ଓଡ଼ିଶାଲାଇଭ୍ ବ୍ୟୁରୋ

କିଟ୍‌ କ୍ୟାମ୍ପସରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଥମିବାର ନାଁ ନେଉନି। ଏହି ଘଟଣାକୁ ୧୭ ଦିନ ବିତିଥିବା ବେଳେ ଏପର୍ଯ୍ୟନ୍ତ ସଠିକ ତଦନ୍ତ ହୋଇପାରି ନାହିଁ। ଏହି ଘଟଣାର ଟିକିନିଖି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)।

ଘଟଣାର ସରଜମିନ ତଦନ୍ତ କରି ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଏନଏଚଆରସିର ତଦନ୍ତ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନଏଚଆରସିଙ୍କ ଇନଭେଷ୍ଟିଗେସନ ଡିଭିଜନ ଏବଂ ଲ’ ଡିଭିଜନର ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ଘଟଣାସ୍ଥଳକୁ ଯାଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ। ଏହି ଟିମ୍‌ରେ ଜଣେ ଏସଏସପି ରାଙ୍କର ଅଧିକାରୀ ରହିବେ। ଆଇନ ବିଭାଗର ରେଜିଷ୍ଟ୍ରାର ଏହି ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେବେ।

କିଟ୍ କ୍ୟାମ୍ପସ ପରିସରରେ ଜଣେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରେ ବିଶ୍ୱବିଦ୍ୟାଳୟ ବିରୋଧରେ ଏକାଧିକ ଅଭିଯୋଗ ମାନବାଧିକାର କମିଶନଙ୍କ ନିକଟରେ ହୋଇଥିଲା। ଘଟଣାର  ଗୁରୁତ୍ୱକୁ ଦେଖି ଏନଏଚଆରସି ଏହି ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ସମୟରେ ବିଶ୍ୱବିଦ୍ୟାଳୟ କୁଳସଚିବ ସହଯୋଗ କରିବାକୁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ୱରସ୍ଥିତ କିଟ୍‌ ବିଶ୍ୱବିଦ୍ୟାଳୟର ହଷ୍ଟେଲ ରୁମ୍‌ରେ ଗତ ଫେବ୍ରୁଆରି ୧୬ ରାତିରେ ବିଟେକ୍ ତୃତୀୟ ବର୍ଷର ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ଅନ୍ୟ ନେପାଳ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିବାରୁ ସେମାନଙ୍କୁ ବିଶ୍ୱବିଦ୍ୟାଳୟ ପରିସରରୁ ବାହାର କରିଦିଆଯାଇଥିଲା। ଏହାକୁ ନେଇ ସାରା ବିଶ୍ୱରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା।

ଏହାକୁ ନେଇ ଲାଗିରହିଥିବା ବିବାଦ ଏବଂ ମୃତ୍ୟୁର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରି ତଦନ୍ତ କରାଯାଉଛି। ଅନ୍ୟପଟେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଘଟଣା ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦେବା ଲାଗି କିଟ୍‌ ବିଶ୍ୱବିଦ୍ୟାଳୟକୁ ପତ୍ର ଲେଖିଛନ୍ତି।

Tags: #NHRC #InquiryOrder #KIITControversy #Odisha #NepalStudentDeathCase #Bhubaneswar

LEAVE A REPLY

Please enter your comment!
Please enter your name here