ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଅନୁଷ୍ଠିତ ହେବ ରାଜ୍ୟଗୋଷ୍ଠୀ ପାୱାର ଲିଫ୍ଟିଂ ଚାମ୍ପିୟନସିପ୍। ଏଥିରେ କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ର ରୋହିତ ପାତ୍ର ଭାରତର ପ୍ରତିନିଧିତ୍ୱ କରିବେ। ଏନେଇ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ରୋହିତଙ୍କୁ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାକୁ ଶୁଭକାମନା ଜଣାଇଛନ୍ତି।

“ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନସିପ୍ ଭଳି ସମ୍ମାନଜନକ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ରୋହିତଙ୍କ ଚୟନ ବିଶ୍ୱବିଦ୍ୟାଳୟ, ଓଡ଼ିଶା ତଥା ଦେଶ ପାଇଁ ଗର୍ବର ବିଷୟ। ରୋହିତଙ୍କ ପାଇଁ ଏହା କେବଳ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଓ ଆମ ବିଶ୍ୱବିଦ୍ୟାଳୟପାଇଁ ସମ୍ମାନ ଆଣିବାର ଏକ ସୁଯୋଗ। ସେ ରାଜ୍ୟଗୋଷ୍ଠୀ ଚାମ୍ପିୟନସିପରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବେ ବୋଲି ଆମର ଆଶା”, କହିଛନ୍ତି ପ୍ରଫେସର ଚକ୍ରଧର ତ୍ରିପାଠୀ।

୨୦୨୪ ଅକ୍ଟୋବର ୪ରୁ ୧୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନସିପ୍ ଚାଲିବ। ଏଥିରେ ରୋହିତଙ୍କ ସହ କୋରାପୁଟର ଆଉ ଜଣେ ଖେଳାଳି  ବୈବ କୁମାର ତାଣ୍ଡି ମଧ୍ୟ ଅଂଶଗ୍ରହଣ କରିବେ। ରୋହିତ ସବ୍ ଜୁନିୟର ୧୨୦+  କିଲୋଗ୍ରାମ ବର୍ଗରେ ଏବଂ ବୈବ ମାଷ୍ଟର୍ସ ବେଞ୍ଚ ପ୍ରେସ୍ ଚାମ୍ପିଅନସିପ୍ ୭୪ କିଲୋଗ୍ରାମ ବର୍ଗରେ ଭାଗ ନେବେ।

ରୋହିତ ପାତ୍ର କୋରାପୁଟ ଜିଲ୍ଲାର ବାସିନ୍ଦା। ସେ କୋରାପୁଟ ମ୍ୟୁନିସିପାଲିଟି ଜିମରେ ପାୱାରଲିଫ୍ଟିଂ ଅଭ୍ୟାସ କରନ୍ତି। ସେ ଜାତୀୟ ସ୍ତରର ଏକାଧିକ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ନିଜ ପ୍ରତିଭା ଦେଖାଇ ପ୍ରଶଂସିତ ହୋଇଛନ୍ତି। ସେ ଚଳିତବର୍ଷ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଅନୁଷ୍ଠିତ ଜାତୀୟ ସବ ଜୁନିୟର ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ୩ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ।

Tags: #RohitPatra #CommonwelthPowerliftingChampionship #Powerlifting #Koraput #India

LEAVE A REPLY

Please enter your comment!
Please enter your name here