ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’। ରବିବାର ସ୍ଥାନୀୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ।

ଏହି ସମ୍ମିଳନୀରେ ଓଡ଼ିଶାରେ ପୃଷ୍ଟି ଶସ୍ଯର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରିବା ସହ ଓଡ଼ିଶାକୁ ଭାରତର ମିଲେଟ ହବରେ ପରିଣତ କରିବା ଲାଗି ଗୁରୁତ୍ୱାରୋପ କରାଯାଇଛ। ଏହାସହ ଖାଦ୍ୟ ନିରାପତ୍ତା ତଥା ଅତ୍ୟାଧୁନିକ କୃଷି ପଦ୍ଧତି ଏବଂ ବିସ୍ମୃତ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରୋତ୍ସାହନ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ମିଳନୀର ପ୍ରଥମ ଦିନରେ ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ, ନୀତି ନିର୍ଦ୍ଧାରକ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ, ଗବେଷଣା ପ୍ରତିଷ୍ଠାନ, ସ୍ୱାସ୍ଥ୍ୟ ଅନୁଷ୍ଠାନ ତଥା ହୋଟେଲ ଆସୋସିଏସନର ସଦସ୍ୟଙ୍କ ସମେତ ଅନ୍ୟ ବିଶେଷଜ୍ଞମାନେ ଯୋଗ ଦେଇଥିଲେ।

“ପୁଷ୍ଟିଶସ୍ୟ ଆମ ଆଦିବାସୀ ଜନଜାତି ସମ୍ପ୍ରଦାୟଙ୍କ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି। ଏହା ଆମ ରାଜ୍ୟର କୃଷିର ଏକ ଅଭିନ୍ନ ଅଂଶବିଶେଷ। ଜଳବାୟୁ ସହିଷ୍ଣୁତା ଗୁଣ ସହ ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଗୁଡିକ ପୁଷ୍ଟି ଏବଂ ଖାଦ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ଗରୁତ୍ୱପୂର୍ଣ୍ଣ ଅଟେ। ଏହି ଶ୍ରୀ ଅନ୍ନ ଚାଷ ଆଜି ସାରା ଦେଶରେ ଏକ ବିପ୍ଳବର ରୂପ ନେଇଛି। ଏଥିରେ ଓଡ଼ିଶା ଅଗ୍ରଣୀ ଭୂମିକା ବହନ କରୁଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶାରେ ମାଣ୍ଡିଆ ଚାଷକୁ ଆମ ମହିଳା ଚାଷୀମାନେ ଏକ ଆନ୍ଦୋଳନରେ ପରିଣତ କରିଛନ୍ତି। ଆମ ସରକାର ଶ୍ରୀ ଅନ୍ନର ଅଧିକ ଉତ୍ପାଦନ ପାଇଁ ଚାଷୀମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେଉଛନ୍ତି। ଆମକୁ ଏହାକୁ ଲୋକଙ୍କ ଦୈନନ୍ଦିନ ଖାଦ୍ୟ ଶୃଙ୍ଖଳା ମଧ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପଡ଼ିବ।”

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟରେ ମିଲେଟ ଜାତୀୟ ଫସଲର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରିବା ସହ ଓଡ଼ିଶାକୁ ମିଲେଟ ହବରେ ପରିଣତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଏଥିପାଇଁ ଚଳିତ ବର୍ଷ ବଜେଟରେ ୬୪୯ କୋଟି ଟଙ୍କାର ପ୍ରାବଧାନ କରାଯାଇଛି।”

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଗକୁ ଆସୁଥିବା ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ ଲାଗି କରିବା ପାଇଁ ରାଜ୍ଯର ମହିଳାମାନଙ୍କୁ ଅନୁରୋଧ କରିଥିଲେ।

କାର୍ଯ୍ୟକ୍ରମରେ ବିସ୍ମୃତ ଖାଦ୍ୟର ପୁନରୁଦ୍ଧାର ସମ୍ପର୍କିତ ପୁସ୍ତକ ଉନ୍ମୋଚିତ ହେବା ସହିତ ମିଲେଟ ଉତ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା କୋରାପୁଟ, ସୁନ୍ଦରଗଡ଼ ଏବଂ ରାୟଗଡ଼ା ଜିଲ୍ଲାକୁ ପୁରସ୍କୃତ କରାଯାଇଥିଲା।

ସେହିପରି ରାଜ୍ଯରେ ଶ୍ରୀ ଅନ୍ନ ଓ ଅନ୍ୟ ବିଲୁପ୍ତପ୍ରାୟ ଫସଲ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ଶ୍ରେଷ୍ଠ ପୁଷ୍ଟିଶସ୍ୟ ଚାଷୀ, ଶ୍ରେଷ୍ଠ ବିଲୁପ୍ତପ୍ରାୟ ଫସଲ ସଂରକ୍ଷକ କୃଷକ, ଶ୍ରେଷ୍ଠ କୃଷକ ଉତ୍ପାଦକ ସଂଗଠନ, ଶ୍ରେଷ୍ଠ ସହଭାଗୀ ସଂସ୍ଥା ଏବଂ ଶ୍ରେଷ୍ଠ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ମିଳନୀରେ ସମ୍ମାନିତ କରାଯାଇଥିଲା।

ଏହି ସମ୍ମିଳନୀରେ ଖାଦ୍ୟ ଓ କୃଷି ସଂଗଠନ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ଏସିଆ ପାସିଫିକ୍‌ ଆସୋସିଏସନ୍‌ ଅଫ୍‌ ଏଗ୍ରିକଲଚରାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁସନ, ଜାତୀୟ ଉଦ୍ଭିଦ ଆନୁବଂଶିକ ସମ୍ବଳ କେନ୍ଦ୍ର, କେନ୍ଦ୍ରୀୟ କନ୍ଦ ଫସଲ ଗବେଷଣା ପ୍ରତିଷ୍ଠାନ, ଜାତୀୟ ପୋଷଣ ସଂସ୍ଥାନ, ଏମ୍‌.ଏସ୍‌. ସ୍ୱାମୀନାଥନ୍‌ ଗବେଷଣା ପ୍ରତିଷ୍ଠାନ, ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ, ଉଦ୍ଭିଦ କିସମ ଓ କୃଷକ ଅଧିକାର ସୁରକ୍ଷା ପ୍ରାଧିକରଣ ଭଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସଂଗଠନରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଛନ୍ତି।

ସମ୍ମିଳନୀରେ ଶ୍ରୀ ଅନ୍ନ ଓ ବିଲୁପ୍ତପ୍ରାୟ ଫସଲ ଚାଷ, ଏହାର ପ୍ରକ୍ରିୟାକରଣ ଓ ପ୍ରୋତ୍ସାହନ ଆଧାରିତ ବିଭିନ୍ନ ବିଷୟବସ୍ତୁକୁ ନେଇ ୧୧ଟି ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣକାରୀମାନେ ଓଡ଼ିଶା ଭାରତର ମିଲେଟ୍‌ ହବ୍‌ରେ ପରିଣତ ହେବା, ବିଶ୍ୱରେ ବିସ୍ମୃତ ଖାଦ୍ୟ ସହ ଜଡ଼ିତ ଆହ୍ୱାନ, ଶ୍ରୀ ଅନ୍ନ ରପ୍ତାନୀ ସମ୍ଭାବନା ଓ ଶିଳ୍ପାନୁଷ୍ଠାନର ଯୋଗଦାନ ସମ୍ପର୍କରେ ଅବଗତ ହୋଇପାରିବେ।

ରବିବାର ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଶାସନ ସଚିବ ମନୋଜ ଆହୁଜା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ତଥା ଏମ୍‌ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷ ଡକ୍ଟର ସୌମ୍ୟା ସ୍ୱାମୀନାଥନ, ନୀତି ଆୟୋଗର ସଦସ୍ୟ ପ୍ରଫେସର ରମେଶ ଚାନ୍ଦ ଓ ରାଜ୍ଯ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ପ୍ରମୁଖ ଯୋଗ ଦେଇଥିଲେ।

Tags: #ShreeAnna&ForgottenFoodsSummit #InternationalSymposium #Millets #AFWDept #Bhubaneswar #Odisha

LEAVE A REPLY

Please enter your comment!
Please enter your name here