ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଦିନେ ବାପା ଅଫିସର୍ ହେବେ ବୋଲି ଓଏଏସ୍ ପରୀକ୍ଷା ଦେଇଥିଲେ। ମାତ୍ର ପ୍ରିଲିମରେ କୃତକାର୍ଯ୍ୟ ହୋଇଥିବାବେଳେ ମେନ୍ ପରୀକ୍ଷାରେ ଅସଫଳ ହୋଇଥିଲେ। ହେଲେ ନିଜ ପିଲାମାନଙ୍କ ଭିତରେ ସେହି ସଫଳତା ପାଇଁ ବାପା ଦେଖିଥିଲେ ସ୍ଵପ୍ନ, ଯାହା ଆଜି ବାସ୍ତବିକତାର ରୂପ ନେଇଛି। 

ଶନିବାର ଦିନ ପ୍ରକାଶ ପାଇଛି ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ଫଳାଫଳ। ଏଥିରେ ବାଲେଶ୍ଵରର ଗୋପୀନାଥପୁର ବ୍ଲକର ଅମ୍ବିକା ଭୂୟାଁ ଜିଲ୍ଲାରେ ଏକ ନମ୍ବର ରାଙ୍କ୍ ପାଇଥିବାବେଳେ ସମଗ୍ର ରାଜ୍ୟରେ ୨୧ ନମ୍ବର ରାଙ୍କ୍ ପାଇ ତାଙ୍କ ବାପାଙ୍କ ସ୍ଵପ୍ନ ପୂରଣ କରିଛନ୍ତି। ସେ ଏହି ପରୀକ୍ଷାରେ ପ୍ରଥମ ଥରରେ କୃତକାର୍ଯ୍ୟ ହୋଇଛନ୍ତି।

ହରିପଦ ଭୂୟାଁ ଓ ମଞ୍ଜୁଲତା ଭୂୟାଁଙ୍କ ଝିଅ ଅମ୍ବିକା। ହରିପଦ ଗୋପୀନାଥପୁର ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ। ଅମ୍ବିକା ଭୂୟାଁ ବାଲେଶ୍ଵରର ବାଗୁଡି ନବୋଦୟ ବିଦ୍ୟାଳୟରେ ମାଟ୍ରିକ ସହ ଦ୍ୱାଦଶ ପଢ଼ିଥିଲେ।

ଏହାପରେ ସେ ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ କରିବା ପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଶେଷ କରିଛନ୍ତି। ୨୦୨୧ରେ ଅମ୍ବିକା ୟୁପିଏସସି ପରୀକ୍ଷା ପ୍ରସ୍ତୁତି ନିମନ୍ତେ ଦିଲ୍ଲୀରେ କୋଚିଂ ପାଇଁ ଯାଇଥିଲେ। ୨୦୨୩ ମସିହାରେ ସେ ଓଏଏସ୍ ପରୀକ୍ଷା ଦେଇଥିଲେ।

ଏକ ପ୍ରତିକ୍ରିୟାରେ ଅମ୍ବିକା କହିଛନ୍ତି ଯେ “ଓଏଏସ ପରୀକ୍ଷାରେ ଓଡ଼ିଶାରେ ୨୧ ନମ୍ବର ରାଙ୍କ ଅଧିକାର କରି ମୁଁ ଖୁସି। ଈଶ୍ୱରଙ୍କ କୃପା ତଥା ବାପା ଓ ଗୁରୁଜନଙ୍କ ଆଶୀର୍ବାଦରୁ ମତେ ଆଜି ସଫଳତା ମିଳିଛି। ଓଏଏସ ପରୀକ୍ଷା ପାଇଁ ମୁଁ ଦିନକୁ ୮ରୁ ୧୦ ଘଣ୍ଟା ପାଠ ପଢୁଥିଲି। ଆଗକୁ ମୁଁ ଆଇଏଏସ ପାଇଁ ପ୍ରସ୍ତୁତି ଜାରି ରଖିବି”, କହିଛନ୍ତି ଅମ୍ବିକା ଭୂୟାଁ।

“ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ସବୁବେଳେ ସଫଳତା ଆଣିଦିଏ” ବୋଲି ଅମ୍ବିକାଙ୍କ ବାପା ହରିପଦ କହିଛନ୍ତି। ଏହି ସଫଳତା ପାଇଁ ଅମ୍ବିକାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ମିଳୁଛି।

ଏବେ ଅମ୍ବିକା ଭୁବନେଶ୍ଵରରେ ରହି ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି। ସେ ଜଣେ ଆଇଏଫଏସ (ଇଣ୍ଡିଆନ ଫରେନ୍ ସର୍ଭିସ) ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। 

Tags: #AmbikaBhuyan #OASExam #SuccessStory #OPSC #Baleswar

LEAVE A REPLY

Please enter your comment!
Please enter your name here