ଓଡ଼ିଶାଲାଇଭ୍ ବ୍ୟୁରୋ

ହରିୟାଣା ବିଧାନସଭା ନିର୍ବାଚନରେ ହାଟ୍ରିକ୍ ବିଜୟ ଲାଭ କରି ବିଜେପି ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ରାଜ୍ୟରେ କଂଗ୍ରେସ ବଡ଼ ବିପର୍ଯ୍ୟୟର ସାମ୍ନା କରିଛି। ତେବେ ହରିୟାଣାରେ ଭାରତର ସବୁଠାରୁ ଧନୀ ମହିଳା ନିର୍ବାଚନ ଜିତିଛନ୍ତି। ତାଙ୍କର ଏହି ଉପଲବ୍ଧି ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ସାବିତ୍ରୀ ଜିନ୍ଦଲ ଭାରତର ସବୁଠାରୁ ଧନୀ ମହିଳା ତଥା ଓପି ଜିନ୍ଦଲ ଗ୍ରୁପର ସଭାପତି। ସେ ଏଥର ହରିୟାଣାର ହିସାର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ଵନ୍ଦ୍ଵିତା କରି ନିର୍ବାଚନ ଜିତିଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ରାମନିଭାସ ରାରାଙ୍କୁ ୧୮ ହଜାର ୯୪୧ ଭୋଟରେ ପରାସ୍ତ କରିଛନ୍ତି।

ଦେଶର ସବୁଠାରୁ ଧନୀ ମହିଳା ହୋଇଥିଲେ ମଧ୍ୟ ସାବିତ୍ରୀ ଜିନ୍ଦଲ ରାଜନୀତିରେ ବେଶ ସକ୍ରିୟ ରହିଛନ୍ତି। ସେ ୨୦୦୫ ମସିହାରେ ହିସାର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ହରିୟାଣା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

୨୦୦୯ ମସିହାରେ ସାବିତ୍ରୀ ଜିନ୍ଦଲ ହିସାର ଆସନରୁ ଦ୍ଵିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ। ଏଥର ସେ କଂଗ୍ରେସ ସରକାରରେ ମନ୍ତ୍ରୀ ହୋଇଥିଲେ। ତେବେ ୨୦୧୩ ମସିହାରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

ସାବିତ୍ରୀ ଜିନ୍ଦଲ ହେଉଛନ୍ତି ଭାରତର ବିଶିଷ୍ଟ ଶିଳ୍ପପତି ଓମ ପ୍ରକାଶ ଜିନ୍ଦଲଙ୍କ ପତ୍ନୀ। ଫୋର୍ବସ୍ ଇଣ୍ଡିଆ ଅନୁସାରେ ଜିନ୍ଦଲ ପରିବାରର ମୋଟ ସମ୍ପତ୍ତି ପ୍ରାୟ ୩ ଲକ୍ଷ ୬୫ ହଜାର କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ସାବିତ୍ରୀ ଜିନ୍ଦଲ ବିଶ୍ଵର ୫୦ ଜଣ ଧନୀ ମହିଳାଙ୍କ ତାଲିକାରେ ମଧ୍ୟ ସ୍ଥାନ ପାଇଛନ୍ତି।  

Tags: #SavitriJindal #RichestWomenofIndia #HaryanaAssemblyElections #Politics #India

LEAVE A REPLY

Please enter your comment!
Please enter your name here