ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବିଶ୍ଵସ୍ତରୀୟ ରେକର୍ଡରେ ସ୍ଥାନ ପାଇଛନ୍ତି ବାଲେଶ୍ୱର ମାଟିର ପୁଅ ଡକ୍ଟର ପଙ୍କଜ କୁମାର ଜେନା। ସେ ବାହାର କରିଥିବା ନୂତନ ନୈତିକତା ଶିକ୍ଷା ପଦ୍ଧତି ଲଣ୍ଡନ ଓ୍ଵାର୍ଲଡ୍ ବୁକ୍ ଅଫ୍ ରେକର୍ଡରେ ସାମିଲ ହୋଇଛି। ଏନେଇ ଇନ୍ଦୋରରେ ସଂସ୍ଥା ପକ୍ଷରୁ ହୋଇଥିବା ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ସି ପଟେଲ ତାଙ୍କୁ ସମ୍ମାନିତ କରିଥିଲେ।
ଡକ୍ଟର ପଙ୍କଜ କୁମାର ଜେନା ଏବେ ମଙ୍ଗଳପୁରର ଶ୍ରୀନିବାସ ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ଭବିଷ୍ୟତ ପିଢ଼ି କେମିତି ଭଲ ମଣିଷ ହୋଇ ନିଜ ପରିବାର ଓ ଦେଶର ସେବାରେ ସମର୍ପିତ ହେବେ ଏ ଦିଗରେ ସେ ଏକ ପାଠ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତି।
ଏହି ୬ ମାସିଆ ପାଠ୍ୟ ଖସଡ଼ାରେ ଆଗାମୀ ପିଢ଼ି କେମିତି ନଷ୍ଟ ନହୋଇ ଜଣେ ଜଣେ ଭଲ ମଣିଷ ହେବେ, ଆତ୍ମହତ୍ୟା କେମିତି ନକରିବେ, ବାପା ଓ ମାଆଙ୍କର ପିଲାମାନେ କେମିତି ଯତ୍ନ ନେବେ, ପିଲାଟିଏ କେମିତି ନିଜ ପୂର୍ବପୁରୁଷଙ୍କ କଥା ମନେରଖିବେ ସେନେଇ ଉଲ୍ଲେଖ ରହିଛି।
ଡକ୍ଟର ପଙ୍କଜ କୁମାର ଜେନାଙ୍କ ମତରେ ଆଗାମୀ ପିଢ଼ି ନିଜ ପରିବାରକୁ ଭୁଲିଗଲେ, ତେବେ ସେମାନେ ନିଜ ଦେଶର ହୋଇ ପାରିବେନାହିଁ। ଏହି ଛଅ ମାସିଆ ପାଠ୍ୟ ଖସଡ଼ା ଦ୍ୱାରା ପିଲାମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଗ୍ରେଟ ବ୍ରିଟେନର ରାଜା ଚାର୍ଲସଙ୍କ ପ୍ରତିନିଧି ସିମୋନ ନୋଏଲ ଓଭେନ୍ସ, ୟୁରୋପିୟାନ ଓ୍ଵାର୍ଲଡ୍ ବୁକ୍ ଅଫ୍ ରେକର୍ଡର ସଭାପତି ୱିଲିଅମ ଜେଝଲର ଓ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ରାଜରାଜେଶ୍ୱର ଗୁରୁଜୀ ପ୍ରମୁଖ ଯୋଗ ଦେଇଥିଲେ।
Tags: #DrPankajKumarJena #LondonWorldBookofRecords #Teaching #Baleswar #Odisha