ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ସମ୍ପ୍ରତି ଯେଉଁସବୁ ନୂଆ ଓଡ଼ିଆ ସିନେମାର ସୁଟିଂ ଚାଲିଛି, ତା’ ଉପରେ ଆସନ୍ତୁ ନଜର ପକାଇବା…
ଚାମ୍ପିଅନ୍
ନୂଆ ପ୍ରଯୋଜକ ଏନ୍ ଗଙ୍ଗାଧର ଓ ଦୀପ୍ତିଙ୍କ ପ୍ରଯୋଜନାରେ ନିର୍ମିତ ଓଡ଼ିଆ ସିନେମା ‘ଚାମ୍ପିଅନ୍’ର ସୁଟିଂ ଜୋରସୋରରେ ଚାଲିଛି। ଏଥିରେ ଅର୍ଚ୍ଚିତା ଟାଇଟଲ୍ ରୋଲରେ ଅଛନ୍ତି। ଏହି ସିନେମାରେ ଅର୍ଚ୍ଚିତାଙ୍କ ବିପକ୍ଷରେ ନାୟକ ସାଜିଛନ୍ତି ସାନୁ। ‘ଚାମ୍ପିଅନ୍’ର ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀ କ୍ରିଷ୍ଣା। ଏହାର କାହାଣୀ ଜଣେ ମହିଳା ବକ୍ସରଙ୍କ ସଂଘର୍ଷ ଉପରେ ଆଧାରିତ।
ଲୋକାଲ୍ ଟୋକା ଲଭ୍ ଚୋଖା
ଓଲିଉଡ ସୁପରଷ୍ଟାର ବାବୁସାନ୍ ସମ୍ପ୍ରତି ନିଜର ନୂଆ ସିନେମା ‘ଲୋକାଲ୍ ଟୋକା ଲଭ୍ ଚୋଖା’କୁ ନେଇ ବ୍ୟସ୍ତ ଅଛନ୍ତି। ଏଥିରେ ବାବୁସାନଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ନାୟିକା ଭୂମିକାରେ ନଜର ଆସିବେ ସନ୍ମୀରା।
ଏହି ସିନେମାରେ ବାବୁସାନ୍- ସନମୀରାଙ୍କ ଯୋଡ଼ି ବ୍ୟତୀତ ମିହିର ଦାସ ଓ ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ସିନେପ୍ରେମୀ। ସିନେମାର ସଂଳାପ ଲେଖକ ହେଲେ ଡକ୍ଟର ନିର୍ମଳ ନାୟକ। ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ବୈଦ୍ୟନାଥ ଦାସ।
ପ୍ରେମ୍ କୁମାର
ତରଙ୍ଗ ସିନେ ପ୍ରଡକ୍ସନସର ନୂଆ ସିନେମା ‘ପ୍ରେମ୍ କୁମାର’ ସୁଟିଂ ଆରମ୍ଭ ହୋଇଛି। ଏହି ଫିଲ୍ମର କିଛି ଅଂଶ ସୁଟିଂ ଆଗରୁ ସରିଥିଲା। ଏହାକୁ ରଜରେ ରିଲିଜ୍ କରିବାର ଲକ୍ଷ୍ୟ ରଖିଥିଲା ପ୍ରଯୋଜନା ସଂସ୍ଥା। ଅନୁଭବ ସୁଟିଂ ସେଟରେ ଆହତ ହେବା ପରେ ‘ପ୍ରେମକୁମାର’ର ସୁଟିଂ ଆଗେଇ ପାରିନଥିଲା।
ଏହି ସିନେମାରେ ଅନୁଭବ, ତମନ୍ନା ଓ ଶିବାନୀ ଲିଡ୍ ରୋଲ୍ରେ ଅଛନ୍ତି। ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ତାପସ ସରଘରିଆ, ଯିଏ ଆଗରୁ ତରଙ୍ଗ ସିନେପ୍ରଡକ୍ସନ୍ସର ‘ତୁ ମୋ’ ଲଭ୍ ଷ୍ଟୋରି’, ‘ଇସ୍କ ତୁ ହି ତୁ’ ଏବଂ ‘ହିରୋ ନମ୍ବର ୱାନ୍’ ଆଦି ସିନେମାର ନିର୍ଦ୍ଦେଶନା ଦେଇଥିଲେ। ପ୍ରେମ ଆନନ୍ଦ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
ପ୍ରେମ ପାଇଁ ମହାଭାରତ
ଆଚାର୍ଯ୍ୟ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେଉଛି ନୂଆ ଓଡ଼ିଆ ସିନେମା ‘ପ୍ରେମ ପାଇଁ ମହାଭାରତ’। ଏହାର ପ୍ରଯୋଜନା କରିଛନ୍ତି ପ୍ରଦୀପ୍ତ କିଶୋର ଆଚାର୍ଯ୍ୟ। ଏହା ଏକ ମଲ୍ଟିଷ୍ଟାରର୍ ଓଡ଼ିଆ ଛବି। ଏଥିରେ ସମ୍ବିତ, ରୀୟା ଦେ, ଶ୍ରୀତମ୍ ଦାସ, ବବି ମିଶ୍ର, ପିଣ୍ଟୁ ନନ୍ଦ ଓ ସମରେଶ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।
‘ପ୍ରେମ ପାଇଁ ମହାଭାରତ’ର କାହାଣୀ ଅନୁଯାୟୀ ଜଣେ ଯୁବତୀଙ୍କୁ ନିଜର କରିବା ପାଇଁ କିଭଳି ଭାଇ-ଭାଇଙ୍କ ଭିତରେ କନ୍ଦଳ ସୃଷ୍ଟି ହେଉଛି, ତାହା ଦେଖିବାକୁ ମିଳିବ। ଏହି ସିନେମାର କାହାଣୀକାର ହେଲେ ଛବିତା ମାର୍ଥା, ଯିଏ ପୂର୍ବରୁ ‘କଥା ଦେଲି ମଥା ଛୁଇଁ’ ଓ ‘ଯୋଗୀ’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ। ଏହାର ସଂଳାପ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ନିରଞ୍ଜନ ବେହେରା। ନିରଞ୍ଜନଙ୍କ ପ୍ରଥମ ସିନେମା ‘ଯୋଗୀ’ ଚଳିତବର୍ଷ ମୁକ୍ତିଲାଭ କରିଛି।
ତୁ ମୋ’ ସୁନା ଚଢ଼େଇ
ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ଦିଲୀପ ପଣ୍ଡା ତାଙ୍କର ନୂଆ ସିନେମା ‘ତୁ ମୋ’ ସୁନା ଚଢ଼େଇ’ର ସୁଟିଂ ଏବେ ଜୋରସୋରରେ ଚଳାଇଛନ୍ତି। ଏହାର ସୁଟିଂ କଟକ, ଭୁବନେଶ୍ୱରରେ ଚାଲିଥିବା ହୋଇଛି।
ଏନ୍ ବି ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ସିନେମାରେ ଜ୍ୟୋତି, ଏଲ୍ସା, ରାଇମୋହନ ଓ ଭୂପତି ତ୍ରିପାଠୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର କଥାବସ୍ତୁ ନାଗ-ନାଗୁଣୀଙ୍କ ପ୍ରେମ ଓ ପ୍ରତିଶୋଧ ଉପରେ ଆଧାରିତ। ଏହି ଓଡ଼ିଆ ଚଳଚ୍ଚିତ୍ରର ସଂଳାପକାର ପ୍ରଜନୀ ରଞ୍ଜନ ଓ ସଙ୍ଗୀତ ନିର୍ଦ୍ଦେଶକ ହେଲେ ବୈଦ୍ୟନାଥ ଦାସ।