକ ଫର୍ମରେ ରାହୁଲ ଗାନ୍ଧୀଙ୍କୁ ବ୍ରିଟିଶ ନାଗରିକ ବୋଲି ଦର୍ଶାଇଲେ,  ତେବେ କ’ଣ ସେ ବ୍ରିଟିଶ ନାଗରିକ ହୋଇଯିବେ?”

୨୦୧୯ରେ ସୁବ୍ରମଣ୍ୟମ ସ୍ୱାମୀ ଏହା ଉପରେ ପୁଣି ପ୍ରଶ୍ନ ଉଠାଇ ଗୃହ ମନ୍ତ୍ରାଳୟଠାରୁ ଜବାବ ମାଗିଥିଲେ। ହେଲେ ଏଥର ସୁବ୍ରମଣ୍ୟମ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଆବେଦନର ୫ ବର୍ଷ ବିତି ଯାଇଥିଲେ ହେଁ ଗୃହ ମନ୍ତ୍ରାଳୟ କୌଣସି ଉତ୍ତର ରଖିନାହାନ୍ତି।

ତେବେ ୨୦୨୧ ମସିହାରେ ସୁବ୍ରମଣ୍ୟମଙ୍କ ଅଭିଯୋଗ ଉପରେ ଜବାବ ରଖିବା ପାଇଁ ଗୃହ ମନ୍ତ୍ରାଳୟ ରାହୁଲଙ୍କୁ ନୋଟିସ ଜାରି କରିଥିଲେ। ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା, ବ୍ୟାକଅପ୍ସ ଲିମିଟେଡ ନାମକ ଏକ କମ୍ପାନୀ ୨୦୦୩ରେ ୟୁକେରେ ପଞ୍ଜୀକୃତ ହୋଇଥିଲା। ରାହୁଲ ଏହାର ନିର୍ଦ୍ଦେଶକ ଥିଲେ। ତେଣୁ ରାହୁଲ ଏହା ଉପରେ ମତ ସ୍ପଷ୍ଟ ରଖନ୍ତୁ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହଯାଇଥିଲା।

କଂଗ୍ରେସର କଡ଼ା ସମାଲୋଚନା

ରାହୁଲଙ୍କ ନାଗରିକତାକୁ ନେଇ ଏପରି ଅଭିଯୋଗକୁ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। କଂଗ୍ରେସ ନେତା ରଣଦୀପ ସୁରଜେବାଲା କହିଥିଲେ ଯେ, “ସାରା ବିଶ୍ୱ ଜାଣେ ରାହୁଲ ଗାନ୍ଧୀ ଜଣେ ଭାରତୀୟ ନାଗରିକ। ମୋଦୀଙ୍କ ପାଖରେ କୃଷି ସଙ୍କଟ, ବେକାରୀ ସମସ୍ୟା ଏବଂ କଳାଧନ ନେଇ କୌଣସି ଉତ୍ତର ନାହିଁ। ତେଣ ଏହା ଉପରୁ ଧ୍ୟାନ ହଟାଇବା ପାଇଁ ବିଜେପି ନେତାମାନେ ଏପରି ବୟାନବାଜି କରୁଛନ୍ତି।”

ଏପରି ଅଭିଯୋଗକୁ ପୂର୍ବେ ନିଜେ ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଖଣ୍ଡନ କରିସାରିଛନ୍ତି।

Tags: #RahulGandhi #Citizenship #Politics #Congress #India

LEAVE A REPLY

Please enter your comment!
Please enter your name here