ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲ ରେମୁଣାକୁ ସ୍ଥାନାନ୍ତର ହେବାକୁ ବର୍ଷେ ପୂରିଥିଲେ ମଧ୍ୟ ଏଯାଏଁ ମେଡିକାଲ କଲେଜ ହୋଇ ପାରିନାହିଁ ସ୍ଵୟଂସମ୍ପୂର୍ଣ୍ଣ। ଏହାର ଅଧିକାଂଶ ବିଭାଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲୁଥିବାର ଦେଖିବାକୁ ମିଳୁଛି। ଫଳରେ ରୋଗୀମାନେ ନାନାପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏ ନେଇ କେହି ମୁହଁ ଖୋଲୁନଥିବାବେଳେ ସଂପ୍ରତି ବିଧାନସଭାରେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ପ୍ରଶ୍ନ ଉଠାଇଛନ୍ତି।
ଗୌତମବୁଦ୍ଧ ଦାସ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ ଯେ, “ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରୁ ଫକୀରମୋହନ ମେଡିକାଲ କଲେଜ କ୍ୟାମ୍ପସକୁ ବର୍ତ୍ତମାନ ସୁଦ୍ଧା କେତୋଟି ବିଭାଗ ସ୍ଥାନାନ୍ତରିତ ହୋଇଛି ଏବଂ କେତୋଟି ବିଭାଗ ମୁଖ୍ୟ ଡାକ୍ତରଖାନାରେ ରହିଛି। ଅବଶିଷ୍ଟ ବିଭାଗଗୁଡିକ କେବେ ସୁଦ୍ଧା ମୁଖ୍ୟ ଡାକ୍ତରଖାନାରୁ ମେଡିକାଲ କଲେଜ କ୍ୟାମ୍ପସକୁ ସ୍ଥାନାନ୍ତର କରାଯିବ?”
ଏହାର ଉତ୍ତରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କହିଛନ୍ତି, “ବାଲେଶ୍ଵର ଏଫ୍ ଏମ୍ ଏମସିଏଚର ମେଡିସିନ୍, ଚର୍ମ, ମନସ୍ତାତ୍ତ୍ୱିକ, ଦନ୍ତ, ପଲମୋନାରୀ ମେଡିସିନ୍ ବିଭାଗର ଓପିଡି ଏବଂ ମେଡିସିନ, ଚର୍ମ, ମନସ୍ତାତ୍ତ୍ୱିକ ଓ ଦନ୍ତ ବିଭାଗର ଆଇପିଡି ରେମୁଣା ସ୍ଥିତ ନୂଆ କ୍ୟାମ୍ପସରେ ଚାଲୁ ରହିଛି। ଜେନେରାଲ ସର୍ଜରୀ, ଅର୍ଥୋପେଡ଼ିକସ୍, ପିଡିଆଟ୍ରିକସ୍, ଇଏନଟି, ଓପଥାଲମୋଲୋଜି, ଓ ଆଣ୍ଡ ଜି ଏବଂ ଆନାସ୍ଥେସିଆ ବିଭାଗଗୁଡ଼ିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଅଛି।”
ସେ ଆହୁରି ମଧ୍ୟ କହିଛନ୍ତି, “ନୂଆ ହସପିଟାଲରେ ମେଜର୍ ଓଟି କାର୍ଯ୍ୟକ୍ଷମ ହେବା ପରେ ଓପଥାଲମୋଲୋଜି ଏବଂ ଇଏନଟି ବିଭାଗ ସ୍ଥାନାନ୍ତରଣ ହେବ। ଏହାସହ ମଡୁଲାର୍ ଓଟି ଏବଂ ସିଏସଏସଡି ୟୁନିଟ୍ କାର୍ଯ୍ୟକ୍ଷମ ହେବାପରେ ସର୍ଜରୀ, ଅର୍ଥୋପେଡ଼ିକସ୍, ପିଡିଆଟ୍ରିକସ୍, ଓ ଆଣ୍ଡ ଜି ଏବଂ ଆନାସ୍ଥେସିଆ ବିଭାଗଗୁଡ଼ିକ ସ୍ଥାନାନ୍ତର ହେବ।”
୨୦୨୪ ମାର୍ଚ୍ଚ ୨ ତାରିଖରେ ରେମୁଣାରେ ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲର ନୂତନ ବିଲଡିଂ ଉଦଘାଟନ ହୋଇଥିଲା। ଏଥିମଧ୍ୟରେ ଏକ ବର୍ଷ ହୋଇସାରିଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇନାହିଁ। ସବୁ ବିଭାଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଯାଏଁ ସ୍ଥାନାନ୍ତର ହୋଇପାରିନି। ରେମୁଣାରେ ଓପିଡି ସହ ମେଡିସିନ ବିଭାଗ ଚାଲୁଥିବା ବେଳେ ବାକି ସମସ୍ତ ବିଭାଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲୁଅଛି।
ରେମୁଣା ନୂତନ ବିଲଡିଂ କାମ ୨୦୨୨ରେ ସମ୍ପୂର୍ଣ୍ଣ ହେବାର ଥିବାବେଳେ ତାହା ଆଜି ବି ଅସମ୍ପୂର୍ଣ୍ଣ। ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀଙ୍କୁ ଥରେ ବାଲେଶ୍ଵର ସହରକୁ ତ ଥରେ ରେମୁଣାକୁ ଯିବାକୁ ପଡ଼ୁଛି।
Tags: #FakirMohanMedicalCollege #HealthCare #MedicalStudies #Remuna #Baleswar