ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ଶନିବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ ୭ ପ୍ରସ୍ତାବ ଉପରେ ମୋହର ବାଜିଛି। ଏନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଏଥିପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏହି ଯୋଜନା ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ୧୪୨୩.୪୭ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ରାଜ୍ୟର ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବା ସହ ପ୍ରାୟ ୧୫,୪୬,୮୩୭ ଜଣ ଗୋପାଳଙ୍କ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି।
ସେହିପରି ଓଡ଼ିଶା ହାଇକୋର୍ଟ କର୍ମଚାରୀମାନଙ୍କ ପାଇଁ କଟକଠାରେ ୫୫୦ଟି ଆବାସିକ ଗୃହ ନିର୍ମାଣ ସହ କମ୍ୟୁନିଟି ହଲ ଏବଂ ଖେଳ ପଡ଼ିଆ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହାର ନିର୍ମାଣ କାମ ଆସନ୍ତା ୩୦ ମାସ ମଧ୍ୟରେ ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ସେହିପରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟରେ କାର୍ଯ୍ୟରତ ୫,୨୯୧ ଜଣ ଘରୋଇ ଡିଲରଙ୍କ କାର୍ଯ୍ୟକାଳକୁ ଆଉ ଦେଢ଼ ବର୍ଷ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।
ରାଜ୍ୟ କ୍ୟାବିନେଟରେ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶ ୨୦୧୬ର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଫଳରେ ଘରୋଇ ଡିଲରମାନଙ୍କ ସ୍ଥାନରେ ଆନୁଷ୍ଠାନିକ ଡିଲରମାନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଆଉ ଦେଢ଼ ବର୍ଷ ଅର୍ଥାତ ଆସନ୍ତା ୨୦୨୬ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ସେହିପରି ଆଡଭୋକେଟ ଜେନେରାଲ (ଏଜି)ଙ୍କ ଫି’ ସଂଶୋଧନ ପ୍ରସ୍ତାବକୁ ପିଛିଲା ଭାବେ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ଶେଷ ଥର ପାଇଁ ୨୦୧୬ ଏପ୍ରିଲ ୨୧ ତାରିଖରେ ଏଜିଙ୍କ ଫି’ ସଂଶୋଧିତ ହୋଇଥିଲା। ବିଭିନ୍ନ କୋର୍ଟ ଏବଂ ଟ୍ରିବ୍ୟୁନାଲରେ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡଭୋକେଟ ଜେନେରାଲଙ୍କ ଫି’ରେ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସେହିପରି ସିନିୟର ଜଜ୍ମାନଙ୍କ ପାଇଁ ଉତ୍ତୀର୍ଣ୍ଣ ପରୀକ୍ଷା ବ୍ୟବସ୍ଥା କରାଯାଇଛି।
ଯୋଜନା ଓ ସମନ୍ଵୟ ଅଧୀନରେ ଥିବା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ପାଇଁ ସରକାରୀ ପରିସଂଖ୍ୟାନ ସମ୍ପର୍କୀତ ତଥ୍ୟ ପ୍ରସାରଣ ନୀତି ୨୦୨୪କୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର।
Tags: #StateCabinetMeeting #CabinetApproval #OdishaGovt #CMMohanCharanMajhi #Odisha