ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ‘ଦାନା’ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାର। ଏନେଇ ସୋମବାର ଦ୍ୱିତୀୟ ଦିନରେ ମଧ୍ୟ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ରହି ବାତ୍ୟାଞ୍ଚଳ ପରିଦର୍ଶନ କରିବେ।
ସୋମବାର ମଧ୍ୟାହ୍ନ ୧୨ଟା ସମୟରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ବାତ୍ୟାଞ୍ଚଳ ପରିଦର୍ଶନରେ ବାହରିବେ। ଦ୍ୱିତୀୟ ଦିନରେ ସେ କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ ଏବଂ ବାଲେଶ୍ଵରର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ବାତ୍ୟା ଲ୍ୟାଣ୍ଡଫଲ୍ କରିଥିବା ଭିତରକନିକାର ହବାଳିଖଟିରେ ମଧ୍ୟ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ।
ରବିବାର ଦିନ ମୁଖ୍ୟମନ୍ତ୍ରୀ ପାରାଦୀପ, ମହାକାଳପଡ଼ା, ରାଜନଗର, ରାଜକନିକା, ଚାନ୍ଦବାଲି ଭଳି ଉପକୂଳବର୍ତ୍ତୀ ଅଞ୍ଚଳର ପରିଦର୍ଶନ କରିଥିଲେ। ଏହାପରେ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିଥିଲେ।
ରାଜ୍ୟ ସରକାରଙ୍କ ପ୍ରାଥମିକ ରିପୋର୍ଟ ଅନୁସାରେ ବାତ୍ୟା ‘ଦାନା’ ଯୋଗୁଁ ୧୪ଟି ଜିଲ୍ଲାର ପ୍ରାୟ ୩୬ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଏହାସହ ପ୍ରାୟ ୨ ଲକ୍ଷ ୭୧ ହଜାର ୮୦୦ ଏକର ଚାଷ ଜମିରେ ଫସଲ କ୍ଷୟକ୍ଷତି ହୋଇଛି। ନଭେମ୍ବର ୨ ତାରିଖ ସୁଦ୍ଧା କ୍ଷୟକ୍ଷତିର ସମ୍ପୂର୍ଣ୍ଣ ରିପୋର୍ଟ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
Tags: #CycloneDana #CMMohanCharanMajhi #AreialSurvey #Odisha