ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ଗାପୂଜା ଲାଗି ଟୁଇନ ସିଟି କଟକ-ଭୁବନେଶ୍ଵର ପାଇଁ ଜାରି ହେଲା ଟ୍ରାଫିକ କଟକଣା। ଅକ୍ଟୋବର ୯ରୁ ୧୩ ତାରିଖ ଯାଏଁ ଅପରାହ୍ଣ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ଏ ନେଇ ମଙ୍ଗଳବାର ଦିନ କମିଶନରେଟ ପୋଲିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ଏହି ସମୟ ମଧ୍ୟରେ ଭାରୀ ଯାନ ଚଳାଚଳ ଉପରେ କଟକଣା ଲାଗିଛି। ଖଣ୍ଡଗିରି ଛକଠାରୁ ପୋକରୀପୁଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଜାଗମରା ଛକ ଓ ଗଣ୍ଡମୁଣ୍ଡା ଛକ ଦେଇ କୌଣସି ଭାରୀ ଯାନ ଚଳାଚଳ କରିପାରିବ ନାହିଁ।

ସେହିପରି ଫାୟାର ଟ୍ରେନଂ ସ୍କୁଲ ଛକଠାରୁ ଶିଶୁଭବନ ଛକକୁ ସଂଯୋଗ କରୁଥିବା ପାଇକନଗର, ଶିରିପୁର ଛକ ଏବଂ ଗଙ୍ଗନଗର ଛକ ଦେଇ କୌଣସି ଭାରୀ ଯାନ ଯତାୟତ କରିବ ନାହିଁ। ସିଆରପି ଛକଠାରୁ ପାଓ୍ଵାର ହାଉସ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଷ୍ଟୁଆର୍ଟ ସ୍କୁଲ ଏବଂ ୟୁନିଟ ୮ ଡିଏଭି ସ୍କୁଲ ରାସ୍ତାରେ ଭାରୀ ଯାନ ଚଳାଚଳ ବନ୍ଦ ରହିବ।

ସେହିପରି ଜୟଦେବ ବିହାର ଛକଠାରୁ ନନ୍ଦନକାନନ ଛକ ଓ ରାଜଭବନ ଛକ, ଆଚାର୍ଯ୍ୟ ବିହାର ଛକଠାରୁ, ଏୟାରପୋର୍ଟ ଛକ ଓ ନିୟୁ ଏୟାରପୋର୍ଟ ଛକ, କଳିଙ୍ଗ ହସ୍ପିଟାଲ ଛକ, ବାଣୀବିହାର ଛକଠାରୁ ଶିଶୁ ଭବନ ଛକ, ରସୁଲଗଡ଼ ଛକଠାରୁ ଲିଙ୍ଗିପୁର ଛକ ଏବଂ ଏହି ଛକଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତାରେ ଭାରୀ ଯାନ ଚଳାଚଳ କରିବା ଉପରେ କଟକଣା ଜାରି କରାଯାଇଛି।

କଟକଣା ଜାରି ହୋଇଥିବା ସମୟ ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥ ବରମୁଣ୍ଡାଠାରୁ ପଳାଶୁଣୀ ପର୍ଯ୍ୟନ୍ତ ରାସ୍ତାରେ ଭାରୀ ଯାନ ଚଳାଚଳ କରିପାରିବ ନାହିଁ।

ଏହି ସମୟ ମଧ୍ୟରେ ଭିଡ଼ ଅଧିକ ହେଲେ ଖୋର୍ଦ୍ଧା ପଟୁ ଭୁବନେଶ୍ଵର ଆଡ଼କୁ ଆସୁଥିବା ସମସ୍ତ ପ୍ରକାର ଭାରୀ ଯାନକୁ ଆସିବା ଲାଗି ଅନୁମତି ମିଳିବ ନାହିଁ। ସେହି ଯାନଗୁଡ଼ିକ ପିତାପଲ୍ଲୀଛକଠାରୁ ବାମ ପଟ ରାସ୍ତାରେ ଭାୟା ଚନ୍ଦକା-ବାରଙ୍ଗ ରାସ୍ତା ଦେଇ ବାଲିକୁଦାଠାରେ ୧୬ ନମ୍ବର ଜାତୀୟ ରାଜପଥରେ ମିଶିବେ।

ରାବଣ ପୋଡ଼ି ସମୟରେ କଟକ ପଟୁ ଆସୁଥିବା ସମସ୍ତ ଗାଡ଼ି ଜୟଦେବ ବିହାରଠାରୁ ବାମ ପାର୍ଶ୍ଵ ରାସ୍ତା ଦେଇ ବେହେରା ସାହି, ଶାସ୍ତ୍ରୀ ନଗର, ପାଓ୍ଵାର ହାଉସ ଏବଂ ୟୁନିଟ ୮ ଡିଏଭି ସ୍କୁଲ ଛକ ଦେଇ ସିଆରସି ଛକରେ ମିଶିବେ।

ଅକ୍ଟୋବର ୯ରୁ ୧୩ ତାରିଖ ଯାଏଁ ଲାଗୁ ହୋଇଥିବା ଟ୍ରାଫିକ କଟକଣାକୁ ଦୃଷ୍ଟିରେ ରଖି ଭୁବନେଶ୍ଵରକୁ ଆସୁଥିବା କିମ୍ବା ଭୁବନେଶ୍ଵର ଦେଇ ଯିବାକୁ ଥିବା ବସଗୁଡ଼ିକ ପାଇଁ ଗତିପଥ ନିର୍ଦ୍ଧାରଣ କରାଯାଇଛି।

ପୁରୀ ପଟୁ ବରମୁଣ୍ଡା ଆଡ଼କୁ ଆସୁଥିବା ବସଗୁଡ଼ିକ ଲିଙ୍ଗିପୁର ଛକଠାରୁ ସାମନ୍ତରାପୁର, କଳ୍ପନା, ରାଜମହଲ, ଶିଶୁଭବନ, ସୁର କମ୍ପାନି, ଗଙ୍ଗନଗର ଏବଂ ଫାୟାର ଟ୍ରେନିଂ ସ୍କୁଲ ଛକ ଦେଇ ବରମୁଣ୍ଡା ବସଷ୍ଟାଣ୍ଡକୁ ଯାଇପାରିବେ। ସେହିପରି ବରମୁଣ୍ଡା ପଟୁ ପୁରୀ ଆଡ଼କୁ ଯିବାକୁ ଚାହୁଁଥିବା ଗାଡ଼ିଗୁଡ଼ିକ ସମାନ ରାସ୍ତା ଦେଇ ଲିଙ୍ଗିପୁରଛକଠାରେ ଜାତୀୟ ରାଜପଥରେ ମିଶିବେ।

ପୁରୀ ପଟୁ କଟକ ଆଡ଼କୁ ଯିବାକୁ ଥିବା ସମସ୍ତ ବସ୍ କଳ୍ପନା, ଲକ୍ଷ୍ମୀ ସାଗର, ରସୁଲଗଡ଼, ରାସ୍ତାରେ ନଯାଇ, ଲିଙ୍ଗିପୁର ଛକଠାରୁ ବାଇପାସ୍ ରୋଡରେ ଆସି ହାଇଟେକ ମେଡିକାଲ ଛକଠାରେ ଜାତୀୟ ରାଜପଥ ଦେଇ ଯାଇପାରିବେ। ସେହିପରି କଟକ ପଟୁ ପୁରୀ ଆଡ଼କୁ ଯିବାକୁ ଥିବା ଗୁଡ଼ିଗୁଡ଼ିକ ସମ୍ପୃକ୍ତ ରାସ୍ତାରେ ଦେଇ ଲିଙ୍ଗିପୁର ଛକଠାରେ ଜାତୀୟ ରାଜପଥରେ ମିଶିବେ।

ପାର୍ବଣ ସମୟରେ ଉପୁଜିବାକୁ ଥିବା ଭିଡ଼ ନିୟନ୍ତ୍ରଣ ଏବଂ ଲୋକଙ୍କ ସୁରକ୍ଷିତ ଯାତ୍ରା ପାଇଁ ଏହି କଟକଣା ଲାଗୁ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି। ନିୟମରେ ଖିଲାପ କଲେ ୫୦୦ ଟଙ୍କାରୁ ୧୦୦୦ ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ। ଏହି ସମସ୍ତ କଟକଣା ପୋଲିସ, ଫାୟାର ବ୍ରିଗେଡ଼, ଏକ୍ସାଇଜ, ଆମ୍ବୁଲାନ୍ସ ଆଦି ଗାଡ଼ି ପାଇଁ ଲାଗୁ ହେବ ନାହିଁ।

Tags: #TrafficGuideline #CommissioneratePolice #Cuttack #Bhubaneswar #Durgapuja

LEAVE A REPLY

Please enter your comment!
Please enter your name here