ଭାସ୍କର ମିଶ୍ର
ମହାପ୍ରଭୁମାନଙ୍କର ୬ ଗୋଟି ପହଣ୍ଡି ମଧ୍ୟରୁ ତିନିଥର ଗୋଟି ପହଣ୍ଡି ଓ ତିନିଥର ଧାଡ଼ି ପହଣ୍ଡି ହୋଇଥାଏ। ଶ୍ରୀଜୀଉମାନଙ୍କ ସମସ୍ତ ବିଜେ ସମୟରେ ଧାଡ଼ି ପହଣ୍ଡି ଓ ବାହୁଡ଼ା ବିଜେଗୁଡ଼ିକ ସମୟରେ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥାଏ।
ପୁରୁଷୋତ୍ତମ କ୍ଷେତ୍ରରେ କେଉଁ ଅନାଦିକାଳରୁ ଶ୍ରୀଜୀଉମାନଙ୍କର ଏହି ପହଣ୍ଡି ବିଜୟ ହୋଇଛି, ତାହା ଏବେ ମଧ୍ୟ ଅଜ୍ଞାତ ରହିଛି। ପହଣ୍ଡି ଶବ୍ଦଟି ସଂସ୍କୃତରେ ‘‘ପାଦ ହୁଣ୍ଡନ’’ ବା ‘‘ପାଦହୁଣ୍ଡ’’ ଶବ୍ଦରୁ ସୃଷ୍ଟି। ପାହୁଣ୍ଡ ପାହୁଣ୍ଡ ହୋଇ ଚାଲିବାକୁ ବା ଆକ୍ଷରିକ ଅର୍ଥରେ ଗୋଟିଏ ଗୋଟିଏ ପାଦ ପକେଇ ଚାଲିବାକୁ ପହଣ୍ଡି କୁହାଯାଏ। କେତେକ ଗବେଷକଙ୍କ ମତରେ ଏହା ‘ପାହୁଣ୍ଡ’ ଶବ୍ଦର ଅପଭ୍ରଂଶ। ସମ୍ଭବତଃ ସ୍ନାନ ଓ ରଥଯାତ୍ରାର ଆରମ୍ଭ କାଳରୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇ ଆସୁଅଛି।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୁଇଟି ମୁଖ୍ୟ ଯାତ୍ରା ଯଥା- ସ୍ନାନ ଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀଜୀଉମାନେ ପହଣ୍ଡି ବିଜେ କରିଥାନ୍ତି। ଏହି ଦୁଇଯାତ୍ରାରେ ସର୍ବମୋଟ ଛଅଥର ପହଣ୍ଡି ହୋଇଥାଏ। ତନ୍ମଧ୍ୟରେ (୧) ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସ୍ନାନଯାତ୍ରା ପାଇଁ ଆନନ୍ଦବଜାରରେ ଥିବା ସ୍ନାନମଣ୍ଡପକୁ ବିଜେ, (୨) ସ୍ନାନ ପୂର୍ଣ୍ଣିମା ବା ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ବିଳମ୍ବିତ ରାତ୍ରରେ ସ୍ନାନମଣ୍ଡପରୁ ଅଣସର ପିଣ୍ଡିକୁ ବିଜେ (୩) ଶ୍ରୀଗୁଣ୍ଡିଚା ଦିନ ଶ୍ରୀମନ୍ଦିର ସିଂହ ଦ୍ୱାରରେ ଥିବା ତିନିରଥକୁ ବିଜେ, (୪) ଗୁଣ୍ଡିଚା ମନ୍ଦିରଠାରେ ରଥ ଉପରୁ ଗୁଣ୍ଡିଚା ଘରକୁ ବିଜେ, (୫) ବାହୁଡ଼ା ଯାତ୍ରା ଦିନ ଗୁଣ୍ଡିଚା ଘରଠାରୁ ତିନି ରଥକୁ ବାହୁଡ଼ା ବିଜେ; ଏବଂ (୬) ନୀଳାଦ୍ରି ବିଜୟ ଦିନ ସିଂହଦ୍ୱାରଠାରେ ଥିବା ରଥ ଉପରୁ ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନକୁ ବିଜେ କରିଥାନ୍ତି।
ମହାପ୍ରଭୁମାନଙ୍କର ଏହି ୬ ଗୋଟି ପହଣ୍ଡି ମଧ୍ୟରୁ ତିନିଥର ଗୋଟି ପହଣ୍ଡି ଓ ତିନିଥର ଧାଡ଼ି ପହଣ୍ଡି ହୋଇଥାଏ। ଶ୍ରୀଜୀଉମାନଙ୍କ ସମସ୍ତ ବିଜେ ସମୟରେ ଧାଡ଼ି ପହଣ୍ଡି ଓ ବାହୁଡ଼ା ବିଜେଗୁଡ଼ିକ ସମୟରେ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥାଏ। ଗୋଟି ପହଣ୍ଡିରେ ଏକ ମୂର୍ତ୍ତି ଠାକୁର ବିଜେ ହୋଇ ଉଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ଅନ୍ୟ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥାଏ। କିନ୍ତୁ ଧାଡ଼ି ପହଣ୍ଡିରେ ଠାକୁରମାନେ ଜଣକ ପରେ ଜଣେ ଏକକାଳୀନ ବିଜେ କରନ୍ତି। ଶ୍ରୀଜୀଉମାନଙ୍କ ଏହି ପହଣ୍ଡି ବିଜେ ସମୟରେ ଓ ପୂର୍ବରୁ କେତେକ ନିର୍ଦ୍ଦିଷ୍ଟ ନୀତି ସମ୍ପନ୍ନ ହୋଇଥାଏ। ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରତ୍ୟୁଷରୁ ରତ୍ନସିଂହାସନରେ ମହାପ୍ରଭୁମାନଙ୍କର କେବଳ ମଙ୍ଗଳାପଣ କରାଯାଇ ପହଣ୍ଡି ଆରମ୍ଭ କରାଯାଇ ସର୍ବପ୍ରଥମେ ଶ୍ରୀସୁଦର୍ଶନ ଓ ପରେ ପରେ ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା, ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଥାଏ। ତେଣୁ ଶାସ୍ତ୍ରରେ କୁହାଯାଇଛି-
‘‘ସୁଦର୍ଶନଂ ପୁରସ୍କୃତ୍ୟ ବଳଭଦ୍ରଂ ତତଃ ପରମ୍
ସୁଭଦ୍ରା ତ ତତୋ ନୀତ୍ୱା ଜଗଦୀଶଂ ସୁରେଶ୍ୱରମ୍”
(ନୀଳାଦ୍ରି ମହୋଦୟ)
ଶ୍ରୀସୁଦର୍ଶନ ଓ ଦେବୀ ସୁଭଦ୍ରା ଦଇତାପତିମାନଙ୍କର ହସ୍ତ ଓ ସ୍କନ୍ଧାବଲମ୍ବନ ପୂର୍ବକ ପହଣ୍ଡି ବିଜେ ହୋଇ ରଥାରୋହଣ କରିଥିବା ବେଳେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ହସ୍ତ, ବାହୁ, ସ୍କନ୍ଧ ଓ ରଜ୍ଜୁ ଦ୍ୱାରା ଆକର୍ଷଣ କରି ଧୀରେ ଧୀରେ ପହଣ୍ଡି ବିଜେ କରାଇଥାନ୍ତି। ତତ୍ପରେ ମହାଜନ ପୁଷ୍ପାଳକମାନଙ୍କ ଦ୍ୱାରା ମଦନମୋହନ ଓ ରାମ, କୃଷ୍ଣ ସ୍ନାନବେଦୀକୁ ବିଜେ କରିଥାନ୍ତି। ପୂର୍ବରୁ ତିନି ବାଡ଼ରେ ଯଥାକ୍ରମେ ପୂଜାପଣ୍ଡା (ଜଗନ୍ନାଥ), ମୁଦିରସ୍ତ (ବଳଭଦ୍ର) ଓ ପତି ମହାପାତ୍ର (ସୁଭଦ୍ରାଙ୍କ) ବାଡ଼ରେ ମଙ୍ଗଳାର୍ପଣ କରିଥାନ୍ତି। ଗରାବଡ଼ୁ ସେବକ ମଙ୍ଗଳାର୍ପଣର ସମସ୍ତ ଜିନିଷ ନୀତି ସଂପୃକ୍ତ ସେବକମାନଙ୍କ ହାତକୁ ବଢ଼ାଇ ଦିଅନ୍ତି। ଏତଦ୍ ବ୍ୟତୀତ ମଙ୍ଗଳାର୍ପଣ ସମୟରେ ସୁଦ୍ଧ ସୁଆର ଓ ଭଣ୍ଡାର ମେକାପ ମଧ୍ୟ ଉପସ୍ଥିତ ଥାଇ ଉକ୍ତ ନୀତିରେ ସହାୟତା କରିଥାନ୍ତି।
ଶ୍ରୀଜୀଉମାନଙ୍କ ପବିତ୍ର ପହଣ୍ଡି ସମୟରେ ପ୍ରଥମେ ବିଜେ କାହାଳି ବାଜିବା ପରେ ଘଣ୍ଟୁଆ, କାହାଳିଆ, ବୈଜୟନ୍ତୀ, ଓଲାର, ଛତାର ପ୍ରମୁଖ ସେବକମାନଙ୍କ ଉପସ୍ଥିତିରେ ଘଣ୍ଟ, ବାଦ୍ୟ ଆଦି ତାଳ ସହକାରେ ବାଜେ। ଭକ୍ତ ତଥା ଦର୍ଶନାର୍ଥୀମାନେ ଏହି ସମୟରେ ପୁଷ୍ପ ବର୍ଷଣ କରିବା ସଙ୍ଗେ ସଙ୍ଗେ ହରିବୋଲ ଓ ହୁଳହୁଳିର ପବିତ୍ର ଧ୍ୱନିରେ ସମଗ୍ର ପରିବେଶକୁ ଆନନ୍ଦ ମୁଖରିତ କରିଥାନ୍ତି। ପହଣ୍ଡି ସମୟରେ ପଣ୍ଡା, ପୁଷ୍ପାଳକ ପ୍ରମୁଖ ସେବକମାନେ ଡୋରି ଧରିଥାନ୍ତି। ଛାମୁ ଖୁଣ୍ଟିଆ ସେବକ ପହଣ୍ଡି ତଥା ଠାକୁରମାନଙ୍କ ଆଗରେ ବେତ ଧରି ‘ମଣିମା’, ଶ୍ରୀ ଅଙ୍ଗକୁ ସାବଧାନ’’! ବୋଲି ଉଚ୍ଚାରଣ କରି ମହାପ୍ରଭୁମାନଙ୍କ ଆଗେ ଆଗେ ବେତ ବାଡ଼େଇ ଚାଲିଥାନ୍ତି।
ଏହି ପବିତ୍ର ପହଣ୍ଡି ବିଜେରେ ଅଂଶଗ୍ରହଣ କରୁଥିବା ସେବକମାନେ କେତେକ ନିଷ୍ଠାପରତା ଅବଲମ୍ବନ କରିଥାନ୍ତି, ଯଥା ନିଶ ରଖିବେ ନାହିଁ, ଅଶୌଚ ହୋଇ କିମ୍ବା ସାର୍ଟ ପ୍ୟାଣ୍ଟ ପିନ୍ଧି ମହାପ୍ରଭୁଙ୍କ ପହଣ୍ଡି ନୀତିରେ ଅଂଶଗ୍ରହଣ କରିପାରିବେ ନାହିଁ। ଚତୁର୍ଦ୍ଧାମୂର୍ତ୍ତି ସାତ ପାହାଚ ଉପରକୁ ପରମ୍ପରାକ୍ରମେ ବିଜେ ହୋଇ ଆସିବାକ୍ଷଣି ରାଘବଦାସ ମଠ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୋଲ, ଜରି ଓ ଫୁଲରେ ନିର୍ମିତ ଟାହିଆ ଠାକୁରମାନଙ୍କ ମଥାରେ ଲାଗି କରାଯାଏ ଏବଂ କେତେକ ନିର୍ଦ୍ଦିଷ୍ଟ ମଠମାନଙ୍କ ପକ୍ଷରୁ ପନ୍ତିଭୋଗ ଓ ଚାମର, ଆଲଟ ସେବା କରାଯାଇଥାଏ। ମହାପ୍ରଭୁମାନଙ୍କ ଏହି ନୟନାନନ୍ଦଦାୟକ ପହଣ୍ଡି ବିଜୟ ଦର୍ଶନ କରିବା ପାଇଁ ଇଚ୍ଛୁକ ଥିବା ଭକ୍ତ ଓ ଦର୍ଶନାର୍ଥୀମାନଙ୍କୁ ପହଣ୍ଡି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ରଖାଯାଇ ପହଣ୍ଡି ଦର୍ଶନ ନିମିତ୍ତ ଟିକେଟ ଯୋଗାଇ ଦିଆଯାଇଥାଏ।
ସ୍ନାନପୂର୍ଣ୍ଣମୀ ବ୍ୟତୀତ ରଥଯାତ୍ରା ଦିନ ଶ୍ରୀଜୀଉମାନଙ୍କ ଆଳତୀ, ଅବକାଶ, ଖେଚେଡ଼ି ଭୋଗ, ମଙ୍ଗଳାର୍ପଣ ଇତ୍ୟାଦି ନୀତି ଅନୁସୃତ ହୋଇ ପହଣ୍ଡି ବିଜେ ଆରମ୍ଭ ହୋଇଥାଏ। ଠାକୁରମାନେ ସାତ ପାହାଚରୁ ଭିତର ବେଢ଼ା ଓ ଆନନ୍ଦବଜାର ମଧ୍ୟ ଦେଇ ବାଇଶି ପାହାଚ ଉପରେ ବିଜେ ହୋଇବା ସମୟରେ ମଠ ଓ କେତେକ ସେବାୟତ ନିଯୋଗ ତରଫରୁ ପଣା ଓ ପନ୍ତୀଭୋଗ ଇତ୍ୟାଦି କରାଯାଇଥାଏ।
ଶ୍ରୀସୁଦର୍ଶନ, ଦେବୀ ସୁଭଦ୍ରା, ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ରଥ ଉପରେ ଅଧିଷ୍ଠିତ ହୋଇଥାନ୍ତି। ପହଣ୍ଡି ଶେଷ ହେବା ପରେ ପୁଷ୍ପାଳକ ମହାଜନମାନେ ମଦନମୋହନଙ୍କୁ ଜଗନ୍ନାଥଙ୍କ ରଥରେ ଓ ରାମ, କୃଷ୍ଣ ବିଗ୍ରହଙ୍କୁ ବଳଭଦ୍ରଙ୍କ ରଥରେ ବିଜେ କରାଇଥାନ୍ତି। ଶ୍ରୀଜୀଉମାନଙ୍କ ନୀଳାଦ୍ରିବିଜେରେ ଶ୍ରୀମନ୍ଦିରକୁ ଓ ଗୁଣ୍ଡିଚା ଘରକୁ ପହଣ୍ଡି ବିଜେ କରିବା ପୂର୍ବରୁ ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହକୁ ବିଜେ କରାଯାଏ। ତତ୍ପରେ ଚତୁର୍ଦ୍ଧାମୂର୍ତ୍ତି ଠାକୁରଙ୍କ ପହଣ୍ଡି ହୋଇଥାଏ।
ବାହୁଡ଼ା ବିଜେ ସମୟରେ ପତି ମହାପାତ୍ର ସେବକଙ୍କ ଦ୍ୱାରା ଶ୍ରୀଜୀଉମାନଙ୍କ ଘଷା, ଧଣ୍ଡି, ବିଡ଼ିଆ ଆଦି ଅର୍ପଣ କରାଯାଇଥାଏ। ଏତଦ୍ ବ୍ୟତୀତ ବାହୁଡ଼ା ଦିନ ଗୁଣ୍ଡିଚା ମନ୍ଦିରରେ ଠାକୁରମାନେ ପହଣ୍ଡି ବିଜେକରି ଭିତର ବେଢ଼ାରେ ପହଞ୍ଚିବା ପରେ ମୁକ୍ତିମଣ୍ଡପ ପକ୍ଷରୁ ଏକ ପନ୍ତୀ ଭୋଗ ଓ ରାଘବ ଦାସ ମଠ ପକ୍ଷରୁ ଯୋଗାଇ ଦିଆଯାଇଥିବା ଫୁଲ ଟାହିଆ ଲାଗି ହୋଇଥାଏ।
ମହାପ୍ରଭୁମାନଙ୍କ ପହଣ୍ଡି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ତତ୍ପରତାରେ ଶ୍ରୀମନ୍ଦିରର ଶୂଦ୍ର ସେବକ ଓ ପାରିଶ୍ରମିକ ନେଇ କାର୍ଯ୍ୟ କରୁଥିବା ମୂଲିଆମାନଙ୍କ ସହଯୋଗରେ ରଥରେ ଚାରମାର ବନ୍ଧା ହୋଇଥିବା ସ୍ଥଳେ ଦଇତାପତି ସେବକମାନଙ୍କ ଦ୍ୱାରା କୁସୁମି ଲାଗି, ସେନା ପଟା ଲାଗି ଇତ୍ୟାଦି ନୀତି ସମ୍ପନ୍ନ ହୋଇଥାଏ।
ଶ୍ରୀଜୀଉମାନଙ୍କ ଏହି ପହଣ୍ଡିବିଜେରୁ ଉତ୍କଳୀୟ ସଂସ୍କୃତିର ମହାନତାର ପରିଚୟ ମିଳେ। ତାହା ଯେପରି ବିଶେଷତ୍ୱ ପୂର୍ଣ୍ଣ, ସେପରି ଭାବଦ୍ୟୋତକ। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ତଥା ଜନସାଧାରଣ ହିନ୍ଦୁଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁମାନଙ୍କ ପହଣ୍ଡି ବିଜେ ଦୃଶ୍ୟ ଦେଖି ଅଶେଷ ଆନନ୍ଦ ଲାଭ ପାଇଥାନ୍ତି। ଏପରିକି ଅତୀତରେ ଅନେକ ଭକ୍ତ କବିଗଣ ଠାକୁରମାନଙ୍କର ଏହି ପବିତ୍ର ପହଣ୍ଡିବିଜେର ଦୃଶ୍ୟ ଦେଖି ଭାବବିହ୍ୱଳିତ ହୋଇ ଅନେକ ଜଣାଣ ଭଜନ ଇତ୍ୟାଦି ରଚନା କରି ନିଜକୁ ପ୍ରଭୁ ପାଦତଳେ ସମର୍ପି ଦେଇଛନ୍ତି।
(ସୌଜନ୍ୟ: ଏସ୍ବି ପବ୍ଲିକେସନସ୍ ପକ୍ଷରୁ ପ୍ରକାଶିତ ‘ଶ୍ରୀ ଜଗନ୍ନାଥ ସଂସ୍କୃତି’)