ଓଡ଼ିଶାଲାଇଭ୍‌ ବିଜିନେସ୍‌ ବ୍ୟୁରୋ

ଏମ୍‌ଏସ୍‌ଏମ୍‌ଇ ସଂସ୍ଥା ଭାବେ ପଞ୍ଜୀକରଣ ପାଇଁ ଆବଶ୍ୟକ ହେଉଥିବା ‘ଉଦ୍ୟୋଗ ଆଧାର’ ନିଜେ କରନ୍ତୁ, ମାଗଣାରେ କରନ୍ତୁ।

  • କେନ୍ଦ୍ର ସରକାରଙ୍କ ୱେବସାଇଟ୍‌ ଯୋଗେ ‘ଉଦ୍ୟୋଗ ଆଧାର’ ପଞ୍ଜୀକରଣ କରନ୍ତୁ
  • ସମ୍ପୂର୍ଣ୍ଣ ମାଗଣାରେ ହେଉଛି ଏହି ପଞ୍ଜୀକରଣ
  • କୌଣସି କନସଲଟାଣ୍ଟ ବା ଠକ ସଂସ୍ଥା ହାବୁଡ଼େ ପଡ଼ି ଟଙ୍କା ଗଣି କରନ୍ତୁ ନାହିଁ ପଞ୍ଜୀକରଣ

ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ବା ଏମ୍‌ଏସ୍‌ଏମ୍‌ଇ ପଞ୍ଜୀକରଣ ପାଇଁ ଆପଣଙ୍କୁ ଆଉ ଜିଲ୍ଲା ଶିଳ୍ପ କେନ୍ଦ୍ରକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଆଜି ଜଣେ ଉଦ୍ୟୋଗୀ ଘରେ ବସି ଇଣ୍ଟରନେଟ୍‌ ମାଧ୍ୟମରେ ଅଳ୍ପ ସମୟ ମାଧ୍ୟମରେ ‘ଉଦ୍ୟୋଗ ଆଧାର’ ପଞ୍ଜୀକରଣ କରି ଏହି ଯୋଗ୍ୟତା ହାସଲ କରିପାରିବେ। ଏହା ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ।

କିନ୍ତୁ ଦୁର୍ଭାଗ୍ୟର କଥା ଯେ, ଅନେକ ଘରୋଇ ସଂସ୍ଥା ଇଣ୍ଟରନେଟ୍‌ରେ ବିଜ୍ଞାପନ ଦେଇ ଲୋକଙ୍କୁ ନିଜ ୱେବସାଇଟ୍‌କୁ ଟାଣି ନେଉଛନ୍ତି। ଏହି ଆବେଦନ ପାଇଁ ସେମାନେ ଗ୍ରାହକମାନଙ୍କଠାରୁ ୨ରୁ ୩ ହଜାର ପର୍ଯ୍ୟନ୍ତ ନେଉଥିବା ଜଣାପଡ଼ିଛି। ଅନେକ ଉଦ୍ୟୋଗୀ ଗୁଗଲ’ରେ ସର୍ଚ୍ଚ କରି ସବା ଉପରେ ଆସୁଥିବା ଲିଙ୍କ୍‌ କ୍ଲିକ୍‌ କରି ଏହି ଘରୋଇ ୱେବସାଇଟ୍‌ରେ ପଶି ଯାଉଛନ୍ତି। ସେମାନେ ସରକାରୀ ଓ ଘରୋଇ ୱେବସାଇଟ୍‌ ଭିତରେ ଫରକ ଜାଣିପାରୁ ନାହାନ୍ତି।

ତେବେ ବହୁ ଗ୍ରାହକ ଘରୋଇ ୱେବସାଇଟ୍‌ରେ ରେଜିଷ୍ଟେସନ କଲାବେଳେ ଅନ୍‌ଲାଇନ୍‌ରେ ଟଙ୍କା ଦେଇ ପରେ ଯେତେବେଳେ ଜାଣିବାକୁ ପାଉଛନ୍ତି ଯେ, ଏହି ସେବା ସମ୍ପୂର୍ଣ୍ଣ ମାଗଣା ସେତେବେଳେ ସେମାନେ ପସ୍ତାଇବା ଦେଖିବାକୁ ମିଳୁଛି।

କେମିତ କରିବେ ‘ଉଦ୍ୟୋଗ ଆଧାର’ ପଞ୍ଜୀକରଣ?

www.udyogaadhaar.gov.in ହେଉଛି କେନ୍ଦ୍ର ସରକାରଙ୍କ ୱେବସାଇଟ୍‌ ଯେଉଁଠି ଆପଣ ସିଧାସଳଖ ଯାଇ ‘ଉଦ୍ୟୋଗ ଆଧାର’ ପଞ୍ଜୀକରଣ କରିପାରିବେ। ଯଦି ଆପଣ ଗୁଗଲ’ରେ ‘Udyog Aadhar’ ସର୍ଚ୍ଚ କରୁଛନ୍ତି, ତେବେ ସାବଧାନ ରହନ୍ତୁ। କାରଣ, ପେଜ୍‌ର ସବା ଉପରେ ଆସୁଥିବା ୪ରୁ ୫ଟି ଲିଙ୍କ୍‌ ବିଭିନ୍ନ ଘରୋଇ ସଂସ୍ଥାର। ଏହି ୱେବସାଇଟ୍‌ଗୁଡ଼ିକ ଅତି ଚତୁରତାର ସହ ‘.org’ ଡୋମେନ୍‌ ହୋଇଥିବାରୁ ଅନେକ ବ୍ୟକ୍ତି ଏହାକୁ ସରକାରୀ ସାଇଟ୍‌ ଭାବି ତାକୁ କ୍ଲିକ୍‌ କରିଥାନ୍ତି।

କିନ୍ତୁ ଆପଣ ଯଦି ଟିକେ ନିଘା କରି ଦେଖିବେ ତେବେ ଜାଣି ପାରିବେ, ଏହି ଲିଙ୍କ୍‌ ଥିବା ସ୍ଥାନରେ ବାମ ପଟେ ‘Ad’ ଲେଖାଯାଇଛି। ଅର୍ଥାତ୍‌ ବିଜ୍ଞାପନ ଦେଇ ଏହି ସାଇଟ୍‌ଗୁଡ଼ିକ ଗୁଗଲ ସର୍ଚ୍ଚ ପେଜ୍‌ର ସବା ଉପରେ ନିଜକୁ ସ୍ଥାନିତ କରିପାରିଛନ୍ତି।

ଆଧାର ଓ ପ୍ୟାନ୍‌ କାର୍ଡ ଦରକାର

www.udyogaadhaar.gov.in ସାଇଟ୍‌କୁ ଯାଇ ଉଦ୍ୟୋଗ ଆଧାର ପାଇଁ ଥିବା ବକ୍ସରେ ଆପଣଙ୍କ ନାଁ ଓ ଆଧାର ନମ୍ବର ଭରନ୍ତୁ। ଏହା ପରେ ଆଧାର ଭେରିଫିକେସନ ପାଇଁ ସବ୍‌ମିଟ୍‌ କରନ୍ତୁ। ଆପଣଙ୍କ ଆଧାର ନମ୍ବର ସହ ଯୋଡ଼ି ହୋଇଥିବା ମୋବାଇଲ୍‌ ଫୋନ୍‌କୁ ତୁରନ୍ତ ଆସିଯିବ ଏକ ଓଟିପି। ଏହା ଦେବା ପରେ ଉଦ୍ୟୋଗ ଆଧାର ପଞ୍ଜୀକରଣ ପାଇଁ ପେଜ୍‌ ଖୋଲିଯିବ।

ଆପଣ ନୂଆ କରି କୌଣସି ଛୋଟ ସଂସ୍ଥା ଆରମ୍ଭ କରିପାରୁଥାନ୍ତି କିମ୍ବା ଆପଣଙ୍କ କମ୍ପାନି ପାଇଁ ଏମ୍‌ଏସ୍‌ଏମ୍‌ଇ ପଞ୍ଜୀକରଣ କରୁଥାଇପାରନ୍ତି – ଉଭୟ ପାଇଁ ରାସ୍ତା ଏକ। ଆପଣଙ୍କ ଆଧାର ସହିତ ପ୍ୟାନ୍‌(ବ୍ୟକ୍ତିଗତ ବିଜିନେସ୍‌ ହୋଇଥିଲେ ନିଜର ପ୍ୟାନ୍‌, ପଞ୍ଜୀକୃତ ସଂସ୍ଥା ବା କମ୍ପାନି ହୋଇଥିଲେ ଅନୁଷ୍ଠାନର ପ୍ୟାନ) ପ୍ରସ୍ତୁତ ରଖନ୍ତୁ। ଏହି ୱେବସାଇଟ୍‌ ଆପଣଙ୍କୁ ପର୍ଯ୍ୟାୟକ୍ରମେ ଆପଣଙ୍କ ଅନୁଷ୍ଠାନ ବା ବିଜିନେସ ସମ୍ପର୍କରେ ଯେଉଁ ତଥ୍ୟ ମାଗିବ ତାହା ଭରନ୍ତୁ।

ଅନ୍‌ଲାଇନ୍‌ରେ ଉଦ୍ୟୋଗ ଆଧାର ପଞ୍ଜୀକରଣ ଏକ ସରଳ ପଦ୍ଧତି। ଏଥିପାଇଁ ବିଶେଷ ସମୟ ଲାଗେ ନାହିଁ ବା କୌଣସି ବିଶେଷଜ୍ଞଙ୍କ ସାହାଯ୍ୟର ଆବଶ୍ୟକତା ନାହିଁ। ଆପଣ ଥରେ ସମ୍ପୂର୍ଣ୍ଣ ପଦ୍ଧତି ଅନୁସରଣ କରି ସବ୍‌ମିଟ୍‌ କରିଦିଅନ୍ତୁ। ଦେଖିବେ ମାତ୍ର ଦିନକ ମଧ୍ୟରେ ଆପଣଙ୍କ ଉଦ୍ୟୋଗ ଆଧାର ସାର୍ଟିଫିକେଟ୍‌ ଇମେଲ୍‌ ଯୋଗେ ଆପଣଙ୍କ ପାଖରେ ପହଞ୍ଚିଯିବ।

ସେପ୍ଟେମ୍ବର ୨୦୧୫ ମସିହାରୁ ଏପର୍ଯ୍ୟନ୍ତ ୭୧,୩୭,୬୩୬ ବ୍ୟକ୍ତି/ଅନୁଷ୍ଠାନ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ବା ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରାଳୟ ଅଧୀନରେ ଉଦ୍ୟୋଗ ଆଧାର ପଞ୍ଜୀକରଣ କରିଛନ୍ତି। ଆପଣ ଅନ୍‌ଲାଇନ୍‌ରେ ଏହି ପଞ୍ଜୀକରଣ କରି ଏମ୍‌ଏସ୍‌ଏମ୍‌ଇ ସଂସ୍ଥା ଭାବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସହଯୋଗ ଓ ଯୋଜନାରୁ ଲାଭ ଉଠାଇ ପାରିବେ।

ମନେରଖନ୍ତୁ, ବ୍ୟାଙ୍କରୁ ଋଣ ପାଇଁ ଗଲା ବେଳେ ହେଉ ବା ଟ୍ରେଡ୍‌ ମାର୍କ ରେଜିଷ୍ଟ୍ରେସନ ସବୁଠି ଆପଣଙ୍କ କାମରେ ଆସିବ ଏହି ଉଦ୍ୟୋଗ ଆଧାର ବା ଏମ୍‌ଏସଏମ୍‌ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍।

ଉଦ୍ୟୋଗ ଆଧାର ପଞ୍ଜୀକରଣ ବେଳେ ଲୋକଙ୍କଠାରୁ ପଇସା ଆଦାୟ କରୁଥିବା ଘରୋଇ ବା ଠକ ସଂସ୍ଥାଠାରୁ ଦୂରେଇ ରହିବା ପାଇଁ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ବା ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରାଳୟ ସରକାରୀ ୱେବସାଇଟ୍‌ରେ ଅତି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି। ଏହି କାମ ପାଇଁ ସରକାର କୌଣସି ଏଜେଣ୍ଟ ବା ଫ୍ରାଞ୍ଜାଇଜିକୁ ନିଯୁକ୍ତ କରିନଥିବା ସେଠାରେ ଲେଖାଯାଇଛି। ଏପରିକି, ଯଦି କୌଣସି ସଂସ୍ଥା ଆପଣଙ୍କଠାରୁ ଏହି ପଞ୍ଜୀକରଣ କରାଇଦେବା ନାଁରେ ଟଙ୍କା ନେଉଥାନ୍ତି ତେବେ ତାହା ବେଆଇନ୍‌। ଆପଣ ଚାହିଁଲେ ଏସମ୍ପର୍କରେ ପୋଲିସ୍‌ରେ ଏତଲା ଦେଇପାରିବେ।

ଯଦି ଅନ୍‌ଲାଇନ୍‌ରେ ଏମ୍‌ଏସ୍‌ଏମ୍‌ଇ ପଞ୍ଜୀକରଣ ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କର ଆଧାର ପଞ୍ଜୀକରଣ ହୋଇନଥାଏ, ତେବେ ସେ କିପରି ଏମ୍‌ଏସ୍‌ଏମ୍‌ଇ ସାର୍ଟିଫିକେଟ୍‌ ବା ଉଦ୍ୟୋଗ ଆଧାର ପାଇଁ ଆବେଦନ କରିବେ, ସେ ସମ୍ପର୍କରେ ଏହି ୱେବେସାଇଟ୍‌ରେ ଉଲ୍ଲେଖ ରହିଛି।

LEAVE A REPLY

Please enter your comment!
Please enter your name here