ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଓମାର ଅବଦୁଲ୍ଲା। ବୁଧବାର ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏଠାରେ ନାସନାଲ କନଫରେନ୍ସର ୪ ଜଣ ଏବଂ ଜଣେ ସ୍ଵାଧୀନ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ତେବେ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ନାସନାଲ କନଫରେନ୍ସ ମେଣ୍ଟ ଜିତିଥିଲେ ମଧ୍ୟ କଂଗ୍ରେସ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବ ନାହିଁ। ଦଳ ଓମାର ଅବଦୁଲ୍ଲାଙ୍କ ସରକାରକୁ ବାହ୍ୟ ସହଯୋଗ ଦେବ ବୋଲି ନିଷ୍ପତ୍ତି ନେଇଛି।       

ଜମ୍ମୁ କଶ୍ମୀରର ଶ୍ରୀନଗର ସ୍ଥିତ ଶେରେ କଶ୍ମୀର ଇଣ୍ଟରନାସନାଲ କନଫରେନ୍ସ ସେଣ୍ଟରରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପିଡିପି ନେତ୍ରୀ ମେହେବୁବା ମୁଫ୍ତି, ନାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦ୍ଦୁଲାଙ୍କ ସମେତ ଇଣ୍ଡି ମେଣ୍ଟର ଅନ୍ୟ ଦଳର ସଦସ୍ୟମାନେ ଯୋଗ ଦେଇଥିଲେ।      

ନିକଟରେ ହୋଇଥିବା ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନରେ କ୍ଷମତା ହାସଲ କରିଥିଲା ନାସନାଲ କନଫରେନ୍ସ। ଏଠାରେ ଦଳ କଂଗ୍ରେସ ସହ ମିଶି ନିର୍ବାଚନ ଲଢ଼ିଥିଲା। ଏହି ନିର୍ବାଚନରେ ୯୦ଟି ଆସନରୁ କଂଗ୍ରେସ ଓ ନାସନାଲ କନଫରେନ୍ସ ମେଣ୍ଟ ୪୮ଟିରେ ବିଜୟ ହାସଲ କରିଥିଲା। ସେଥିରୁ ନାସନାଲ କନଫରେନ୍ସ ୪୨ଟି ଓ କଂଗ୍ରେସ ୬ଟି ଆସନ ଜିତିଥିଲା। ଅନ୍ୟପଟେ ବିଜେପି ୨୯ଟି ଆସନ ଅକ୍ତିଆର କରିଥିବାବେଳେ ପିଡିପି ୩ଟି ଏବଂ ସ୍ଵାଧୀନ ପ୍ରାର୍ଥୀ ୭ଟି ଆସନ ହାତେଇଥିଲେ।    

Tags: #OmarAbdullah #CMofJammuKashmir #NationalConference #Congress #Politics

LEAVE A REPLY

Please enter your comment!
Please enter your name here