ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦୀଘି ପଞ୍ଚାୟତର କେନ୍ଦୁଢ଼ିପା ଗାଁରେ ସର୍ଟ ସର୍କିଟ ହୋଇ ଜଳିଯାଇଛି ପ୍ରାୟ ୧୦ଟି ବଖରା ଘର।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦୀଘି ପଞ୍ଚାୟତର କେନ୍ଦୁଢ଼ିପା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସେହି ଗାଁରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୦ଟି ବଖରା ଘର ଜଳିଯାଇଛି। ବିଦ୍ୟୁତ୍ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

ଏବିଷୟରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁକୁ ଆୟତ କରିଛନ୍ତି। ସ୍ଥାନୀୟ ପୋଲିସ କହିବାନୁସାରେ, ଗୁରୁବାର ଭୋରରୁ ପ୍ରଥମେ ଗ୍ରାମର ନୃସିଂହ ନାୟକଙ୍କ ଘରୁ ନିଆଁ ବାହାରି ଥିଲା। ଚାହୁଁ ଚାହୁଁ ଏହି ନିଆଁ ଗାଁର ଅନ୍ୟ ଘରକୁ ମାଡ଼ି ଯାଇଥିଲା।

ଏହାପରେ କାମାକ୍ଷାନଗରରୁ ଦମକଳ ଗାଡ଼ି ଆସି ନିଆଁକୁ ଆୟତ କରିବା ପୂର୍ବରୁ ଗାଁର ଉଛବ ହାତୀ, ବିପିନ ପରିଡ଼ା, ସଦାନନ୍ଦ ପରିଡ଼ା, ରବି ପରିଡ଼ା, ମାଧବ ସ୍ୱାଇଁ, ରଞ୍ଜନ ହାତୀ ଓ କୁଳମଣି ସ୍ୱାଇଁଙ୍କ ପ୍ରାୟ ୧୦ଟି ବଖରା ଘର ପୋଡ଼ି ପାଉଁଶ ହୋଇ ଯାଇଛି।

ଏହାଛଡ଼ା ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବାରୁ ଲୋକେ କେବଳ ନିଜର ପିନ୍ଧା ଲୁଗା ବ୍ୟତୀତ ଘରର କୌଣସି ସାମଗ୍ରୀ ବଞ୍ଚାଇ ପାରି ନ ଥିବା ଜଣାପଡ଼ିଛି।

ଅପରପକ୍ଷରେ ଏ ବିଷୟରେ ଖବର ପାଇ କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ତହସିଲଦାର ସୁଧାଂଶୁ ମହାନ୍ତି ଆସି ଅଗ୍ନି ବିପନ୍ନମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ରିଲିଫ ପ୍ରଦାନ ପାଇଁ ବ୍ୟବସ୍ଥା କରିଛନ୍ତି।

LEAVE A REPLY

Please enter your comment!
Please enter your name here