ଓଡ଼ିଶାଲାଇଭ୍ ବ୍ୟୁରୋ
ଯାହା ହାତଧରି ସାତ ଜନ୍ମର ସାଥୀ କରିଥିଲା, ତାକୁ ହିଁ ନିଜ ହାତରେ ମାରିଦେଲା ସ୍ୱାମୀ।
ସଇତାନ ପାଲଟି ଗଲା ସ୍ୱାମୀ। ଯାହା ହାତ ଧରି ସାତ ଜନମର ସାଥୀ କରିଥିଲା, ତାକୁ ଟିକ୍ ଟିକ୍ କରି ହାଣିବାକୁ ତା’ର ହାତ ଥରିଲାନି। ସେତିକିରେ ମନ ଭରିଲାନି ଯେ, ସ୍ତ୍ରୀ ଶରୀରର ଖଣ୍ଡ ଖଣ୍ଡ ମାଂସକୁ କୁକରରେ ସିଝେଇଲା ଏବଂ ବଳକା ଅଂଶକୁ ହ୍ରଦରେ ଫିଙ୍ଗିଦେଲା। ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ହାଇଦ୍ରାବାଦର ମୀରପେଟ ଥାନା ଅଞ୍ଚଳରେ। ଏହି ଜଘନ୍ୟକାଣ୍ଡ ଘଟାଇଛନ୍ତି ଜଣେ ପୂର୍ବତନ ସେନା ଯବାନ।
ସାମାନ୍ୟ ବଚସାରୁ ଘଟିଛି ହତ୍ୟାକାଣ୍ଡ। ସ୍ତ୍ରୀକୁ ମାରିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାହା ସବୁ କାଣ୍ଡ କରିଥିଲେ ଗୋଟି ଗୋଟି କରି ପୋଲିସ ଆଗରେ ସତ ମାନିଛନ୍ତି ସେ।
ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲା ବାସିନ୍ଦା ଗୁରୁ ମୂର୍ତ୍ତି ୧୩ ବର୍ଷ ପୂର୍ବେ ଭେଙ୍କଟ ମାଧବୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି। ପୂର୍ବରୁ ଗୁରୁ ସେନାରେ ଯବାନ ଭାବେ କାର୍ଯ୍ୟ କରୁଥିଲେ। ଅବସର ପରେ ବର୍ତ୍ତମାନ ସେ କାଞ୍ଚନବାଗ ଡିଆରଡିଓରେ ଆଉଟସୋର୍ସ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ। ପତ୍ନୀ ଓ ଦୁଇ ପିଲାଙ୍କ ସହ ଗୁରୁ ମୂର୍ତ୍ତି ମୀରପେଟର ନ୍ୟୁ ଭେଙ୍କଟେଶ୍ୱର ନଗର କଲୋନୀରେ ଏକ ଭଡ଼ା ଘରେ ରହୁଥିଲେ।
ଗତ କିଛି ଦିନ ଧରି ଉଭୟ ଗୁରୁ ଓ ମାଧବୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଜାନୁଆରି ୧୮ ତାରିଖରେ ମାଧବୀ ହଠାତ୍ ନିଖୋଜ ହୋଇଗଲେ। ମାଧବୀ କେଉଁ ଆଡ଼େ ଚାଲିଯାଇଥିବା ମୂର୍ତ୍ତି ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ମାଧବୀ ନିଖୋଜ ହେବା ନେଇ ନିଜେ ମୀରପେଟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଗୁରୁ। ଗୁରୁଙ୍କ ସହ ମାଧବୀଙ୍କ ବାପା ମା’ ମଧ୍ୟ ଥାନାକୁ ଆସିଥିଲେ।
ଥାନାରେ ପୋଲିସର କେତୋଟି ପ୍ରଶ୍ନର ଉତ୍ତର ଠିକ୍ ଭାବେ ଦେଇ ପାରିନଥିଲେ ଗୁରୁ ମୂର୍ତ୍ତି। ଏହାକୁ ନେଇ ଗୁରୁଙ୍କ ଉପରେ ପୋଲିସର ସନ୍ଦେହ ବଢ଼ିଥିଲା। ପରେ ତାଙ୍କୁ ଥାନାରେ ଅଟକ ରଖାଯାଇଥିଲା।
ପୋଲିସ ମାଧବୀଙ୍କ ସମ୍ପର୍କରେ ଗୁରୁଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲା। ପୋଲିସ ପ୍ରଶ୍ନବାଣରେ ଘାଇଲା ହୋଇଥିଲେ ଗୁରୁ। ମାଧବୀଙ୍କୁ ନିଜେ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲେ ଗୁରୁ।
ଗୁରୁ କେମିତି ମାଧବୀଙ୍କୁ ହତ୍ୟା କଲେ ତାହା ଶୁଣି ପୋଲିସର ବି ହୋସ୍ ଉଡ଼ିଯାଇଥିଲା। ଗୁରୁ କହିଥିଲେ, ମାଧବୀଙ୍କ ସହ ବଚସା ହେବା ପରେ ମାଧବୀ ନିଜ ବାପ ଘରୁ ଯିବାକୁ ବାହାରିଥିଲେ। ଏଥିରେ ଆହୁରି ରାଗି ଯାଇଥିଲେ ଗୁରୁ। ଘରେ ଥିବା ଏକ ଧାରୁଆ ଅସ୍ତ୍ରରେ ମାଧବୀଙ୍କୁ ସେ ଆକ୍ରମଣ କରିଥିଲେ। କିଛି ସମୟ ଛଟପଟ ହେବା ପରେ ମାଧବୀଙ୍କର ମୃତ୍ୟୁ ହୋଇଥିଲା।
ପରେ ମାଧବୀଙ୍କ ମର ଶରୀରକୁ ବାଥରୁମକୁ ନେଇ ତାକୁ ଟିକ୍ ଟିକ୍ କରି କାଟି ଦେଇଥିଲେ ଗୁରୁ। କିଛି ମାଂସ ଖଣ୍ଡକୁ ପ୍ରେସର କୁକରରେ ସିଝାଇ ଥିଲେ। ବଳକା ଅଂଶଗୁଡ଼ିକୁ ଏକ ଅଖାରେ ଭର୍ତ୍ତି କରି ଚନ୍ଦନ ହ୍ରଦରେ ଫିଙ୍ଗି ଦେଇଥିଲେ।
ମାଧବୀଙ୍କୁ ହତ୍ୟା କରିଥିବା ମାନିବା ପରେ ଗୁରୁ ମୂର୍ତ୍ତିଙ୍କୁ ଗିରଫ କରିଥିଲା ପୋଲିସ। ପରେ ଘଟଣାସ୍ଥଳକୁ ଯାଇ ମାଧବୀଙ୍କ ଶରୀରର ଖଣ୍ଡ ଖଣ୍ଡ ଅଂଶକୁ ଜବତ କରିଥିଲା ପୋଲିସ।
ପୂର୍ବରୁ ଘଟିଥିବା ଘଟଣାରୁ ମିଳିଥିଲା ପ୍ରେରଣା
ଗତ ୨୦୨୩ ଜୁନ ମାସରେ ମୁମ୍ବାଇର ମୀରା ରୋଡରେ ଏମିତି ଏକ ଘଟଣା ଘଟିଥିଲା। ଲିଭ-ଇନରେ ରହୁଥିବା ୫୬ ବର୍ଷୀୟ ମନୋଜ ସାନେ ନିଜର ୩୨ ବର୍ଷୀୟ ପ୍ରେମୀକାକୁ ହତ୍ୟା କରିଥିଲେ। ଆରିରେ ତାଙ୍କ ମର ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଥିଲେ। ପରେ ମାଂସ ଖଣ୍ଡକୁ ପ୍ରେସର କୁକରରେ ସିଝାଇ ଦୂରରେ ଫିଙ୍ଗିବାକୁ ଯୋଜନା କରିଥିଲେ। କିଛି ସିଝା ମାଂସକୁ ଗ୍ରାଇଣ୍ଡ କରି କୁକୁରକୁ ଖାଇବାକୁ ଦେଇଥିଲେ ସେ। ବାକି ଅଂସକୁ ରଖିଥିଲେ ଫିଙ୍ଗିବା ପାଇଁ। ମନୋଜ ରହୁଥିବା ଘରୁ ଦୁର୍ଗନ୍ଧ ଆସିବା ପରେ ପଡ଼ୋଶୀ ଲୋକ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଂସ ଖଣ୍ଡ ଜବତ କରିଥିଲା। ଶବକୁ ମନୋଜ ଏତେ ଖଣ୍ଡ କରି କାଟିଥିଲେ ଯେ ଗଣି ଗଣି ଥକି ପଡ଼ିଥିଲା ପୋଲିସ।
ଏହିପରି ଆଉ ଏକ ଘଟଣା ଘଟିଥିଲା ୨୦୨୨ ମସିହାରେ। ଦିଲ୍ଲୀର ମହରୌଲିରେ ଅଫତାବ ପୁନାବାଲା ନାମକ ଜଣେ ବ୍ୟକ୍ତି ଲିଭ ଇନ ପାର୍ଟନର ଶ୍ରଦ୍ଧା ଭାକରଙ୍କୁ ହତ୍ୟା କରିଥିଲେ। ଶବକୁ ଛୋଟ ଛୋଟ କରି କାଟି ତିନି ସପ୍ତାହ ଧରି ଫ୍ରିଜରେ ରଖିଥିଲା। ପରେ ଏହାକୁ ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗି ଥିଲା।
Tags: #Murder #HusbandWife #Hyderabad #KillingWife #SeneJawan