ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ଷୁଦ୍ର, ଲଘୁ ଓ ମଧ୍ୟମ ଧରଣର ଶିଳ୍ପ ବା ଏମଏସଏମଇ ସେକ୍ଟରରେ ଘୋର ଦୁର୍ଦ୍ଦିନ। କରୋନା ଯୋଗୁଁ ଏହି କ୍ଷେତ୍ରରେ ୧୧ କୋଟି ଚାକିରି ଅନ୍ଧକାର ଭିତରେ। ତାଛଡ଼ା ଜିଡିପିର ୩୦ ପ୍ରତିଶତ ଅନିଶ୍ଚିତ ଅବସ୍ଥା ଦେଇ ଗତି କରୁଛି। ଦିଲ୍ଲୀରୁ ଲୁଧିଆନା, ଚେନ୍ନାଇରୁ ଚକ୍ରଧରପୁର, ଭୁବନେଶ୍ୱରରୁ ସୁରତ ଚାରିଆଡ଼େ ଏକା ଅବସ୍ଥା। ଛୋଟ ବଡ଼ ସାମଗ୍ରୀ ତିଆରି କରୁଥିବା ଆମ ଦେଶର ପ୍ରାୟ ୫ କୋଟି ୟୁନିଟରେ ଏବେ ତାଲା। ଏଗାର କୋଟି ଲୋକଙ୍କ ଜୀବିକା ବିପନ୍ନ।

ଏହି କ୍ଷେତ୍ରରୁ ଦେଶର ମୋଟ ଉତ୍ପାଦନର ୩୦ ପ୍ରତିଶତ ଆସିଥାଏ। ଦେଶର ୪୦ ପ୍ରତିଶତ ରପ୍ତାନୀ ମଧ୍ୟ ଏହି ୟୁନିଟମାନଙ୍କ ଦ୍ୱାରା ହୋଇଥାଏ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦ୍ଵିତୀୟ ପ୍ରୋତ୍ସାହନ ଘୋଷଣାକୁ ସମସ୍ତେ ଅପେକ୍ଷା କରିଥିଲା ବେଳେ ଆଗକୁ କ’ଣ ହେବ ସେ କଥା କେହି କହି ପାରୁ ନାହାଁନ୍ତି।

ଏହି ୟୁନିଟଗୁଡ଼ିକ ଖୋଲିବ ଯଦି ପୁଞ୍ଜି ଦରକାର। ବ୍ୟାଙ୍କମାନେ କେତେ ଋଣ ଯୋଗାଇ ଦେବେ ତାହା କହିବା କଷ୍ଟ। ଆହୁରି ବଡ଼ ସମସ୍ୟା ହେଉଛି ଏହି ସବୁ ୟୁନିଟରେ ଯେଉଁମାନେ କାମ କରୁଥିଲେ ସେହି ଶ୍ରମିକମାନେ ଏବେ ଘରମୁହାଁ। ଲକ୍‌ଡାଉନ୍‌ ଉଠିବା ପରେ ସେମାନେ ଫେରିବେ କି ନାହିଁ ତାହା ଏକ ପ୍ରଶ୍ନବାଚୀ।

ଦେଶର ଯେଉଁ ୧୩୦ ଜିଲ୍ଲା ରେଡ୍‌ ଜୋ4ନରେ ସେଠି ହିଁ ଅଧିକାଂଶ ଏମଏସଏମଇ  ସଂସ୍ଥା ରହିଛି। ଏହି ସବୁ ଜିଲ୍ଲାରୁ କେବେ ରେଡ୍‌ ଜୋନ ଉଠିବ, କେବେ କାମ ଆରମ୍ଭ ହେବ ତାହା ଅନିଶ୍ଚିତ। ଯେତେବେଳେ ବି ଖୋଲିବ ୟୁନିଟର ମାଲିକମାନେ କମ୍‌ ଲୋକରେ କାମ କରିବା ପାଇଁ ଚାହିଁବେ। ଏହା ଫଳରେ ବେରୋଜଗାରୀ ବି ଖୁବ ବଢ଼ିବ। ତେଣେ ବ୍ୟାଙ୍କଗୁଡ଼ିକରେ ଯୋଉ ଅବସ୍ଥା। ପୂର୍ବ ଭଳି ଋଣ ଦେବା ପାଇଁ ବ୍ୟାଙ୍କ ଆଉ ଆଗେଇ ଆସିବା ଦେଖା ଯାଉନାହିଁ।

ଏହିଭଳି ଦେଖିବାକୁ ଗଲେ କରୋନା ମହାମାରୀ ଭାରତର କ୍ଷୁଦ୍ର, ଲଘୁ ଓ ମଧ୍ୟମ ଧରଣର ଶିଳ୍ପ ଉପରେ ଶକ୍ତ ପ୍ରହାର ବସିଛି ବୋଲି ଧରି ନେବାକୁ ପଡ଼ିବ।

Comment