ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର। ଭାରତୀୟ ଚଳଚ୍ଚିତ୍ରକୁ ଜୀବନବ୍ୟାପୀ ଅବଦାନ ନିମନ୍ତେ ତାଙ୍କୁ ଚଳିତ ବର୍ଷ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ଏନେଇ ସୋମବାର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ମିଥୁନ ଚକ୍ରବର୍ତ୍ତୀଙ୍କୁ ଅକ୍ଟୋବର ୮ ତାରିଖରେ ହେବାକୁ ଥିବା ୭୦ତମ ଜାତୀୟ ଫିଲ୍ମ ପୁରସ୍କାର ସମାରୋହରେ ସମ୍ମାନିତ କରାଯିବ। ଏନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

ମିଥୁନ ଚକ୍ରବର୍ତ୍ତୀ ୧୯୭୬ ମସିହାରେ ‘ଦୋ ଅନଞ୍ଜାନେ’ ଫିଲ୍ମରେ ଏକ ଛୋଟ ଭୂମିକାରୁ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ୧୯୭୭ ମସିହାରେ ଫିଲ୍ମ ‘ମୃଗୟା’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହାପରେ ୧୯୮୨ ମସିହାରେ ମିଥୁନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଡିସ୍କୋ ଡାନ୍ସର୍’ ମୁକ୍ତିଲାଭ କରିଥିଲା, ଯାହା ତାଙ୍କୁ ଖୁବ ଲୋକପ୍ରିୟ କରିଥିଲା। ଏହି ଫିଲ୍ମଟି କେବଳ ଭାରତ ନୁହେଁ ଏସିଆ ବରଂ ତତ୍କାଳୀନ ସୋଭିଏତ୍ ୟୁନିଅନ୍, ପୂର୍ବ ୟୁରୋପ, ଆରବ ଦେଶ, ତୁର୍କୀ ଏବଂ ଆଫ୍ରିକାରେ ଜବରଦସ୍ତ ବ୍ୟବସାୟ କରିଥିଲା।

ନିଜର ୪୮ ବର୍ଷର କ୍ୟାରିୟରରେ ​​ମିଥୁନ ଚକ୍ରବର୍ତ୍ତୀ ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ହିନ୍ଦୀ, ବଙ୍ଗଳା ସମେତ ଓଡ଼ିଆ, ଭୋଜପୁରୀ ଓ ଦକ୍ଷିଣ ଭାରତୀୟ ଫିଲ୍ମରେ ସେ ନଜର ଆସିଛନ୍ତି।

ଦାଦା ସାହେବ ଫାଲକେ ପୁରସ୍କାର କ’ଣ?

ଦାଦା ସାହେବ ଫାଲକେଙ୍କୁ ଭାରତୀୟ ସିନେ ଜଗତର ଜନକ ବୋଲି କୁହାଯାଏ। ୧୮୭୦ ମସିହା ଏପ୍ରିଲ ୩୦ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ସେ ୧୯୧୩ ମସିହାରେ ‘ରାଜା ହରିଶ୍ଚନ୍ଦ୍ର’ ନାମ ପ୍ରଥମ ଚଳଚ୍ଚିତ୍ର କରି ଅନେକ ପ୍ରଶଂସା ସାଉଣ୍ଟି ଥିଲେ। ବଲିଉଡ ଫିଲ୍ମ ଜଗତକୁ ବିଶେଷ ଯୋଗଦାନ ପାଇଁ ଭାରତ ସରକାର ୧୯୬୯ ମସିହାରେ ଦାଦା ସାହେବ ଫାଲକେଙ୍କ ସମ୍ମାନାର୍ଥେ ଏହି ପୁରସ୍କାରର ଆରମ୍ଭ କରିଥିଲେ।

ଦାଦା ସାହେବ ଫାଳକେ ପୁରସ୍କାର ଫିଲ୍ମ ସମାରୋହ ନିର୍ଦ୍ଦେଶାଳୟ ଦ୍ଵାରା ପ୍ରତି ବର୍ଷ ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ଭାରତୀୟ ସିନେମା ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିଜରେ ବିଶେଷ ଯୋଗଦାନ ପାଇଁ ପ୍ରଦାନ କରାଯାଇଥାଏ।

ଏହି ପୁରସ୍କାରରେ ଏକ ସ୍ଵର୍ଣ୍ଣ କମଳ ଏବଂ ୧୦ ଲକ୍ଷ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥାଏ। ପ୍ରଥମ ଥର ୧୯୬୯ ମସିହାରେ ଦେବୀକା ରାଣୀଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା।

Tags: #MithunChakraborty #DadasahebFalkeAward #Films #Bollywood #India

LEAVE A REPLY

Please enter your comment!
Please enter your name here