ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ବାଲ୍ୟ ବିବାହର କୁପ୍ରଥା ଅନେକ ସମୟରୁ ଚାଲି ଆସୁଛି। ଏହା ଲକ୍ଷ ଲକ୍ଷ ଶିଶୁଙ୍କ ଅଧିକାରକୁ ଉଲ୍ଲଂଘନ କରିବା ସହ ସେମାନଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଛି। ବିଗତ କିଛି ବର୍ଷ ଧରି ଦେଶରେ ବାଲ୍ୟ ବିବାହ ଘଟଣା ହ୍ରାସ ପାଉଥିବାବେଳେ ଏହି ପ୍ରଥାକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଗୁରୁତ୍ଵ ଦେଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ ଦେଶରେ ବାଲ୍ୟ ବିବାହକୁ ଉଚ୍ଛେଦ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏନେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି।

ବାଲ୍ୟ ବିବାହ ବନ୍ଦ କରିବା ଚ୍ୟାଲେଞ୍ଜ

ସୁପ୍ରିମକୋର୍ଟଙ୍କ କହିବା ଅନୁଯାୟୀ, ୨୦୦୬ରେ ବାଲ୍ୟ ବିବାହ ନିଷେଧ ଆଇନ (ପିସିଏମ୍ଏ) ପ୍ରଣୟନ ହେବା ପରଠାରୁ ଭାରତରେ ବାଲ୍ୟ ବିବାହର ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର (ଏନଏଫଏଚଏସ) ତଥ୍ୟ ଅନୁଯାୟୀ, ୨୦୦୫-୦୬ରୁ ୨୦୧୫-୧୬ ମଧ୍ୟରେ ଭାରତରେ ବାଲ୍ୟବିବାହ ୪୭ ପ୍ରତିଶତରୁ ୨୭ ପ୍ରତିଶତକୁ ଖସି ଆସିଥିଲା। ୨୦୧୯-୨୧ ସମୟରେରେ ଏହା ୨୩.୩ ପ୍ରତିଶତକୁ ଖସି ଆସିଛି। ଏହି ଅଗ୍ରଗତି ସତ୍ତ୍ୱେ, ବିଶେଷ କରି ଗ୍ରାମୀଣ ଏବଂ ଅବହେଳିତ ସମ୍ପ୍ରଦାୟ ମଧ୍ୟରେ ବାଲ୍ୟ ବିବାହ ଏବେ ବି ଏକ ପ୍ରମୁଖ ସମସ୍ୟା ହୋଇ ରହିଛି। 

୨୦୧୧ ହୋଇଥିବା ଜନଗଣନା ଅନୁଯାୟୀ ଭାରତରେ ୧୦-୧୯ ବର୍ଷ ବୟସର ୧ କୋଟି ୭୦ ଲକ୍ଷ ଶିଶୁ ବିବାହିତ ଥିଲେ। ନିକଟରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ବର୍ତ୍ତମାନ ଦେଶରେ ୧ କୋଟି ୧୪ ଲକ୍ଷରୁ ଅଧିକ ଶିଶୁ ବାଲ୍ୟ ବିବାହର ଶିକାର ହେଉଛନ୍ତି।

ଆଞ୍ଚଳିକ ଅସମାନତା ଏବଂ ଅପର୍ଯ୍ୟାପ୍ତ ବ୍ୟବସ୍ଥା

ସୁପ୍ରିମକୋର୍ଟଙ୍କ ଏହି ରାୟରେ ବିଭିନ୍ନ ରାଜ୍ୟରେ ବାଲ୍ୟ ବିବାହର ରିପୋର୍ଟିଂ ଏବଂ ଏହାର ମୁକାବିଲାରେ ବ୍ୟାପକ ଅସମାନତା ଦର୍ଶାଯାଇଛି। ଅରୁଣାଚଳ ପ୍ରଦେଶ, ଗୋଆ, ମଣିପୁର, ଓଡ଼ିଶା, ସିକ୍କିମ, ଜମ୍ମୁ କଶ୍ମୀର ଏବଂ ଲାକ୍ଷାଦ୍ୱୀପ ଭଳି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ବାଲ୍ୟ ବିବାହ ତଥ୍ୟ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରି ନଥିଲେ। ସେଠାରେ ବାଲ୍ୟ ବିବାହର ଟ୍ରାକିଂ ଏବଂ ରିପୋର୍ଟିଂ ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ଦର୍ଶାଯାଇଥିଲା।

ବାଲ୍ୟ ବିବାହ ରୋକିବା ପାଇଁ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ହଜାର ହଜାର ବାଲ୍ୟ ବିବାହ ନିଷେଧ ଅଧିକାରୀ (ସିଏମପିଓ) ନିଯୁକ୍ତ କରାଯାଇଥିବାବେଳେ ଉତ୍ତରପ୍ରଦେଶ ଭଳି ଅନ୍ୟ ରାଜ୍ୟରେ ଜିଲ୍ଲା ପିଛା ମାତ୍ର ଜଣେ ସିଏମପିଓ ଅଛନ୍ତି। ତେବେ ଅଦାଲତ କହିଛନ୍ତି ଯେ କେବଳ ନିଯୁକ୍ତି କରିଦେଲେ ଉଦ୍ଦେଶ୍ୟ ଫଳପ୍ରଦ ହେବ ନାହିଁ। ଏଥିପାଇଁ ଅତିରିକ୍ତ ପ୍ରଶାସନିକ ଦାୟିତ୍ୱ ଓ ସିଏମପିଓମାନଙ୍କୁ ସ୍ୱତନ୍ତ୍ର ଭାବରେ ଉତ୍ସର୍ଗୀକୃତ ହେବା ଆବଶ୍ୟକ। 

ବାଲ୍ୟ ବିବାହ ମୁକାବିଲା ପାଇଁ ବ୍ୟାପକ ମାର୍ଗଦର୍ଶିକା

ଶିଶୁଙ୍କ ଯତ୍ନ ଓ ସୁରକ୍ଷା (ଜୁଭେନାଇଲ ଜଷ୍ଟିସ୍ ବା ଜେଜେ) ଆଇନ, ଶିକ୍ଷା ଅଧିକାର (ଆରଟିଇ) ଆଇନ ଏବଂ ପିସିଏମଏ ସମେତ ପ୍ରଚଳିତ ଆଇନଗୁଡ଼ିକର କାର୍ଯ୍ୟକାରିତାକୁ ସୁଦୃଢ଼ କରିବା ପାଇଁ ସୁପ୍ରିମକୋର୍ଟ ଏହି ପରିପ୍ରେକ୍ଷୀରେ ବିସ୍ତୃତ ମାର୍ଗଦର୍ଶିକା ନିର୍ଦ୍ଧାରଣ କରିଛନ୍ତି। ମୁଖ୍ୟ ନିର୍ଦ୍ଦେଶନାମାଗୁଡ଼ିକ ମଧ୍ୟରେ ରହିଛି:

ଉତ୍ସର୍ଗୀକୃତ ସିଏମପିଓ: ସୁପ୍ରିମକୋର୍ଟ କହିଛନ୍ତି, ତୃଣମୂଳ ସ୍ତରରେ ବାଲ୍ୟ ବିବାହକୁ ରୋକିବା ଏବଂ ଏହାର ସମାଧାନ କରିବା ପାଇଁ ଦେଶର ସମସ୍ତ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ସହିତ ସିଏମପିଓ ନିଯୁକ୍ତ କରନ୍ତୁ। ଏହି ଅଧିକାରୀମାନେ ବାଲ୍ୟ ବିବାହର ମୂଳ କାରଣଗୁଡ଼ିକୁ ଚିହ୍ନଟ କରିବେ। ଏହାର ସମାଧାନ କରିବା ପାଇଁ ସ୍ଥାନୀୟ ସଂଗଠନ ଏବଂ ସମ୍ପ୍ରଦାୟ ସହିତ ମିଳିତ ଭାବରେ କାର୍ଯ୍ୟ କରିବା ଆବଶ୍ୟକ। 

ମନିଟରିଂ ୟୁନିଟ୍: ବାଲ୍ୟ ବିବାହ ହ୍ରାସର ଅଗ୍ରଗତିର ସମୀକ୍ଷା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଦେଶର ସମସ୍ତ ରାଜ୍ୟ ସରକାର ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ମନିଟରିଂ ୟୁନିଟ୍ ପ୍ରତିଷ୍ଠା କରନ୍ତୁ।

ବୟସ-ଉପଯୁକ୍ତ ଶିକ୍ଷା: ପିଲାମାନଙ୍କୁ ସଶକ୍ତ କରିବା ଏବଂ ପୁରୁଷତାନ୍ତ୍ରିକ ମାନଦଣ୍ଡକୁ ଚ୍ୟାଲେଞ୍ଜ କରିବା ପାଇଁ ବିଦ୍ୟାଳୟରେ ଉପଯୁକ୍ତ ଶିକ୍ଷାର ପ୍ରଚଳନ। 

କ୍ଷତିପୂରଣ ଯୋଜନା: ବାଲ୍ୟ ବିବାହରୁ ଉଦ୍ଧାର ହୋଇଥିବା ଝିଅମାନଙ୍କ ପାଇଁ କ୍ଷତିପୂରଣ ଯୋଜନା ପ୍ରସ୍ତୁତ କରିବା। ସେମାନଙ୍କ ଥଇଥାନ ଏବଂ ଶିକ୍ଷା ପାଇଁ ବଜେଟ୍ ବ୍ୟୟବରାଦ କରିବା। 

ରିପୋର୍ଟିଂ ଏବଂ ଥଇଥାନ: ବାଲ୍ୟ ବିବାହ ମାମଲା ରିପୋର୍ଟ କରିବା ପାଇଁ ଏକ ଅନଲାଇନ୍ ପୋର୍ଟାଲ ତିଆରି ହେବା ଆବଶ୍ୟକ। ପୀଡ଼ିତମାନଙ୍କୁ ଠିକ୍ ସମୟରେ ଉଦ୍ଧାର ଏବଂ ଥଇଥାନ ସୁନିଶ୍ଚିତ କରାଯିବ। ଜେଜେ ଆକ୍ଟ ଅନୁଯାୟୀ ବିବାହିତ ପିଲାମାନଙ୍କ ଯତ୍ନ ଏବଂ ସୁରକ୍ଷା ସୁନିଶ୍ଚିତ କରିବାା

ବ୍ୟବସ୍ଥାଗତ ଆହ୍ୱାନର ମୁକାବିଲା

ସୁପ୍ରିମକୋର୍ଟଙ୍କ ଏହି ରାୟରେ ବାଲ୍ୟ ବିବାହ ଉଚ୍ଛେଦ ପ୍ରୟାସକୁ ଦୁର୍ବଳ କରୁଥିବା ବ୍ୟବସ୍ଥାଗତ ସମସ୍ୟା ଉପରେ ଆଲୋକପାତ କରାଯାଇଛି। ଏହି ଭଳି ମାମଲାରେ ଦୀର୍ଘ ଦିନ ଧରି ବିଚାର ଏବଂ ଦୋଷୀ ସାବ୍ୟସ୍ତ ହାର କମ୍ ରହିଛି। ୨୦୨୨ରେ ନିମ୍ନ ଅଦାଲତରେ ରହିଥିବା ୩,୫୬୩ଟି ବାଲ୍ୟ ବିବାହ ମାମଲା ମଧ୍ୟରୁ ମାତ୍ର ୧୮୧ଟି ସଫଳତାର ସହ ସମ୍ପୂର୍ଣ ହୋଇଛି। ଏହି ହାରରେ କେବଳ ୨୦୨୨ରୁ ବିଚାର ପପେକ୍ଷାରେ ଥିବା ମାମଲାର ଶୁଣାଣି ଶେଷ କରିବାକୁ ପ୍ରାୟ ଦୁଇ ଦଶନ୍ଧି ସମୟ ଲାଗିପାରେ। ଏହାକୁ ଦୃଷ୍ଟିରେ ରଖି ଏଥିପାଇଁ ଦୃଢ଼ ଅଭିଯାନ ବ୍ୟବସ୍ଥା, ଉନ୍ନତ ଟ୍ରାକିଂ ବ୍ୟବସ୍ଥା ଏବଂ ଉନ୍ନତ ମାନବ ସମ୍ବଳ ଆବଶ୍ୟକତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି।

ଓଡ଼ିଶାକୁ ପ୍ରଶଂସା

ସୁପ୍ରିମକୋର୍ଟ ଓଡ଼ିଶାର ୧୩ ହଜାର ୯୩୬ଟି ଗାଁକୁ ବାଲ୍ୟ ବିବାହ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିବା ଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରିବା ପାଇଁ ଓଡ଼ିଶାରେ ମାନକ ରାଜ୍ୟ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ଏହାବ୍ୟତୀତ ଶିଶୁ କଲ୍ୟାଣ ପ୍ରସଙ୍ଗରେ ଆନ୍ତଃବିଭାଗୀୟ ସମନ୍ୱୟରେ ଉନ୍ନତି ଆଣିବା ପାଇଁ ତ୍ରୈମାସିକ ‘ଶିଶୁ ଦିବସ’ ବୈଠକ ଆରମ୍ଭ କରାଯାଇଛି।

ଆକ୍ସନଏଡ୍ ଆସୋସିଏସନ୍, ୟୁନିସେଫ୍ ଇଣ୍ଡିଆ ଭଳି ଅନ୍ତର୍ଜାତୀୟ ସଂସ୍ଥା ଏବଂ ଅନ୍ୟ ସଂଗଠନ ମଧ୍ୟରେ ଭାଗିଦାରୀ ଦ୍ୱାରା ଏହି ସବୁ ପଦକ୍ଷେପ କାର୍ଯ୍ୟକାରୀ ହୋଇଛି। ଏହା ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ଲୋକ ତଥା ବିଭିନ୍ନ ଗୋଷ୍ଠୀଙ୍କ ଭୂମିକା ଏବଂ ପ୍ରତିବଦ୍ଧତାକୁ ପ୍ରୋତ୍ସାହିତ କରିଛି ବୋଲି ଶୀର୍ଷ ଅଦାଲତ କହିଛନ୍ତି।

ଅନ୍ତର୍ଜାତୀୟ ଏବଂ ସାମ୍ବିଧାନିକ ଦାୟିତ୍ୱର ଭୂମିକା

ସୁପ୍ରିମକୋର୍ଟ ଏହି ରାୟରେ ବାଲ୍ୟ ବିବାହ ଦ୍ୱାରା ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଶିଶୁ ଅଧିକାର ସଂକ୍ରାନ୍ତ ଚୁକ୍ତି (ସିଆରସି) ଅନୁଯାୟୀ, ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତ୍ୟେକ ଶିଶୁର ଶିକ୍ଷା ଓ ସୁରକ୍ଷାର ଅଧିକାର ରହିଛି। ତେବେ ଦେଶରେ ଶିକ୍ଷା ଅଧିକାର (ଆରଟିଇ) ଆଇନ ଅନୁଯାୟୀ ଭାରତର ସାମ୍ବିଧାନିକ ଦାୟିତ୍ୱ ମାତ୍ର ୧୪ ବର୍ଷ ବୟସ ପର୍ଯ୍ୟନ୍ତ ରହିଛି, ଯାହା ଫଳରେ ୧୪ ରୁ୧୮ ବର୍ଷ ବୟସର କିଶୋର କିଶୋରୀମାନେ ଅସୁରକ୍ଷିତ ରହୁଛନ୍ତି।

ବାଲ୍ୟବିବାହ ଆଇନ ଏବଂ ବ୍ୟକ୍ତିଗତ ଆଇନ ପରସ୍ପରର ପରିପୂରକ ହେବା ତଥା ପିସିଏମଏ ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଆଇନର ସଂଯୋଗ ପାଇଁ ମାର୍ଗଦର୍ଶିକାରେ କୁହାଯାଇଛି। ଏହାସହ କିଶୋରୀଙ୍କ ଗର୍ଭଧାରଣ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନ ଓ ଅନ୍ୟ ଆଇନଗତ ଢାଞ୍ଚାରେ ଥିବା ସମସ୍ୟାକୁ ଦୂର କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ଏକ ଅଧିକାର ଭିତ୍ତିକ ଆଭିମୁଖ୍ୟ

ବାଲ୍ୟବିବାହକୁ ବନ୍ଦ କରିବା ପାଇଁ ସମ୍ମାନ, ସ୍ୱାଧୀନତା ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ଅଧିକାର ଉପରେ ଆଧାରିତ ଏକ ଅଧିକାରଭିତ୍ତିକ ଢାଞ୍ଚା ଗଠନ ପାଇଁ କୋର୍ଟ ଆହ୍ୱାନ ଦେଇଛନ୍ତି। ତେବେ ଦୃଢ଼ ପ୍ରତିରୋଧ ଓ ଥଇଥାନ ବ୍ୟବସ୍ଥା ବିନା କେବଳ ଅଭିଯାନ ଦ୍ଵାରା ସାମାଜିକ ପରିବର୍ତ୍ତନ ଆଣିବା ପାଇଁ ଯଥେଷ୍ଟ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଅଂଶୀଦାରମାନଙ୍କ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସଓପି)

ସୁପ୍ରିମକୋର୍ଟଙ୍କ ଏହି ରାୟ ପରିପ୍ରେକ୍ଷୀରେ ଶିଶୁ ସୁରକ୍ଷା ଆଇନର କାର୍ଯ୍ୟକାରିତାରେ ଥିବା ତ୍ରୁଟିକୁ ଦୂର କରିବା ପାଇଁ ଏନସିପିସିଆର ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସଓପି) ପ୍ରଚଳନ କରିଛି। ଏସ୍ଓପିର ଉଦ୍ଦେଶ୍ୟ ହେଉଛି:

  • ବାଲ୍ୟ ବିବାହର ରିପୋର୍ଟିଂ, ମନିଟରିଂ ଏବଂ ବନ୍ଦ କରିବା ପାଇଁ ମାନକ ନିର୍ଦ୍ଧାରିତ କରିବା। 
  • ପୀଡ଼ିତଙ୍କ ଉଦ୍ଧାର କରାଯାଇ ସେମାନଙ୍କ ଶିକ୍ଷା ଓ ଥଇଥାନ ସୁନିଶ୍ଚିତ କରିବା।
  • ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା
  • ପ୍ରମୁଖ ଅଂଶୀଦାରମାନଙ୍କ ପାଇଁ ପ୍ରଶିକ୍ଷଣ ଏବଂ ସଚେତନତା ବୃଦ୍ଧି କରିବା। 

ଏସଓପିରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବାଲ୍ୟ ବିବାହ ରୋକିବା ପାଇଁ ଏକ ବହୁ-ଅଂଶୀଦାର ଆଭିମୁଖ୍ୟ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁଥିରେ ସ୍ଥାନୀୟ ସରକାର, ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସି ଏବଂ ନାଗରିକ ସଂଗଠନ ସାମିଲ ଅଛନ୍ତି। ବ୍ୟବସ୍ଥାଗତ ପ୍ରତିବନ୍ଧକ ଦୂର କରିବା ଏବଂ ସମନ୍ୱୟ ବୃଦ୍ଧି କରି ଏସ୍ଓପିରେ ପିଲାମାନଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ କୁହାଯାଇଛି।  

ବାଲ୍ୟ ବିବାହ ବିରୋଧରେ ଚାଲିଥିବା ଲଢ଼େଇରେ ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ବେଶ ଗୁରୁତ୍ୱପୂର୍ଣ୍ଣ। ଏ କ୍ଷେତ୍ରରେ ରହିଥିବା ବ୍ୟବସ୍ଥାଗତ ତ୍ରୁଟିର ସମାଧାନ କରି, ପ୍ରବର୍ତ୍ତନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଗୋଷ୍ଠୀ ନିୟୋଜନକୁ ପ୍ରୋତ୍ସାହିତ କରି ଏହି କୁପ୍ରଥାକୁ ଦୂର କରିବା ପାଇଁ ଏହି ରାୟ ଏକ ରୋଡ୍ ମ୍ୟାପ୍ ପ୍ରଦାନ କରିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Tags: #ChildMarriage #ChildrenRights #SupremeCourt #NCPCR #India

LEAVE A REPLY

Please enter your comment!
Please enter your name here