ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ରବିବାରଠାରୁ ଆରମ୍ଭ ହେଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୫। ଏହି ମେଳାରେ ବିଭିନ୍ନ ଆଦିବାସୀ ଜନଜାତିଙ୍କ ଜୀବନ ଶୈଳୀର ଏକ ନିଆରା ରୂପ ପ୍ରଦର୍ଶିତ ହେବ। ଆଦିବାସୀ ଚଳଣି, ପରମ୍ପରା ଓ ଅନ୍ୟାନ୍ୟ ସାମଗ୍ରୀ ଲୋକମାନଙ୍କୁ କରିବ ଆକର୍ଷିତ। ଜାନୁଆରି ୫ରୁ ୧୬ ତାରିଖ ଯାଏଁ ୧୨ ଦିନ ଧରି ଏହି ମେଳା ଚାଲିବ।
ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଦ୍ୱାରା ଆଦିବାସୀ ମେଳା ଆୟୋଜିତ ହେଉଛି। ଏହି ମେଳାରେ ଜୁଆଙ୍ଗ, ସାନ୍ତାଳ, କିସାନ, ମୁଣ୍ଡାରୀ, ସଉରା ଓ ବଣ୍ଡା ଭଳି ବିଭିନ୍ନ ଆଦିବାସୀ ଜନଜାତିଙ୍କର ଜୀବନଶୈଳୀ ଦେଖିବାକୁ ମିଳିବ। ଏହାସହ ଆଦିବାସୀ ଗ୍ରାମ, ଆଦିବାସୀ ହାଟ, କଳା ଓ ହସ୍ତଶିଳ୍ପ ଗ୍ରାମ, ଜନଜାତି ଫୁଡ୍ କୋର୍ଟ, ଲାଇଭ୍ ଡେମନଷ୍ଟ୍ରେସନ୍ ଓ ବିର୍ସା ମୁଣ୍ଡା ପାଭିଲିୟନ୍ ଚଳିତ ବର୍ଷ ମେଳାର ମୁଖ୍ୟ ଆକର୍ଷଣ ସାଜିବ।
ମେଳାରେ କଳା ଓ ହସ୍ତଶିଳ୍ପ ଗ୍ରାମ ପାଇଁ ୪୦ଟି ଷ୍ଟଲ୍ ରହିଥିବାବେଳେ ୧୫ଟି ଷ୍ଟଲରେ ଆଦିବାସୀ ହସ୍ତଶିଳ୍ପର ଲାଇଭ୍ ଡେମନଷ୍ଟ୍ରେସନ୍ ହେବ। ଏଥିସହ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପାଭିଲିୟନରେ ତାଙ୍କ ଜୀବନୀ ତଥା ରାଜ୍ୟ ତଥା ଦେଶର ସ୍ଵାଧୀନତା ସଂଗ୍ରାମରେ ତାଙ୍କ ଅବଦାନ ସମ୍ପର୍କିତ ଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯିବ ।
ପ୍ରତିଦିନ ଅପରାହ୍ନ ୨ଟା ୩୦ରୁ ରାତି ୯ଟା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ପଡ଼ିବ। ଏହାଛଡ଼ା ସଂଧ୍ୟା ୬ଟାରୁ ଏଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାସହ ଓଡ଼ିଶାର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପର୍ଯ୍ୟବେଶିତ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ ମଧ୍ୟ ଆୟୋଜନ କରାଯିବ।
Tags: #AdivasiMela2025 #TribalExhibition #Tribalcommunity #STSCdevelopmentDept #Bhubaneswar #Odisha