ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହର ଆୟୋଜିତ।
ଆଜି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ। ସାରା ଭାରତରେ ପାଳିତ ହେଉଛି ଜନଜାତୀୟ ଗୌରବ ଦିବସ। ଏହି ଅବସରରେ ଭୁବନେଶ୍ଵରସ୍ଥିତ ଜନତା ମଇଦାନରେ ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଦିବାସୀ ବର୍ଗଙ୍କ ବିକାଶ ଓ ସୁରକ୍ଷା ପାଇଁ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଖୁବଶୀଘ୍ର ରାଜ୍ୟରେ ‘ପେସା’ ଆଇନ ଲାଗୁ ହେବ ବୋଲି ଘୋଷଣା କରିଥିଲେ।
“ଭଗବାନ ବିର୍ସା ମୁଣ୍ଡା ଆମ ସ୍ଵାଧୀନତା ସଂଗ୍ରାମର ଏକ ପ୍ରେରଣାଦାୟୀ ପୁରୁଷ। ତାଙ୍କର ଜନ୍ମ ଦିନରେ ଜନଜାତି ସମ୍ପ୍ରଦାୟର ସମୃଦ୍ଧ ପରମ୍ପରାକୁ ସମ୍ମାନ ଜଣାଇବା ପାଇଁ ପାଳିତ ହେଉଛି ଜନଜାତୀୟ ଗୌରବ ଦିବସ। ଜନଜାତି ସମ୍ପ୍ରଦାୟ ଓଡ଼ିଶାର ଶକ୍ତି ଓ ଆତ୍ମା। ଆଦିବାସୀ ସଂସ୍କୃତିକୁ ସୁରକ୍ଷା ଦେବା ଆମ ସରକାରଙ୍କ ପ୍ରାଥମିକତା”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସେ ଆହୁରି ମଧ୍ୟ କହିଛନ୍ତି, “ଆଦିବାସୀମାନଙ୍କୁ ଆହୁରି ଶସକ୍ତ କରିବା ପାଇଁ ଆମେ ରାଜ୍ୟରେ ‘ପେସା’ ଆଇନ ଲାଗୁ କରିବୁ। ପେସା ଆଇନ ଲାଗୁ ହେବା ପୂର୍ବରୁ ଲୋକଙ୍କ ମତ ନେବା ସହ ସଚେତନତା ସଭା କରାଯିବ। ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ସବୁ ଗାଁରେ ଜନସଭା ହେବ। ପେସା ଆଇନ କିପରି କାର୍ଯ୍ୟକାରୀ ହେବ ସେ ନେଇ ବିସ୍ତୃତ ଆଲୋଚନା ହେବ।”
ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଅଧିକାର ସ୍ୱୀକୃତ ଆଇନ ପୋର୍ଟାଲର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଆଦିବାସୀ ହିତାଧିକାରୀମାନେ ଏହି ପୋର୍ଟାଲ ମାଧ୍ୟମରେ ଜମି ପଟ୍ଟା ପାଇଁ ଆବେଦନ କରିପାରିବ। ଏହି ଅବସରରେ ୧,୫୩୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। ଏଥିରେ ଭୁବନେଶ୍ୱର ଗୋଠପାଟଣାଠାରେ ଜନଜାତି ଐତିହ ଓ ସ୍ୱାଭିମାନ ଭବନ ସହ ରାଜ୍ୟରେ ୪୨୬ଟି ଜନଜାତୀୟ ଆବାସିକ ବିଦ୍ୟାଳୟ ପ୍ରକଳ୍ପ ସାମିଲ ରହିଛି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ, କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବିକାଶ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ଵର-ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଯୋଗ ଦେଇଥିଲେ।
Tags: #JanajatiyaGauravDivas #BirsaMunda #TribalLeader #CMMohanCharanMajhi #Bhubaneswar