ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡର ନାମୀ ନାୟକମାନେ ଏବେ ବୟସ ଅନୁଯାୟୀ ଭୂମିକା ଚୟନ କରୁଛନ୍ତି। ଏହି କ୍ରମରେ ଏବେ ଦୁଇଜଣ ଅଭିନେତା ନିଜ ଝିଅଙ୍କ ସହିତ ସ୍କ୍ରିନ୍ ସେଆର୍ କରୁଛନ୍ତି। ଆସନ୍ତୁ ଜାଣିବା ଏହି ଦୁଇ ପିତା–କନ୍ୟାଙ୍କ ଅନସ୍କ୍ରିନ୍ ଯୋଡ଼ି ସମ୍ପର୍କରେ…
ଅନୀଲ–ସୋନମ କପୁର
ବଲିଉଡର ଖ୍ୟାତନାମା ଅଭିନେତା ହେଲେ ଅନୀଲ କୁମାର। ସେ ବଲିଉଡରେ ୧୯୮୩ରେ ରିଲିଜ୍ ହୋଇଥିବା ‘ୱ ସାତ୍ ଦିନ୍’ ସିନେମାରୁ ଷ୍ଟାରଡମ୍ ହାସଲ କରିଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାଁନ୍ତି।
ଅନୀଲ କପୁର ତାଙ୍କର ଲମ୍ବା କ୍ୟାରିଅର୍ ଭିତରେ ‘ତେଜାବ୍’, ‘ରାମଲଖନ୍’, ‘ଯୁଦ୍ଧ’, ‘ପରିନ୍ଦା’, ‘୧୯୪୨- ଏ ଭଲ ଷ୍ଟୋରି’, ‘ଖେଲ୍’, ‘ଜୀବନ୍ ଏକ ସଂଘର୍ଷ’, ‘ବେଟା’, ‘ମିଷ୍ଟର ଇଣ୍ଡିଆ’, ‘ମଶାଲ୍’, ‘ଜାଁବାଜ୍’, ‘ଆପ୍କେ ସାଥ୍’, ‘ଘର ହୋ ତୋ ଐସା’, ‘ପୁକାର୍’, ‘ନୋ ଏଣ୍ଟ୍ରି’, ‘ବୀରାସତ୍’ ଓ ‘ଦିଲ୍ ଧଡକନେ ଦୋ’, ‘ୱେଲକମ୍’ ଆଦି ସିନେମା ସମେତ ଶତାଧିକ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି।
ଅପରପକ୍ଷରେ ଅନୀଲଙ୍କ କନ୍ୟା ସୋନମ କପୁର ୨୦୦୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ସାୱରିୟା’ ଜରିଆରେ ବଲିଉଡରେ ହିରୋଇନ ଭାବେ ଡେବ୍ୟୁ କରିଥିଲେ। ତା’ପରେ ସେ ‘ଆଇ ହେଟ୍ ଲଭ ଷ୍ଟୋରି’, ‘ରାଁଝଣା’, ‘ଖୁବସୂରତ୍’, ‘ପ୍ରେମ ରତନ୍ ଧନ୍ ପୟୋ’, ‘ନୀରଜା’ ଓ ‘ବୀରେ- ଦି ୱେଡିଂ’ ଆଦି ସିନେମାରେ ଅଭିନୟ କରିସାରିଲେଣି।
କିନ୍ତୁ ପ୍ରଥମ ଥର ପାଇଁ ଦର୍ଶକ ଅନୀଲ କପୁର ଓ ସୋନମ କପୁରଙ୍କୁ ଏକାଠି ପରଦାରେ ଦେଖିବାକୁ ପାଇବେ ଏକ ନୂଆ ହିନ୍ଦୀ ସିନେମାରେ। ଏହି ସିନେମାର ଟାଇଟଲ୍ ହେଲା ‘ଏକ୍ ଲଡ୍କୀ କୋ ଦେଖା ତୋ ଐସା ଲଗା’।
ଏହି ସିନେମାରେ ଏଡି ରିଅଲ୍ ବାପ-ଝିଅଙ୍କୁ ଦର୍ଶକ ରିଲ୍ରେ ବି ସମାନ ଭୂମିକାରେ ଦେଖିବାକୁ ପାଇବେ। ଏହି ଫିଲ୍ମରେ ଅନୀଲଙ୍କ ଅଭିନୀତ ଚରିତ୍ର ହେଲା ବଲବୀର ଚୌଧୁରୀ ଓ ସୋନମ୍ ଏଥିରେ ତାଙ୍କ ଝିଅ ସୁଇଟି ଭୂମିକାରେ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜୁହି ଚାୱଲା ଓ ରାଜକୁମାର ରାଓ ମଧ୍ୟ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।
ବିଧୂବିନୋଦ ଚୋପ୍ରା ଓ ରାଜକୁମାର ହିରାନୀଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶିକା ହେଲେ ସେଲି ଚୋପ୍ରା ଧର୍। ଏହା ଅକ୍ଟୋବର ୧୨ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।
ସୈଫ୍ – ସାରା ଅଲ୍ଲୀ ଖାନ୍
ସୈଫ୍ ଅଲ୍ଲୀ ଖାନ୍ ଓ ଅମ୍ରିତା ସିଂହଙ୍କ କନ୍ୟା ସାରା ଅଲ୍ଲୀ ଖାନ୍ ବଲିଉଡରେ ପ୍ରବେଶ କରିବା ପରଠୁଁ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ସେ ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ‘କେଦାରନାଥ୍’ ଜରିଆରେ ବଲିଉଡରେ ଡେବ୍ୟୁ କରୁଛନ୍ତି। ଏହି ସିନେମା ଚଳିତବର୍ଷ ନଭେମ୍ବର ୨୮ ତାରିଖରେ ରିଲିଜ୍ ହେବ ବୋଲି ଜଣାଯାଇଛି। ଏଥିରେ ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ନଜର ଆସିବେ ସାରା।
ସାରା ଅଲ୍ଲୀ ଖାନଙ୍କ ଅଭିନୀତ ଦ୍ୱିତୀୟ ସିନେମା ‘ସିମ୍ବା’ ରିଲିଜ୍ ହେଉଛି ଡିସେମ୍ବର ୨ ତାରିଖରେ। ପ୍ରଖ୍ୟାତ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ‘ସିମ୍ବା’ରେ ସାରା ରଣବୀର ସିଂହଙ୍କ ସହ କାମ କରିଛନ୍ତି।
‘କେଦାର ନାଥ୍’ ଓ ‘ସିମ୍ବା’ ପରେ ସାରା ଅଲ୍ଲୀ ଖାନ୍ କେଉଁ ସିନେମାରେ କାମ କରିବେ, ତାକୁ ନେଇ ବେଶ୍ କିଛି ଦିନ ହେବ ଆକଳନ ଚାଲିଛି।
ଏବେ ଏକ ଚମକପ୍ରଦ ଖବର ଆସିଛି। ତାହା ହେଲା ଯେ ସାରା ଅଲ୍ଲୀ ଖାନ୍ଙ୍କୁ ଏବେ ଏକ ନୂଆ ଫିଲ୍ମର ଅଫର୍ ମିଳିଛି। ଏହାର କାହାଣୀ ପିତା-କନ୍ୟାଙ୍କ ଉପରେ ଆଧାରିତ। ଏହି ଫିଲ୍ମରେ ସାରାଙ୍କ ପିତା ଭୂମିକା ନିଭାଇବାକୁ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ମଧ୍ୟ ପ୍ରସ୍ତାବ ମିଳିଛି।
ଜଣାଶୁଣା ନିର୍ଦ୍ଦେଶକ ନିତିନ କକ୍କଡ ତାଙ୍କର ଆଗାମୀ ଫିଲ୍ମ ପାଇଁ ଏହି ଅଫର୍ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ ଉଭୟ ସୈଫ୍ ଓ ସାରା ତାଙ୍କର ସ୍କ୍ରିପ୍ଟକୁ ପସନ୍ଦ କରିଛନ୍ତି। ନିତିନ ଏହା ପୂର୍ବରୁ ‘ଫିଲ୍ମିସ୍ତାନ’ ଟାଇଟଲରେ ଏକ ଭିନ୍ନ ସ୍ୱାଦର ସିନେମା ତିଆରି କରିଥିଲେ। ଯଦି ଏହି ଅଫର୍କୁ ଦୁହେଁ ସ୍ୱୀକାର କରନ୍ତି, ତେବେ ପରଦାରେ ସୈଫ୍-ସାରାଙ୍କୁ ଏକାଠି ଦେଖିବାକୁ ମିଳିବ।