ଓଡ଼ିଶାଲାଇଭ୍ ବ୍ୟୁରୋ
ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳରେ ଗୁରୁବାର ରାତିରେ ମାଡ଼ ହୋଇଛି ‘ଦାନା’। ତେବେ ବାତ୍ୟା ସମୟରେ ରାଜ୍ୟରେ ଜନ୍ମ ନେଇଛନ୍ତି ୧,୬୦୦ ଶିଶୁ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ବାତ୍ୟା ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଗର୍ଭବତୀ ମହିଳାମାନଙ୍କୁ ବିଭିନ୍ନ ସ୍ଵାସ୍ଥ୍ୟ କେନ୍ଦ୍ର ଓ ମା’ ଗୃହକୁ ଅଣାଯାଇଥିଲା। ଉପକୂଳବର୍ତ୍ତୀ ଜିଲ୍ଲାରେ ମୋଟ ୪,୪୩୧ ଜଣ ଗର୍ଭବତୀ ମହିଳା ସ୍ଥାନାନ୍ତରିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧,୬୦୦ ଜଣ ନବଜାତ ଶିଶୁଙ୍କୁ ଜନ୍ମ ଦେଇଛନ୍ତି।
ସବୁ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ବାତ୍ୟା ପରବର୍ତ୍ତୀ ସମୟରେ ଉଭୟଙ୍କୁ ଘରକୁ ପଠାଯିବାର ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ୫ ଲକ୍ଷ ୮୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ୮,୩୮୨ଟି ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କ ରହିବାର ବ୍ୟବସ୍ଥା ହୋଇଥିଲା। ବାଲେଶ୍ଵର ଜିଲ୍ଲାରେ ସର୍ବାଧିକ ୧ ଲକ୍ଷ ୭୨ ହଜାର ଲୋକ ସ୍ଥାନାନ୍ତର ହୋଇଥିଲେ।
Tags: #CycloneDana #NewbornBabies #Odisha #CycloneUpdates