ଓଡ଼ିଶାଲାଇଭ୍ ବ୍ୟୁରୋ

ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲହା ବିରୋଧରେ ଯୁଦ୍ଧ ଚଳାଇଛି ଇସ୍ରାଏଲ। ହେଜବୁଲହା ସଦସ୍ୟଙ୍କ ହଜାର ହଜାର ପେଜର୍ ବିସ୍ଫୋରଣ କରି ଇସ୍ରାଏଲ୍ ସାରା ବିଶ୍ୱକୁ ଚମକାଇଛି। ଏହାସହ ଇସ୍ରାଏଲ୍‌ର ଗୁଇନ୍ଦା ଏଜେନ୍ସି ‘ମୋସାଦ’ ପକ୍ଷରୁ ହିଜବୁଲହା ବ୍ୟବହାର କରୁଥିବା ୱାକିଟକି ବିସ୍ଫୋରଣ କରାଯିବା ନେଇ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଇସ୍ରାଏଲ ହିଜବୁଲହା ବିରୋଧରେ ଆପଣେଇ ଥିବା ଆକ୍ରମଣର ଏହି ସବୁ ପନ୍ଥା ବିଭିନ୍ନ ଦେଶ ପାଇଁ ଚିନ୍ତା ମଧ୍ୟ ସୃଷ୍ଟି କରିଛି। ତେବେ ବିଶ୍ୱସ୍ତରରେ ଏହାକୁ ଅନୁଧ୍ୟାନ କଲେ ଯଦି ଆତଙ୍କବାଦୀମାନେ ସମାନ ନୀତି ଆପଣାଇ ବିଭିନ୍ନ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଟାର୍ଗେଟ୍ କରନ୍ତି, ତେବେ ପରିସ୍ଥିତି କ’ଣ ହେବ ତାହା ଏବେ ପ୍ରଶ୍ନ। ଏଭଳି ପ୍ରସଙ୍ଗକୁ ନେଇ ଭାରତୀୟ ସ୍ଥଳସେନା ଅଧ୍ୟକ୍ଷ ଉପେନ୍ଦ୍ର ଦ୍ଵିବେଦୀ ନିଜର ମତବ୍ୟକ୍ତ କରିଛନ୍ତି।   

“ଯୁଦ୍ଧର ଅର୍ଥ ଏହା ନୁହେଁ ଯେ, ଯେତେବେଳେ ଲଢ଼େଇ ଆରମ୍ଭ ହେବ। ବରଂ ଯୁଦ୍ଧ ପାଇଁ ଯେତେବେଳେ ପ୍ଲାନିଂ ବା ଯୋଜନା କରିବେ ସେବେଠାରୁ ଯୁଦ୍ଧର ଆରମ୍ଭ ମଧ୍ୟ ହୋଇଥାଏ। ଲେବାନନ୍‌ରେ ଯେଉଁ ପେଜର୍ ବ୍ଲାଷ୍ଟ ହୋଇଛି ତାହା ତାଇୱାନରୁ ସପ୍ଲାଏ ହେଉଥିଲା ହଙ୍ଗେରୀ ଏବଂ ହଙ୍ଗେରୀଠାରୁ ନେଉଥିଲା ଲେବାନନ୍। ଆଉ ଏହା ହିଁ ଇସ୍ରାଏଲ୍ ପାଇଁ ସାଜିଥିଲା ମାଷ୍ଟର୍‌ଷ୍ଟ୍ରୋକ୍। ଏହାର ଅର୍ଥ ଇସ୍ରାଏଲ୍ ଏଥିପାଇଁ ଅନେକ ସମୟ ପୂର୍ବରୁ ପ୍ରସ୍ତୁତ ଥିଲା”, କହିଛନ୍ତି ଉପେନ୍ଦ୍ର ଦ୍ଵିବେଦୀ।

ସେ ଆହୁରି ମଧ୍ୟ କହିଛନ୍ତି, “ମହାଭାରତରେ ଚକ୍ରବ୍ୟୁହ ଅଭିମନ୍ୟୁଙ୍କ ପାଇଁ ନଥିଲା। ଏହା ଯୁଧିଷ୍ଠୀର ଏବଂ ଅର୍ଜୁନଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା। ହେଲେ ଯୁଦ୍ଧ ସମୟରେ ଅଭିମନ୍ୟୁଙ୍କୁ ଚକ୍ରବ୍ୟୁହର ସାମ୍ନା କରିବାକୁ ପଡ଼ିଲା। ଏହାପରେ ପାଣ୍ଡବମାନେ ଅଧିକ ସକ୍ରୀୟ ଓ ସଚେତନ ହୋଇ ଉଠିଥିଲେ। ଏହାର ଅର୍ଥାତ୍ ଇସ୍ରାଏଲ୍ ଆଜି ଯେଉଁ କାରନାମା କରିଛି ତାହା ବିଶ୍ୱ ପାଇଁ ନିଶ୍ଚିତ ରୂପେ ଉଦାହରଣ। ଆଉ ଏଥିପାଇଁ ସମସ୍ତେ ସଚେତନ ହେବା ଜରୁରୀ।”

ଭାରତ ଏ କ୍ଷେତ୍ରରେ ବିଶେଷ ଭାବେ ସକ୍ରିୟ ରହିଛି। ଭାରତରେ ଆଜି ଯେଉଁ ଟେକ୍‌ନୋଲୋଜିମାନ ବ୍ୟବହୃତ ହେଉଛି ଏହାର ସପ୍ଲାଏ ଚେନ୍‌କୁ ଗୁରୁତ୍ୱର ସହ ଯାଞ୍ଚ କରାଯାଉଛି, ଆଉ ଲେବାନନ୍‌ରେ ପେଜର୍ ବ୍ଲାଷ୍ଟ ଭଳି ଭାରତରେ ଏମିତି ପରିସ୍ଥିତି ନ ହେବା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି ବୋଲି ଭାରତୀୟ ସ୍ଥଳସେନା ମୁଖ୍ୟ କହିଛନ୍ତି।

Tags: #Israel-HezbollahWar #PagerBlast #WarStrategy #GeneralUpendraDwivedi #MilitaryAffairs #India

LEAVE A REPLY

Please enter your comment!
Please enter your name here