ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୧୩ଟି ଜିଲ୍ଲାରେ ୨୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଗଠନ କରାଯାଇଛି। ଏହାସହ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏନଏସି ମ୍ୟୁନିସିପାଲିଟିକୁ ଉନ୍ନୀତ ହୋଇଛି। ଏନେଇ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି, ବଲାଙ୍ଗିର ଜିଲ୍ଲାର ଲୋଇସିଂହା ଓ ସିନ୍ଧେକେଲା, ବରଗଡ଼ ଜିଲ୍ଲାର ସୋହେଲା, ବାଲେଶ୍ଵର ଜିଲ୍ଲାର ବାଲିଆପାଳ ଓ ଖଇରା ଏବଂ ଭଦ୍ରକ ଜିଲ୍ଲାର ଧାମରାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଯାଇଛି।

ସେହିପରି ଢେଙ୍କାନାଳ ଜିଲ୍ଲାର ରାସୋଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, କଳାହାଣ୍ଡି ଜିଲ୍ଲାର ନର୍ଲା ଓ ମଦନପୁର ରାମପୁର, ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼, ନୟାଗଡ଼ ଜିଲ୍ଲାର ଶରଣକୁଳ, ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଓ କାକଟପୁର, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଓ ବାମଣ୍ଡା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା, ଉଲୁଣ୍ଡା ଓ ରାମପୁରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହୋଇଛି।

ଏହି ସବୁ ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି ତଥା ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଏଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନଏସି ଗଠନ ନେଇ ଅନେକ ସମୟରୁ ଉକ୍ତ ଅଞ୍ଚଳର ଲୋକମାନଙ୍କର ମଧ୍ୟ ଦାବି ରହିଆସିଥିଲା।

ଏହାପୂର୍ବରୁ ରାଜ୍ୟ ସରକାର ଗତ ଫେବ୍ରୁଆରି ମାସରେ ରାଜ୍ୟରେ ୩୫ଟି ନୂଆ ଏନଏସି ଓ ୫ଟି ନୂଆ ମ୍ୟୁନିସିପାଲିଟି ଗଠନ କରିବାପାଇଁ ଘୋଷଣା କରିଥିଲେ।

Tags: #Odisha #NAC #Municipality #GovtofOdisha

Comment