ଓଡ଼ିଶାଲାଇଭ୍ ବ୍ୟୁରୋ
- ନୂଆବର୍ଷରୁ ରାଜ୍ୟରେ ଶୀତ ବଢ଼ିବାର ସମ୍ଭାବନା
- ଘନ କୁହୁଡ଼ି ପାଇଁ ୯ ଜିଲ୍ଲାକୁ ୱାର୍ଣ୍ଣିଂ
- ୨ରୁ ୪ ଡିଗ୍ରୀ ଯାଏଁ କମିବ ତାପମାତ୍ରା
ଓଡ଼ିଶାରେ ନୂଆବର୍ଷରୁ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ଏବେ ପାଗ ଶୁଖିଲା ରହିଥିବାବେଳେ ଆଗକୁ ରାତି ତାପମାତ୍ରା ଆହୁରି କମିବା ନେଇ ପୂର୍ବାନୁମାନ କରାଯାଇଛି। ଏହାସହ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏବେ ରାଜ୍ୟ ମଧ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବେଶ କରୁଛି। ଏହା ପ୍ରଭାବରେ ଆସନ୍ତା ୨ ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି।
ସେହିପରି ରାଜ୍ୟରେ ଘନ ତଥା ମଧ୍ୟମ ଧରଣର କୁହୁଡ଼ି ପାଇଁ ୯ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି। ଗୁରୁବାର ଯାଏଁ କଳାହାଣ୍ଡି, ବଲାଙ୍ଗିର, ସୋନପୁର, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, କେନ୍ଦୁଝର, ନୟାଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।
ଗତ ୨୪ ଘଣ୍ଟାରେ ଜି ଉଦୟଗିରିରେ ୬.୨ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ାରେ ୯.୨ ଡିଗ୍ରୀ, ସୁନ୍ଦରଗଡ଼ର କିରେଇରେ ୯.୭ ଡିଗ୍ରୀ, କୋରାପୁଟର ସିମିଳିଗୁଡ଼ାରେ ୧୦.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୧୦.୭ ଡିଗ୍ରୀ, ଫୁଲବାଣୀରେ ୧୧ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୧୧.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ଜାନୁଆରିର ପ୍ରଥମ ସପ୍ତାହରେ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଶୀତର ପ୍ରକୋପ ବଢ଼ିବା ସହ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ବିଶେଷ କରି ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଅଧିକ ଥଣ୍ଡା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Tags: #Weather #Winter #MCBBSR #IMD #Odisha