(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ବିମୁଦ୍ରାକରଣର ବର୍ଷେ ପରେ କେମିତି ଚାଲିଛି କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍ସନ୍? ବ୍ୟବସାୟୀ ଓ ଗ୍ରାହକ କ୍ୟାସ୍‌ଲେସ୍‌ ନା ନଗଦ କାରବାରକୁ ଗୁରୁତ୍ବ ଦେଉଛନ୍ତି ସେନେଇ କେନ୍ଦ୍ରାପଡ଼ାରେ ‘ଓଡ଼ିଶାଲାଇଭ୍‌’ କରିଥିଲା ରିୟଲିଟି ଚେକ୍‌।

କେନ୍ଦ୍ରାପଡ଼ା,(ଆଳୟ ସାମନ୍ତରାୟ): ବିମୁଦ୍ରାକରଣକୁ ପୁରିଛି ବର୍ଷେ। ୨୦୧୫ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ବଡ଼ ନୋଟ ଅଚଳ କରିବା ପରେ ଦେଶରେ ଏକପ୍ରକାର ଆର୍ଥିକ ସଙ୍କଟ ଦେଖାଦେଇଥିଲା। ବର୍ଷକ ପରେ ସ୍ଥିତି ସୁଧୁରିଛି। ହେଲେ କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍ସନ ପାଇଁ ମୋଦି ଯେଉଁ ଆହ୍ବାନ ଦେଇଥିଲେ ତାହା କେନ୍ଦ୍ରାପଡ଼ା ଜିଲ୍ଲାର କେତେକାଂଶରେ ସଫଳ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ବିଫଳ ହୋଇଛି।

ବିମୁଦ୍ରାକରଣ ଦ୍ବାରା ନଗଦ କାରବାର ହ୍ରାସ ପାଇବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ୟବସାୟୀ କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍ସନକୁ ଆପଣାଇଥିଲେ। କିଏ ପିଓଏସ୍‌ ମେସିନ୍‌ରେ କାରବାର କରୁଥିଲା ତ ଆଉ କିଏ ପେଟିମ୍‌ ଜରିଆରେ ବ୍ୟବସାୟ କରୁଥିଲା। କିନ୍ତୁ ବିମୁଦ୍ରାକରଣର ବର୍ଷେ ଭିତରେ ଲୋକଙ୍କ ପାଖରେ ନଗଦ ଟଙ୍କା ଭରପୁର ମାତ୍ରାରେ ରହିବା ଫଳରେ କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍ସନକୁ କିଛି ମାତ୍ରାରେ ଝଟକା ଲାଗିଛି। ବିମୁଦ୍ରାକରଣ ପରେପରେ ଯେଉଁ ହାରରେ କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍ସନ୍‌ ହେଉଥିଲା ତାହା ଏବେ କମି ଯାଇଛି। କେବଳ ପେଟ୍ରୋଲ୍‌ ପମ୍ପ ଏବଂ ସପିଂ ମଲ୍‌ରେ କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍ସନ ଚାଲିଥିବା ବେଳେ ଅନ୍ୟ ଦୋକାନରେ ଏହି କାରବାର ଠପ୍‌ ହୋଇଯାଇଛି।

କେନ୍ଦ୍ରାପଡ଼ା ଟାଉନ୍‌ ସମେତ ପଟ୍ଟାମୁଣ୍ଡାଇ, ମାର୍ଶାଘାଇ, କୋରୁଆ, ରାମନଗର ଆଦି ସ୍ଥାନ ହେଉଛି ବ୍ୟବସାୟର ପେଣ୍ଠସ୍ଥଳ। ଏସବୁ ସ୍ଥାନରେ ପ୍ରତିଦିନ ଲକ୍ଷାଧିକ ଟଙ୍କାର କାରବାର ହୋଇଥାଏ। ତେବେ ଏଠାକାର ବ୍ୟବସାୟୀଙ୍କ କହିବା କଥା କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍ସନ ଆଉ ଆଗଭଳି ହେଉନି। ଆମେ ପିଓଏସ୍‌ ମେସିନ୍‌ ରଖିଥିଲୁ। ହେଲେ ଲୋକେ ନଗଦ କାରବାର ଉପରେ ଅଧିକ ଫୋକସ୍‌ କରୁଛନ୍ତି। ଫଳରେ ପିଓଏସ୍‌ ମେସିନ୍‌ ସେମିତି ରହିଛି। ଯିଏ ଖୋଜୁଛନ୍ତି ସେମାନଙ୍କୁ ଦିଆଯାଉଛି।

ଚାନ୍ଦୋଳର ବ୍ୟବସାୟୀ ଶିବାଶିଷ ମହାନ୍ତି କୁହନ୍ତି, “ଡିଜିଟାଲ କାରବାର ପାଇଁ ମୋଦି ସରକାର ନିର୍ଦ୍ଦଶେ ଦେଇଥିଲେ। ଆମେ ପିଓଏସ୍‌ ମେସିନ୍ ଆଣିଥିଲୁ। ହେଲେ ଏଥିପାଇଁ ଆମକୁ ୨ ପ୍ରତିଶତ ଅର୍ଥ ଅଧିକ ଦେବାକୁ ପଡ଼ୁଛି। ଲୋକେ ଏହା ବୁଝୁ ନାହାନ୍ତି। ଫଳରେ ଗ୍ରାହକ ନଗଦ କାରବାର କରିବାକୁ ପସନ୍ଦ କରୁଛନ୍ତି। ଛୋଟ ଦୋକାନରେ ଏହା ଫେଲ୍‌ ମାରିଛି।

କେନ୍ଦ୍ରାପଡ଼ା ସେବା ସମିତି ସଭାପତି ମନୋଜ କୁମାର ନାୟକ କୁହନ୍ତି, “କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍ସନ ସମ୍ପୂର୍ଣ୍ଣ ସୁବିଧା ବୋଲି କୁହାଯାଇ ପାରିବ ନାହିଁ। ମୋବାଇଲ୍‌ ବ୍ୟାଙ୍କିଂ ଦ୍ବାରା ଚୋରି, ହ୍ୟାକିଂ ହେଉଛି। ଏଟିଏମ୍‌ରେ ଅଧିକ ସମୟ ଧରି ଟଙ୍କା ଟ୍ରାନ୍ସଫର କଲେ ଆକାଉଣ୍ଟରୁ ଟଙ୍କା କଟି ଯାଉଛି। ସାଧାରଣ ଲୋକ ଯେମିତି ସୁବିଧା ପାଇବା କଥା ସେମିତି ପାଉ ନାହାନ୍ତି।”

ବିମୁଦ୍ରାକରଣ ପରେ ବିଭିନ୍ନ ବ୍ୟାଙ୍କରେ ଯେଉଁ ଭିଡ଼ ହେଉଥିଲା ତାହା ଆଉ ଏବେ ନାହିଁ। ଲୋକେ ନେଟ୍‌ ବ୍ୟାଙ୍କିଂରେ ଘରେ ବସି ବ୍ୟାଙ୍କ କାରବାର କରୁଛନ୍ତି। ଏହି ସୁବିଧାକୁ କିଛି ଶିକ୍ଷିତ ବ୍ୟକ୍ତି ଏବଂ ବଡ଼ବଡ଼ ବ୍ୟବସାୟ ପ୍ରତିଷ୍ଠାନର ଲୋକ ସ୍ବାଗତ କରିଛନ୍ତି।

ପେଟ୍ରୋଲ ପମ୍ପ ମାଲିକ ପି ରାଜକୁମାର ସାହୁ କୁହନ୍ତି, “ପୂର୍ବ ଅପେକ୍ଷା କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍ସନ ଏବେ କମି ଯାଇଛି। ହେଲେ କିଛି ଲୋକ ପିଓଏସ୍‌ ମେସିନ୍ ଖୋଜୁଛନ୍ତି। ଶିକ୍ଷିତ ବ୍ୟକ୍ତିମାନେ ପାଖରେ ଟଙ୍କା ରଖିବାକୁ ଆଉ ପସନ୍ଦ କରୁ ନାହାନ୍ତି।

ଛାତ୍ରୀ ଜ୍ୟୋତିପ୍ରଜ୍ଞା ମହାପାତ୍ର କୁହନ୍ତି, “ମୋଟା ଅଙ୍କର ଟଙ୍କା ସାଙ୍ଗରେ ନେଇ ଯିବା ଲାଗି ଭୟ ଲାଗୁଥିଲା। କାରଣ ଚୋରି ହେବାର ଭୟ ରହିଥିଲା। ସେ ଭୟ ଆଉ ଏବେ ନାହିଁ। ଏଟିଏମ୍‌ କାର୍ଡରେ ସବୁକିଛି ହୋଇଯାଉଛି। ହେଲେ ଗ୍ରାମାଞ୍ଚଳ ଲୋକେ ଏଥିପ୍ରତି ସଚେତନ ନୁହନ୍ତି।

 

 

LEAVE A REPLY

Please enter your comment!
Please enter your name here