ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ଲାମର ଦୁନିଆଁରୁ ସିଧା ସନ୍ନ୍ୟାସିନୀ ବ୍ରତ, କାହିଁକି ସଂସାର ମୋହ ତ୍ୟାଗ କଲେ ମମତା କୁଲକର୍ଣ୍ଣି?
ଦିନେ ବଲିଉଡରେ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ଦିବାନା କରୁଥିବା ଅଭିନେତ୍ରୀ ମମତା କୁଲକର୍ଣ୍ଣି ଆଜି ସଂସାର ମୋହ ତ୍ୟାଗ କରି ହୋଇଯାଇଛନ୍ତି ସନ୍ନ୍ୟାସିନୀ। ଏବେ ସେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର। ନୂଆ ନାଁ ୟମାଇ ମମତା ନନ୍ଦଗିରି।
ପ୍ରୟାଗରାଜର ମହାକୁମ୍ଭ ମେଳାରେ ବିଧିବଦ୍ଧ ଭାବେ ସନ୍ନ୍ୟାସିନୀ ଧର୍ମ ଗ୍ରହଣ କରିଛନ୍ତି। କିନ୍ନର ଆଖଡ଼ାରେ ତାଙ୍କର ପଟ୍ଟାଭିଷେକ ସମ୍ପନ୍ନ ହୋଇଛି। କିନ୍ନର ଆଖଡ଼ା ପକ୍ଷରୁ ମମତାଙ୍କୁ ମହାମଣ୍ଡଳେଶ୍ୱର ଉପାଧି ପ୍ରଦାନ କରାଯାଇଛି। ୨୦୧୫ ମସିହାରେ ନିର୍ମିତ ହୋଇଥିବା କିନ୍ନର ଆଖଡ଼ା ସନାତନ ଧର୍ମର ପ୍ରମୁଖ ୧୩ଟି ଆଖଡ଼ା ମଧ୍ୟରୁ ଗୋଟିଏ। ଏହି ଆଖଡ଼ାର ଆଚାର୍ଯ୍ୟ ଅଛନ୍ତି ଲକ୍ଷ୍ମୀନାରାୟଣ ତ୍ରିପାଠୀ।
ଆଖଡ଼ାର ପରମ୍ପରା ଅନୁଯାୟୀ, ମମତା କୁଲକର୍ଣ୍ଣିଙ୍କୁ ପ୍ରଥମ ଗେରୁଆ ବସ୍ତ୍ର ପିନ୍ଧାଇ ଦିଆଗଲା। ପରେ ତାଙ୍କୁ ମାଳା ପିନ୍ଧାଗଲା। ବୈଦିକ ମନ୍ତ୍ରୋଚାରଣ ପରେ ତାଙ୍କୁ ହଳଦୀ ଏବଂ ସିନ୍ଦୁରରେ ତିଲକ ଲଗାଗଲା। ମମତାଙ୍କୁ କ୍ଷୀରରେ ସ୍ନାନ କରାଗଲା। ଏହି ସମୟରେ ଭାବବିହ୍ଵଳ ହୋଇପଡ଼ିଥିଲେ ମମତା। ତାଙ୍କ ଆଖି ଲୁହରେ ଛଳଛଳ ଦିଶୁଥିଲା।
ଶୁକ୍ରବାର ଦିନ ମମତା କୁଲକର୍ଣ୍ଣି ପ୍ରଥମେ ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କୁ ସାକ୍ଷାତ କରି ଆଖଡ଼ାର ମହାମଣ୍ଡଳେଶ୍ୱର ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ପରେ ମମତା କୁଲକର୍ଣ୍ଣୀଙ୍କୁ ମହାମଣ୍ଡଳେଶ୍ୱର ଉପାଧି ପ୍ରଦାନ କରିବା ନେଇ କିନ୍ନର ଆଖଡ଼ା ପକ୍ଷରୁ ଘୋଷଣା କରାଯାଇଥିଲା।
ଅଖାଡ଼ରର ପରିଚାଳନା ପାଇଁ ସାଧୁ-ସନ୍ଥ ଏବଂ ସନ୍ନ୍ୟାସୀଙ୍କୁ ଗୋଟିଏ ଗୋଟିଏ ପଦବୀ ଦିଆଯାଇଥାଏ। ଏହି କ୍ରମରେ ମତାକୁ ମଧ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ପଦ ମିଳିଛି। ଆଖଡ଼ାର ସବୁଠାରୁ ବଡ଼ ପଦବୀ ହେଉଛି ଆଚାର୍ଯ୍ୟ ଏବଂ ଦ୍ୱିତୀୟ ପଦବୀ ହେଉଛି ମହାମଣ୍ଡଳେଶ୍ୱର।
ମହାମଣ୍ଡଳେଶ୍ୱର ହେବା ପାଇଁ ପ୍ରଥମେ ବ୍ୟକ୍ତି ନିଜର ପିଣ୍ଡଦାନ କରିଥାଏ। ଏହା ପରେ ପଟ୍ଟାଭିଷେକ କରାଯାଏ। ମହାମଣ୍ଡଳେଶ୍ୱର ହେବା ପାଇଁ ମମତା ପ୍ରଥମେ ସଙ୍ଗମର ତ୍ରିବେଣୀରେ ସ୍ନାନ କରିଥିଲେ। ଏହା ପରେ ପିଣ୍ଡଦାନ କରି ନିଜର ପରିଚୟକୁ ସବୁଦିନ ପାଇଁ ଛାଡ଼ି ଥିଲେ।
ଏମିତି ନିଷ୍ପତ୍ତି କାହିଁକି ନେଲେ ମମତା?
ସମସ୍ତଙ୍କ ମନରେ ଏବେ ସେଇ ଗୋଟିଏ ପ୍ରଶ୍ନ, ଏମିତି ନିଷ୍ପତ୍ତି କାହିଁକି ନେଲେ ମମତା? ହଠାତ ମହାମଣ୍ଡଳେଶ୍ୱର ହୋଇଗଲେ କେମିତି? କାରଣ ମହାମଣ୍ଡଳେଶ୍ୱର ହେବା ପାଇଁ ପୂର୍ବରୁ ଦୀକ୍ଷା ନେବାକୁ ପଡ଼ିଥାଏ। ଏହା ପରେ ଲମ୍ବା ସମୟ ଧରି ତପସ୍ୟା କରି ସାଂସାରିକ ମୋହମାୟା ଛାଡ଼ିବାକୁ ହୁଏ।
ଆଖଡ଼ାର ନିୟମ ହେଉଛି, ଯେଉଁ ବ୍ୟକ୍ତି ମହାମଣ୍ଡଳେଶ୍ୱର ହେବ ସିଏ ସନ୍ନ୍ୟାସୀ ହୋଇଥିବା ଦରକାର। ତାଙ୍କ ଭିତରେ ସାଂସାରିକ ମୋହ ତ୍ୟାଗ କରିବାର ଭାବନା ରହିଥିବା ଆବଶ୍ୟକ। ପାରିବାରିକ ସମ୍ପର୍କଠାରୁ ଦୂରରେ ରହିବା ବି ଦରକାର। ଏଥିସହିତ ତାଙ୍କର ବେଦ ପୂରାଣରେ ମଧ୍ୟ ଜ୍ଞାନ ଥିବା ଦରକାର। ହେଲେ ମମତାଙ୍କ କ୍ଷେତ୍ରରେ ଏମିତି କିଛି ହୋଇନଥିବା ଜଣାପଡ଼ିଛି।
ତେବେ କିନ୍ନର ଆଖଡ଼ାର ଆଚାର୍ଯ୍ୟ ଲକ୍ଷ୍ମୀନାରାୟଣ ତ୍ରିପାଠୀ କହିଛନ୍ତି, “ପୂର୍ବରୁ ମମତା କୁଲକର୍ଣ୍ଣି ଅନ୍ୟ ଏକ ଆଖଡ଼ାରେ ପୂର୍ବରୁ ଦୀକ୍ଷା ଗ୍ରହଣ କରିସାରିଛନ୍ତି। ଆଖଡ଼ା ମୁଖ୍ୟଙ୍କର ନିଧନ ହେବା ପରେ ମମତା ଆଗକୁ କ’ଣ କରିବେ କରିବେ, ଜାଣି ପାରିନଥିଲେ। ପରେ ସେ କିନ୍ନର ଆଖଡ଼ା ସହ ଯୋଗାଯୋଗ କରି ନିଜ ଇଚ୍ଛା ବ୍ୟକ୍ତ କରିଥିଲେ।”
ଡ୍ରଗ୍ସ କାରବାର ପାଇଁ ବିବାଦରେ ଥିଲେ ମମତା
୨୦୧୩ ମସିହାରେ ମମତା କୁଲକର୍ଣ୍ଣି ବଲିଉଡ ଇଣ୍ଡଷ୍ଟ୍ରି ଛାଡ଼ି ଡ୍ରଗ ମାଫିଆ ଭିକ୍କି ଗୋସ୍ୱାମୀଙ୍କୁ ଦୁବାଇରେ ବିବାହ କରିଥିଲେ। ଭିକ୍କି ଗୋସ୍ୱାମୀଙ୍କୁ ଦୁବାଇରେ ଡ୍ରଗ୍ସ କାରବାର ପାଇଁ ୧୨ ବର୍ଷ ଜେଲ ହୋଇଥିଲା। ଏସବୁ ଅଭିଯୋଗକୁ ମିଛ ବୋଲି କହିଥିଲେ ମମତା। ତେବେ ୨୦୧୬ ମସିହାରେ ମୁମ୍ବାଇ ପୋଲିସ ମମତାଙ୍କ ବିରୋଧରେ ବି ଡ୍ରଗ୍ସ ଚୋରା କାରବାର ଅଭିଯୋଗରେ ୱାରେଣ୍ଟ ଜାରି କରିଥିଲା।
ପୋଲିସର କହିବା ଅନୁଯାୟୀ ସେତେବେଳେ ମୁମ୍ବାଇରୁ ୮୦ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ ହୋଇଥିଲା। ଏହି ଡ୍ରଗ୍ସ ସହ ଯେଉଁ କମ୍ପାନିର ସମ୍ପର୍କ ଥିଲା ତା’ର ଡାଇରେକ୍ଟର ଥିଲେ ମମତା କୁଲକର୍ଣ୍ଣି। ଏହା ବ୍ୟତୀତ ତାଙ୍କର ଅଣ୍ଡରୱାର୍ଲଡ ସହ ସମ୍ପର୍କ ଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା ।
ମହାମଣ୍ଡଳେଶ୍ୱର ଉପାଧିକୁ ନେଇ ଉଠିଲା ପ୍ରଶ୍ନ
୧୯୯୩ ମସିହାରେ ମମତା କୁଲକର୍ଣ୍ଣି ଏକ ମାଗାଜିନ ପାଇଁ ଟପଲେସ ଫଟୋ ସୁଟ କରିଥିଲେ। ଏହାକୁ ନେଇ ସାରା ଦେଶରେ ପ୍ରକ୍ରିକା ଦେଖିବାକୁ ମିଳିଥିଲା। ମମତାଙ୍କ ଅତୀତର ଏହିସବୁ କାହାଣୀ ଜାଣିବା ପରେ ସମସ୍ତେ ତାଙ୍କର ମହାମଣ୍ଡଳେଶ୍ୱର ଉପାଧିକୁ ନେଇ ପ୍ରଶ୍ନ କରିଛନ୍ତି। ଏପରିକି ଏହି ଉପାଧି ପାଇଁ ମମତା କିନ୍ନର ଆଖଡ଼ି କାହିଁକି ବାଛିଲେ ବୋଲି ମଧ୍ୟ ପ୍ରଶ୍ନ ଉଠୁଛି।
Tags: #MamtaKulkarni #KinnarAkhara #Sadhvi #BollywoodStar #Mahamandleshwar #Mahakumbh2025