ସତୀଶ ଶର୍ମା
୮ ବର୍ଷର ଅପେକ୍ଷା ପରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ୍)। ଚଳିତ ସିଜିନରେ ଏହି ପ୍ରତିଯୋଗିତାରେ ୮ଟି ପୁରୁଷ ଓ ୪ଟି ମହିଳା ଦଳ ଅଂଶଗ୍ରହଣ କରିବେ। ଏଥିରେ ଓଡ଼ିଶାରୁ ପୁରୁଷ ଦଳ କଳିଙ୍ଗ ଲାନ୍ସର୍ସ ଓ ମହିଳା ଦଳ ଓଡ଼ିଶା ୱାରିୟର୍ସ ପ୍ରତିଦ୍ଵନ୍ଦ୍ଵିତା କରିବେ। ତେବେ ଦୁର୍ଭାଗ୍ୟର ବିଷୟ ଏହି ଦୁଇ ଦଳରେ ରାଜ୍ୟର ଅନେକ ତାରକା ହକି ଖେଳାଳିଙ୍କୁ ଦେଖିବାକୁ ମିଳିବ ନାହିଁ।
ଏଥର ହକି ଇଣ୍ଡିଆ ଲିଗରେ ଓଡ଼ିଶାର ତାରକା ହକି ଖେଳାଳି ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା, ଶୀଳାନନ୍ଦ ଲାକ୍ରା, ନିଲମ ସଂଜୀପ ଖେସ, ଦୀପସାନ ତିର୍କୀ ତଥା ଯୁବ ଖେଳାଳି ଅମନଦୀପ ଲାକ୍ରା, ଅନମୋଲ ଏକ୍କା ଓ ସୁନିଲ ଜୋଜୋଙ୍କ ସମେତ ଅନ୍ୟ କିଛି ଖେଳାଳି ରାଜ୍ୟ ବାହାରର ଫ୍ରାଞ୍ଚାଇଜି ପାଇଁ ଖେଳିବେ। ଏହାକୁ ନେଇ ଓଡ଼ିଶାର ହକି ପ୍ରେମୀ ନିରାଶ ଥିବା ଦେଖିବାକୁ ମିଳିଛି।
ହକି ଇଣ୍ଡିଆ ଲିଗ୍ ପାଇଁ ଚଳିତ ମାସରେ ହୋଇଥିବା ଖେଳାଳି ନିଲାମ ପ୍ରକ୍ରିୟାରେ ସବୁ ଦଳ ଭାଗ ନେଇଥିଲେ। ତେବେ ଏଥିରେ ଯାହା ଘଟିଲା ସେ ସବୁ ଓଡ଼ିଶାର ହକି ପ୍ରେମୀମାନଙ୍କୁ ଚକିତ କରିଥିଲା। ନିଲାମ ପ୍ରକ୍ରିୟାରେ ପଞ୍ଜାବ, ତାମିଲନାଡୁ ଓ ଉତ୍ତର ପ୍ରଦେଶର ଫ୍ରାଞ୍ଚାଇଜିମାନେ ନିଜ ରାଜ୍ୟର ଖେଳାଳିମାନଙ୍କୁ ହାତେଇବା ପାଇଁ ଲଢ଼େଇ କରୁଥିବାବେଳେ କଳିଙ୍ଗ ଲାନ୍ସର୍ସ ଓଡ଼ିଶାର ଖେଳାଳିମାନଙ୍କୁ ନେବା ଲାଗି ବିଶେଷ ଆଗ୍ରହ ପ୍ରକାଶ କରିନଥିଲା। ଏହାଦ୍ଵାରା ଓଡ଼ିଶାର ତାରକା ଖେଳାଳିମାନେ ଅନ୍ୟ ଦଳକୁ ଚାଲି ଯାଇଥିଲେ।
ପଞ୍ଜାବର ଫ୍ରାଞ୍ଚାଇଜି ‘ସୁରମା ହକି କ୍ଲବ’ ନିଜ ରାଜ୍ୟର ଖେଳାଳି ତଥା ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହଙ୍କ ନିଲାମ ପ୍ରକ୍ରିୟା ସମୟରେ ଜୋରଦାର ଲଢ଼େଇ କରି ଶେଷରେ ତାଙ୍କୁ ୭୮ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା। ଯାହାର ଫଳସ୍ଵରୂପ ହରମନପ୍ରୀତ ସିଂହ ହକି ଇଣ୍ଡିଆ ଲିଗର ଦାମୀ ଖେଳାଳି ସାବ୍ୟସ୍ତ ହୋଇଥିଲେ। ସେହିପରି ‘ୟୁପି ରୁଦ୍ରସ୍’ ଘରୋଇ ଖେଳାଳି ଲଳିତ ଉପଧ୍ୟାୟଙ୍କୁ, ଏପରିକି ‘ତାମିଲନାଡୁ ଡ୍ରାଗନ୍ସ’ କାର୍ତ୍ତି ସେଲଭମଙ୍କୁ ନିଜ ଦଳରେ ସାମିଲ କରିଥିଲା।
ଅନ୍ୟ ଦଳରେ ଖେଳିବେ ଓଡ଼ିଆ ଖେଳାଳି
ହକି ଇଣ୍ଡିଆ ଲିଗରେ ଓଡ଼ିଶାର ତାରକା ଖେଳାଳି ଅମିତ ରୋହିଦାସ ତାମିଲନାଡୁ ଡ୍ରାଗନ୍ସ ତରଫରୁ ଖେଳିବେ। ତାଙ୍କୁ ପ୍ରାୟାଜକ ଦଳ ୪୮ ଲକ୍ଷ ଟଙ୍କାରେ ନିଜ ପକ୍ଷରେ ସାମିଲ କରିଛି। ସେହିପରି ଶୀଳାନନ୍ଦ ଲାକ୍ରା ୨୧ ଲକ୍ଷ ଟଙ୍କା ଓ ଅମନଦୀପ ଲାକ୍ରା ୯ ଲକ୍ଷ ଟଙ୍କାରେ ହାଇଦ୍ରାବାଦ ତୁଫାନ ଦଳରେ ସାମିଲ ହୋଇଛନ୍ତି।
ଅନ୍ୟପଟେ ଓଡ଼ିଶାର ଅନ୍ୟତମ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା, ଯୁବ ଖେଳାଳି ଦୀପସାନ ତିର୍କୀ, ନିଲମ ସଂଜୀପ ଖେସ ଓ ଅନମୋଲ ଏକ୍କା ରାଞ୍ଚିର ଗୋନାସିକା ଦଳରେ ସାମିଲ ହୋଇଛନ୍ତି। ଏହାସହ ସୁଦିପ ଚିରମାକୁ, ସୁନିଲ ଜୋଜୋ ଓ ପ୍ରଶାନ୍ତ ବରାଳ ୟୁପି ରୁଦ୍ରସ୍ ଦଳକୁ ଯାଇଥିବାବେଳେ ସୁନିତ ଲାକ୍ରା ପଞ୍ଜାବର ସୁରମା ହକି କ୍ଲବରେ ସାମିଲ ହୋଇଛନ୍ତି।
ତେବେ କଳିଙ୍ଗ ଲାନ୍ସର୍ସ ଦଳ ଅମିତ ରୋହଦାସଙ୍କୁ ହାତଛଡ଼ା କରିବା ପରେ ଅନ୍ୟ ଜଣେ ଭାରତୀୟ ଯୁବ ଡିଫେଣ୍ଡର ସଞ୍ଜୟଙ୍କୁ ୩୨ ଲକ୍ଷ ଟଙ୍କାରେ ନେଇଛି। ଏହାସହ ଦଳରେ ଓଡ଼ିଶାର ଖେଳାଳି ଭାବେ ରୋଶନ କୁଜୁର, ମୁକେଶ ଟପ୍ପୋ ଓ ପ୍ରତାପ ଲାକ୍ରା ସାମିଲ ହୋଇଛନ୍ତି।
“ହକି ଇଣ୍ଡିଆ ଲିଗର ପୁରୁଷ ଟୁର୍ଣ୍ଣାମେଣ୍ଟର ମ୍ୟାଚ ସବୁ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳା ଯିବ। ତେବେ ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା ତଥା ଦୀପସାନ ତିର୍କୀଙ୍କ ଭଳି ଖେଳାଳି ଅନ୍ୟ ଦଳରୁ କଳିଙ୍ଗ ଲାନ୍ସର୍ସ ବିରୋଧରେ ଖେଳିବେ। ଏଥିରେ ରାଜ୍ୟର ହକି ପ୍ରେମୀ କାହାକୁ ସାପୋର୍ଟ କରିବେ? ଏହା ସେମାନଙ୍କୁ ନିଶ୍ଚିତ ଦୁଃଖ ଦେବ”, କହିଛନ୍ତି ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ ହକି ଖେଳାଳି ପିଟର ତିର୍କୀ।
ଓଡ଼ିଶାର ମହିଳା ଦଳରେ ଦୀପ ଗ୍ରେସ
ଏହି ଟୁର୍ଣ୍ଣାମେଣ୍ଟରେ ଘରୋଇ ମହିଳା ଦଳ ଓଡ଼ିଶା ୱାରିୟର୍ସ ଓଡ଼ିଆ ଖେଳାଳି ଦୀପ ଗ୍ରେସ ଏକ୍କାଙ୍କୁ ନିଜ ପକ୍ଷରେ ସାମିଲ କରିବାରେ ସଫଳ ହୋଇଛି। ତାଙ୍କୁ ୧୦ ଲକ୍ଷ ଟଙ୍କାରେ ନେଇଛି ଦଳ। ସେହିପରି ଦଳରେ ଜ୍ୟୋତି ଛେତ୍ରୀ, ମାଧୁରୀ କିଣ୍ଡୋ ଓ ଅଞ୍ଜଳି ବାରୱାଙ୍କ ଭଳି ଭାରତୀୟ ଖେଳାଳି ସାମିଲ ହୋଇଛନ୍ତି।
ତେବେ ଓଡ଼ିଶାର ଅନ୍ୟ ଅନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ ସୁନେଲିତା ଟପ୍ପୋ ଦିଲ୍ଲୀ ପାଇପର୍ସ ଏବଂ ଅଜିମ୍ନା କୁଜୁର ପଞ୍ଜାବର ‘ସୁରମା ହକି କ୍ଲବ’ରେ ସାମିଲ ହୋଇଛନ୍ତି।
ବାଦ୍ ପଡ଼ିଲେ ରାଜ୍ୟର ଅନେକ ଖେଳାଳି
ଓଡ଼ିଶାରୁ ଅଧିକ ସଂଖ୍ୟାରେ ହକି ଖେଳାଳି ବାହାରି ଥାନ୍ତି। ହେଲେ ଏଥର ହକି ଇଣ୍ଡିଆ ଲିଗର ନିଲାମ ପ୍ରକ୍ରିୟାରେ ରାଜ୍ୟର ଖେଳାଳି ବିଶେଷ କରି ମହିଳା ଖେଳାଳିମାନଙ୍କୁ ନେବା ପାଇଁ ଫ୍ରାଞ୍ଚାଇଜିମାନେ ବିଶେଷ ଆଗ୍ରହ ପ୍ରକାଶ କରିନଥିଲେ। ରାଜ୍ୟର ପୂର୍ବତନ ଅଲିମ୍ପିଆନ୍ ସୁନୀତା ଲାକ୍ରା, ନମିତା ଟପ୍ପୋ, ଲିଲିମା ମିଞ୍ଜଙ୍କ ସମେତ ଅନେକ ଆଗ ଧାଡ଼ିର ଖେଳାଳି କୌଣସି ଦଳରେ ସାମିଲ ହେବାରେ ବିଫଳ ହୋଇଥିଲେ।
“ଓଡ଼ିଶା ହକିରେ ବହୁ ଦକ୍ଷ ଏବଂ ପ୍ରତିଭାବାନ ଖେଳାଳିମାନଙ୍କୁ ସୃଷ୍ଟି କରୁଛି। ହେଲେ ଏଥର ହକି ଇଣ୍ଡିଆ ଲିଗରେ ଆମ ଖେଳାଳିମାନଙ୍କୁ ଅଣଦେଖା କରାଯାଇଛି”, କହିଛନ୍ତି ସୁନ୍ଦରଗଡ଼ର ପୂର୍ବତନ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଭୟ ପଟ୍ଟନାୟକ।
ଅକ୍ଟୋବର ୧୩ରୁ ୧୫ ତାରିଖ ଯାଏଁ ହକି ଇଣ୍ଡିଆ ଲିଗ ପାଇଁ ୩ ଦିନିଆ ଖେଳାଳି ନିଲାମ ପ୍ରକ୍ରିୟା ଚାଲିଥିଲା। ଏଥିରେ ସବୁ ଦଳକୁ ସର୍ବାଧିକ ୮ ଜଣ ବିଦେଶୀ ଖେଳାଳିଙ୍କ ସମେତ ୨୪ ଜଣ ଖେଳାଳିଙ୍କୁ ନେଇ ଏକ ଦଳ ଗଠନ କରିବାକୁ ଅନୁମତି ଦିଆଯାଇଥିଲା। ଦଳରେ ଅତି କମରେ ୪ ଜଣ ଜୁନିୟର ହକି ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା।
ହକି ଇଣ୍ଡିଆ ଲିଗର ଚଳିତ ସିଜିନ ଡିସେମ୍ବର ୨୮ ତାରିଖରୁ ଆରମ୍ଭ ହୋଇ ୧ ଫେବ୍ରୁଆରି ୨୦୨୫ ଯାଏଁ ଚାଲିବ। ଏଥର ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗର ପୁରୁଷ ଦଳଗୁଡ଼ିକର ମ୍ୟାଚ ଖେଳାଯିବ। ସେହିପରି ରାଞ୍ଚିରେ ଲିଗର ମହିଳା ଦଳର ଟୁର୍ଣ୍ଣାମେଣ୍ଟ ଖେଳାଯିବ।
ହକି ଇଣ୍ଡିଆ ଲିଗରେ ଓଡ଼ିଶା ପୁରୁଷ ହକି ଦଳ ‘କଳିଙ୍ଗ ଲାନ୍ସର୍ସ’ର ମାଲିକାନା ବେଦାନ୍ତ ଗ୍ରୁପ ପାଖରେ ରହିଛି। ସେହିପରି ରାଜ୍ୟ ମହିଳା ଟିମ ‘ଓଡ଼ିଶା ୱାରିୟର୍ସ’ର ମାଲିକାନା ନବୋୟମ୍ ସ୍ପୋର୍ଟ୍ସ ଭେନ୍ଚର୍ସ ପ୍ରାଇଭେଟ୍ ଲିମିଟେଡ ପାଖରେ ରହିଛି।
୨୦୧୩ ମସିହାରେ ପ୍ରଥମ ଥର ପାଇଁ ହକି ଇଣ୍ଡିଆ ଲିଗ୍ ଆରମ୍ଭ ହୋଇଥିଲା। ୨୦୧୭ ମସିହାରେ ଏହା ଶେଷ ଥର ପାଇଁ ଆୟୋଜିତ ହୋଇଥିଲା। ଏଚଆଇଏଲର ୫ଟି ଯାକ ସଂସ୍କରଣରେ ଅଲଗା ଅଲଗା ଦଳ ଟାଇଟଲ ଜିତିଥିଲେ। ୨୦୧୭ ମସିହାରେ ଓଡ଼ିଶାର ‘କଳିଙ୍ଗ ଲାନ୍ସର୍ସ’ ଦଳ ଏହାର ଶେଷ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଥିଲା।
Tags: #HockeyIndiaLeague #HIL #KalingaLancers #OdishaWarriors #Sports #HockeyIndia #Odisha