ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ପ୍ରତିଷ୍ଠା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି ଓଡ଼ିଶା ସରକାର। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି। ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ କିପରି ଗଠିତ ହେବ ସେ ନେଇ ଟାସ୍କ ଫୋର୍ସ ସମୀକ୍ଷା କରିବ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦରେ କେଉଁ କେଉଁ ଜିଲ୍ଲା ଓ ବ୍ଲକ ସାମିଲ ହେବେ ତଥା ପରିଷଦର ଢାଞ୍ଚା ଓ କାର୍ଯ୍ୟପ୍ରଣାଳୀ କିପରି ରହିବ, ସେନେଇ ତୃଣମୂଳ ସ୍ତରରେ ମତାମତ ନେବ ଟାସ୍କ ଫୋର୍ସ। ଏହା ୩୦ ଦିନ ମଧ୍ୟରେ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ।
ଏହି ଟାସ୍କ ଫୋର୍ସରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ମୋଟ ୯ ଜଣ ସଦସ୍ୟ ରହିଛନ୍ତି।
Tags: #SouthernOdishaDevelopmentCouncil #TaskForce #GovtofOdisha